INDIA bloc Meets President: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ, ଭୋଟ ଚୋରିର ପ୍ରମାଣ ମାଗିଲେ ମୁର୍ମୁ

ନୂଆଦିଲ୍ଲୀ,୧୦/୧୦; ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଏ ନେଇ ବିରୋଧୀ ଇଣ୍ଡି ବ୍ଲକ୍ର ସାଂସଦ ଏବଂ ଅନ୍ୟ ଜନପ୍ରତିନିଧିମାନେ ସଂସଦର ସେଣ୍ଟ୍ରାଲ ହଲ୍ରେ ଶୁକ୍ରବାର ସନ୍ଧ୍ୟାରେ ୩୦ ମିନିଟ୍ ଧରି ବୈଠକ କରିଥିଲେ । ଏହା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପ୍ରାୟ ୧୫୦ ବିରୋଧୀ ସାଂସଦ ସଂସଦରୁ ବାହାରି ରାଷ୍ଟ୍ରପତି ଭବନ ଅଭିମୁଖେ ଚାଲି ଚାଲି ଯାଇଥିଲେ । ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ଭବନ ଆଡ଼କୁ ବାହାରିବା ପରେ ବିଜୟ ଚୌକଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ସେଠାରେ ପୁଲିସ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।
ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିରୋଧୀଙ୍କ ୩ଟି ଦାବି ରହିଛି । ତାହା ହେଲା ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଏସଆଇଆର ବନ୍ଦ କରିବା ଏବଂ ଭୋଟର ଚିଠା ତାଲିକାରୁ ବାଦ୍ ପଡିଥିବା ୧୩ କୋଟି ଭାରତୀୟଙ୍କୁ ପୁଣି ଭୋଟର ଲିଷ୍ଟରେ ସାମିଲ କରିବା । ବୈଠକ ବେଳେ ରାଷ୍ଟ୍ରପତି ବିରୋଧୀ ନେତାଙ୍କୁ ଭୋଟ ଚୋରି ବାବଦରେ ପ୍ରମାଣ ମାଗିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ବିରୋଧୀ ପ୍ରମାଣ ଏକଜୁଟ କରିଛି । ସମସ୍ତ ସୂଚନା ପ୍ରମାଣ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ । ରାଷ୍ଟ୍ରପତି ଲୋକଙ୍କ ସ୍ୱର ଶୁଣିଛନ୍ତି । ଇଭିଏମ୍ ବଦଳରେ ବାଲଟ୍ ପେପରରେ ନିର୍ବାଚନ କରାଇବା ଲାଗି ବିରୋଧୀ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଥିବା ଖଡଗେ ଜଣାଇଛନ୍ତି ।
ବୈଠକ ବାବଦରେ ରାହୁଲ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଅବଶ୍ୱସନୀୟ ଥିଲା । ଭୋଟ ଚୋରି ବାବଦରେ ଜଣାଇବା ପରେ ରାଷ୍ଟ୍ରପତି ତାହାକୁ ଖଣ୍ଡନ କରି ନ ଥିଲେ । ଏ ବାବଦରେ ବିଚାର କରିବେ ଏବଂ ପଦକ୍ଷେପ ନେବେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିବା ରାହୁଲ ପ୍ରକାଶ କରିଛନ୍ତି । ଜ୍ଞାନେଶ କୁମାର ଭାରତର ଗଣତନ୍ତ୍ରକୁ ନଷ୍ଟ କରିଥିବା ରାହୁଲ ଅଭିଯୋଗ ଆଣିଛନ୍ତି । ରାଷ୍ଟ୍ରପତିଙ୍କ ସାକ୍ଷାତ କରିବା ଲାଗି ୧୦ ସାଂସଦ ଭିତରକୁ ଯାଇଥିବାବେଳେ ଅନ୍ୟ ସାଂସଦମାନେ କର୍ତ୍ତବ୍ୟ ପଥରେ ଧାରଣାରେ ବସି ରହିଥିଲେ । ସେମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ବିରୋଧୀ ସାଂସଦମାନେ ୪ ଦିନରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତୃତୀୟ ମାର୍ଚ୍ଚ ବାହାର କରିଛନ୍ତି । ଏହା ପୂର୍ବରୁ ଗତ ୬ ତାରିଖରେ ଗଣତନ୍ତ୍ର ବଞ୍ଚାଅ ରାଲି ବାହାର କରିଥିଲେ । ୭ ତାରିଖରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇଥିବାବେଳେ ସେମାନଙ୍କୁ ରାସ୍ତାରେ ଅଟକା ଯାଇଥିଲା । ୮ ତାରିଖରେ ରାଜଘାଟ ପର୍ଯ୍ୟନ୍ତ ରାଲି ବାହାର କରିଥିଲେ । ରାଲିରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଟି ମେଣ୍ଟ ସହ ଦେଖିବାକୁ ମିଳିଛି । ସେ ବିରୋଧୀ ନେତାଙ୍କ ସହ ସାମିଲ ହୋଇ ଚାଲିଚାଲି ରାଷ୍ଟ୍ରପତି ଭବନ ଅଭିମୁଖେ ଚାଲି ଚାଲି ଯାଇଥିଲେ ।
ସୌଜନ୍ୟ ପ୍ରମେୟ




