ରାଜ୍ୟ

ଅଧରାତି ଯାଏଁ ଛକାପଞ୍ଝା; ଉତ୍କଳରେ ଏବିଭିପି, ରମାଦେବୀରେ ବିସିଜେଡି

ଅଧ ରାତି ପର୍ଯ୍ୟନ୍ତ ଛକାପଞ୍ଝା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ରମାଦେବୀରେ...

ଭୁବନେଶ୍ବର: ଅଧ ରାତି ପର୍ଯ୍ୟନ୍ତ ଛକାପଞ୍ଝା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ରମାଦେବୀରେ ବିଜୁ ଛାତ୍ର ଜନତା ଦଳ(ବିସିଜିଡି)ର ପ୍ରାର୍ଥୀମାନେ ବାଜିମାତ୍‌ କରିଛନ୍ତି। ଉତ୍କଳରେ ସଭାପତି ଭାବେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଆୟୁଷୀ ପ୍ରଧାନ ବିଜୟ ହାସଲ କରିଛନ୍ତି। ସେହିପରି ରମାଦେବୀରେ ସଭାପତି ଭାବେ ବିସିଜେଡିର ସୋନାଲି ବେହେରା ଓ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବିଜୟୀ ହୋଇଛନ୍ତି।

ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଅଧିକାଂଶ କ୍ୟାମ୍ପସ୍‌ରେ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। କେତେବେଳେ ଭୋଟ ଗଣତି ଅଧାରୁ ବନ୍ଦ ହୋଇଥିଲା ତ ଆଉ କେତେବେଳେ ଜାତୀୟ ରାଜପଥ ଅବରୋଧ କରିଥିଲେ ଛାତ୍ର ସଙ୍ଗଠନ। ଛାତ୍ର ସଂସଦ ନିର୍ବାଚନ ହୋଇଥିଲେ ସୁଦ୍ଧା କୌଣସି ଗୁଣରେ ସାଧାରଣ ନିର୍ବାଚନଠାରୁ କମ୍‌ ନ ଥିଲା। ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, ମାତ୍ର ଏଠାରେ ଲଢ଼େଇ ସିଧାସଳଖ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା। ନିର୍ବାଚନ ‌ତାରିଖ ଘୋଷଣାଠାରୁ ଉଷ୍ମ ରହିଥିବା ଏଠାକାର କ୍ୟାମ୍ପସ୍‌ ରାଜନୀତି ଆଜି ଶୀର୍ଷରେ ପହଞ୍ଚିଥିଲା। ଆରୋପ, ପ୍ରତ୍ୟାରୋପ ସାଙ୍ଗକୁ ବିସିଜେଡି ଓ ଏବିଭିପିର ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା କ୍ୟାମ୍ପସ୍‌ ପରିସ୍ଥିତିକୁ ଅଣାୟତ୍ତ କରିଥିଲା। ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ହାତାହାତି, ଭଙ୍ଗାରୁଜା ଦ୍ବାରା କ୍ୟାମ୍ପସ୍‌ ବାହାର ପରିବେଶ ଅଶାନ୍ତ ହେବା ସହ ଭୋଟ ଗଣତି ବହୁ ବିଳମ୍ବିତ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button