ଜାତୀୟ

Delhi High Alert: ଆଜି ସିଜେପିର ଜନ୍ତରମନ୍ତର ଆନ୍ଦୋଳନ, ଇଣ୍ଟରନେଟ ସେବା ଓ ମେଟ୍ରୋ ଷ୍ଟେସନ ବନ୍ଦ; ୩୮ ହଜାର ଯବାନ ମୁତୟନ

ନୂଆଦିଲ୍ଲୀ ୧୦/୧୦: ଆଜି ଭୋଟର  ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ  (ଏସ୍‌ଆଇଆର) ରଦ୍ଦ ସହ ମୁଖ୍ୟ  ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ  କୁମାରଙ୍କ ଇସ୍ତଫା ଦାବିରେ  ନୂଆଦିଲ୍ଲୀରେ କକ୍‌ରୋଚ  ଜନତା ପାଟି ର୍ (ସିଜେପି) ଆନ୍ଦୋଳନ  କରିବ । ଏଥିରେ କିଛି ରାଜନୈତିକ  ଦଳ, ଛାତ୍ର ସଙ୍ଗଠନ ଓ ନାଗରିକ ସମାଜ  ସାମିଲ ହେବାର ସମ୍ଭାବନା ରହିଛି ।  କିନ୍ତୁ ଆନ୍ଦୋଳନ ପାଇଁ ପୁଲିସ ଅନୁମତି  ଦେଇନାହିଁ । ଏଥିସହ ଜନ୍ତରମନ୍ତର  ଓ ଆଖପାଖ ଅଞ୍ଚଳରେ କଟକଣା  ଲଗାଯାଇଛି । ହେଲେ ସିଜେପି ଏହି ଆନ୍ଦୋଳନ ନିଶ୍ଚିତ ହେବ ବୋଲି କହିବା  ସହ ଏଥିରେ ବହୁସଂଖ୍ୟାରେ କକ୍‌ରୋଚ  ସାମିଲ ହେବାକୁ ଅନୁରୋଧ କରିଛି ।

ସୋସିଆଲ ମିଡିଆ ଏକ୍ସରେ ସିଜେପି ମୁଖ୍ୟ ଅଭିଜିତ ଦିପ୍‌କେ କହିଛନ୍ତି, ଜନ୍ତରମନ୍ତର ଠାରେ ଆନ୍ଦୋଳନ ଲାଗି ଗତ  ୭ ତାରିଖରେ ପୁଲିସକୁ ଲିଖିତ ଅନୁରୋଧ କରାଯାଇଥିଲା। କିନ୍ତୁ ପୁଲିସ ଅନୁମତି  ଦେବାକୁ ମନା କରିଦେଇଛି । ଆନ୍ଦୋଳନ  ନିଶ୍ଚିତ ହେବ ଏବଂ ଜନ୍ତରମନ୍ତର ଠାରେ  ହିଁ ହେବ । ସମ୍ବିଧାନର ଧାରା ୧୯ ଆମକୁ  ଆନ୍ଦୋଳନ କରିବା ଲାଗି ମୌଳିକ  ଅଧିକାର ଦେଇଛି । ତେଣୁ ଆଉ ଅନୁମତି  ନେବାର ଆବଶ୍ୟକତା ନାହିଁ । ନିର୍ବାଚନ  କମିଶନଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ  ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ  ନାଁ କାଟିବା ଲାଗି କ’ଣ ପୂର୍ବରୁ ଅନୁମତି  ନିଆଯାଇଥିଲା । ନିର୍ବାଚନରେ ଅନିୟମିତତା  କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେ ଆନ୍ଦୋଳନ ନକରିବା କଣ ଆପଣମାନେ ଚାହାନ୍ତି ।  ଏଭଳି ଆଦୌ ହୋଇପାରିବ ନାହିଁ । ଦେଶ ଏଭଳି ଚାଲିପାରିବ  ନାହିଁ । ଦେଶକୁ ବଞ୍ଚାଇବା ଲାଗି ଆମେ ପ୍ରଦର୍ଶନ କରିବୁ ।

ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦିଲ୍ଲୀକୁ  ସୁରକ୍ଷାର ଅଭେଦ୍ୟ ଦୁର୍ଗରେ ପରିଣତ କରିଛନ୍ତି । ଜନ୍ତରମନ୍ତର ଓ ତାର ଆଖପାଖ  ଅଞ୍ଚଳରେ ବିଏନ୍‌ଏସ୍‌ର ଧାରା ୧୬୩ ଲାଗୁ କରାଯାଇଛି । ସୁରକ୍ଷା ଲାଗି ପ୍ରାୟ  ୩୮ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ସେଥିରେ ୨୩ ହଜାର କେନ୍ଦ୍ରୀୟ  ଅର୍ଦ୍ଧସାମରିକ ବାହିନୀର ଯବାନ ଏବଂ ଦିଲ୍ଲୀ ପୁଲିସର ୧୫ ହଜାର ଯବାନ ସାମିଲ  ଅଛନ୍ତି । ଫ୍ରଣ୍ଟଲାଇନରେ ଥିବା ୧୫୦ ଯବାନଙ୍କ ଦେହରେ ଲାଗିଛି ବଡି କ୍ୟାମେରା ।  ଯାହାଫଳରେ ପ୍ରଦର୍ଶନ ବେଳେ କୌଣସି ପ୍ରକାର ଅପ୍ରୀତିକର ଘଟଣାର ରେକର୍ଡିଂ  କରାଯାଇପାରିବ । ଏଥିସହ ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି କ୍ୟାମେରା ମଧ୍ୟ  ଲଗାଯାଇଛି । ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସିବାକୁ ଥିବା ୩୮ଟି  ଟ୍ରେନ ବାତିଲ କରିଦିଆଯାଇଛି । ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି ।

କର୍ତ୍ତବ୍ୟପଥରୁ ଜନପଥ ପର୍ଯ୍ୟନ୍ତ ୪ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଶୁକ୍ରବାର ରାତି ୧୦ଟାରୁ ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ  ସେବାକୁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ପୁଲିସ ବିଭିନ୍ନ ଟେଲିକମ ଅପରେଟରଙ୍କୁ  ଚିଠି ଲେଖି ଇଣ୍ଟରନେଟ ବନ୍ଦ କରିବାକୁ କହିଛି । ଶନିବାର ଦିଲ୍ଲୀର ସମସ୍ତ  ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଥିଲା ବେଳେ ଅନ୍‌ଲାଇନରେ  ପଢ଼ାଇବାକୁ କୁହାଯାଇଛି । ଶନିବାର ହେବାକୁ ଥିବା ସବୁ ପରୀକ୍ଷାକୁ ସ୍ଥଗିତ  ଯାଇଛି । ଦିଲ୍ଲୀ-ନୋଏଡା ଓ ଦିଲ୍ଲୀ-ହରିୟାଣା ସୀମାରେ ବ୍ୟାରିକେଡ କରାଯାଇ  ଯାନବାହନ ଯାଞ୍ଚ କରାଯାଉଛି । ଯେଉଁ ଗାଡି଼ଗୁଡ଼ିକ ଦିଲ୍ଲୀକୁ ସିଜେପି କାର୍ଯ୍ୟକର୍ତ୍ତା  ଓ ସମର୍ଥକଙ୍କୁ ଧରି ଆସୁଛି ସେଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ ।

ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ବ୍ୟବସାୟିକ ସଂଘ ପକ୍ଷରୁ  କନ୍ନଟ ପ୍ଲେସ୍‌ ଅଞ୍ଚଳରେ ଥିବା ସମସ୍ତ ଦୋକାନବଜାର ଓ ବ୍ୟବସାୟିକ  ପ୍ରତିଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛି । ଭାଗିରଥୀ ପ୍ୟାଲେସରେ  ଥିବା ବିଦ୍ୟୁତ ମାର୍କେଟ ମଧ୍ୟ ବନ୍ଦ ରହିବ । ସେହିଭଳି ଦିଲ୍ଲୀ ହାଇକୋର୍ଟ  କହିଛନ୍ତି ପଟିଆଲା ହାଉସ୍‌ କୋର୍ଟ ଓ ରାଉଜ ଆଭେନ୍ୟୁ କୋର୍ଟରେ ଶନିବାର  ଭର୍ଚୁଆଲରେ ଶୁଣାଣି କରାଯିବ । ହାଇକୋର୍ଟ କହିଛନ୍ତି ଯେ ୭ ଜିଲ୍ଲା ଅଦାଲତରେ  ଅଭିଯୁକ୍ତଙ୍କୁ ଯଦି ହାଜର କରାନଯାଇ ପାରିବ ତେବେ କୌଣସି ପ୍ରତିକୂଳ  ଆଦେଶ ଜାରି କରାଯିବ ନାହିଁ । ସିଜେପିର ପ୍ରସ୍ତାବିତ ଆନ୍ଦୋଳନକୁ ନେଇ  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ  ଚିଠି ଲେଖାଯାଇଛି । ସେଥିରେ ନିଜ ନିଜ ରାଜ୍ୟରୁ ଦିଲ୍ଲୀକୁ ଆନ୍ଦୋଳନରେ  ସାମିଲ ହେବାକୁ ଆସିବାକୁ ଥିବା ସିଜେପି କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ରାଜନୈତିକ  ଦଳର କର୍ମୀମାନଙ୍କୁ ରୋକିବାକୁ ପଦକ୍ଷେପ ନେବା ଲାଗି କୁହାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button