BJD to Send Delegation to Kotia କୋଟିଆ ଯିବେ ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ
କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପରେ ବିଜେଡିର ୧୫ ଜଣିଆ ପ୍ରତିନିଧି ଦଳ ଅଞ୍ଚଳ ଗସ୍ତ କରିବ। ଲୋକଙ୍କ ସହ ଆଲୋଚନା ଓ ଅଞ୍ଚଳ ପରିଦର୍ଶନ ପରେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯିବ।

ଭୁବନେଶ୍ୱର: ଓଡ଼ିଶାର କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଞ୍ଚାୟତର ଅଧିକାରକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ବିବାଦ ଚାଲିଛି। ଏହି ସମୟରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ବିଜ୍ଞପ୍ତି ପ୍ରକାଶ କରିଛି। ଏହାକୁ ନେଇ ରାଜ୍ୟ ରାଜନୀତି ତେଜିଛି। ଗତକାଲି କୋଟିଆ ନିମନ୍ତେ ପୁଣି ରାଜ୍ୟ ସରକାର କୋର୍ଟ ଯିବେ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ପରେ ଆଜି ପ୍ରମୁଖ ରାଜନୈତିକ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଟିଆ ଗସ୍ତ କରିବେ ବୋଲି ଘୋଷଣା କରାଯାଇଛି।
ଆଜି ବିଜେଡି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡିର ୧୫ ଜଣ ନେତା, ବିଧାୟକ ଓ ସାସଂଦଙ୍କୁ ନେଇ ଏକ ପ୍ରତିନିଧିଦଳ ଗଠନ କରିଛନ୍ତି। ଏହି ଦଳ ଆସନ୍ତାକାଲି (ଶୁକ୍ରବାର) କୋଟିଆ ଗସ୍ତ କରିବେ। ନିଜର ନିରୀକ୍ଷଣ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ।
ଏହି ପ୍ରତିନିଧି ଦଳ ର ସଦସ୍ୟ ମାନେ ହେଲେ- ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବିନାରାୟଣ ନନ୍ଦ , ପୂର୍ବତନ ସାଂସଦ ଝିନ ହିକକା ଓ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଳା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ। ଏହି ପ୍ରତିନିଧି ଦଳ କୋଟିଆ ଅଂଚଳର ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ, ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ।
ସୌଜନ୍ୟ ସମ୍ବାଦ




