ରାଉରକେଲା: ପ୍ରତିବର୍ଷ ବର୍ଷାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି। ଜଳବନ୍ଦି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବ୍ରାହ୍ମଣୀନଦୀ ପାର୍ଶ୍ବରେ ଆଡ଼ିବନ୍ଧ କରିବାକୁ ପୂର୍ବ ସରକାର ସମୟରେ ଘୋଷଣା କରାଯାଇଥିଲା। ବର୍ଷେ କି ଦୁଇବର୍ଷ ନୁହେଁ, ପ୍ରାୟ ୧୪ ବର୍ଷ ଧରି ଏମିତି ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଦୁଃଖ ବୁଝିବାକୁ ଯେମିତି କାହା ପାଖରେ ସମୟ ହିଁ ନାହିଁ। ପ୍ରସ୍ତାବିତ ଆଡ଼ିବନ୍ଧ ଯୋଜନାକୁ ସମସ୍ତେ ଭୁଲି ଯାଇଛନ୍ତି।
ବନ୍ୟାଜଳ ରୋକିବାକୁ ସ୍ମାର୍ଟସିଟିର ତଳି ଅଞ୍ଚଳବାସିନ୍ଦାଙ୍କ ପାଇଁ ବ୍ରାହ୍ମଣୀ ନଦୀକୂଳରେ ସରକାର ଆଡ଼ିବନ୍ଧ ଯୋଜନା କରିବାକୁ ପ୍ରସ୍ତାବ ରଖିଥିଲେ। ଉଭୟ
ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଉପଯୁକ୍ତ ସମନ୍ବୟ ରକ୍ଷା କରି ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ଏବଂ ରୂପରେଖ ସଂକ୍ରାନ୍ତରେ ରିପୋର୍ଟ ଦେବା କଥା। କିନ୍ତୁ ଉଭୟ ବିଭାଗ ସହରର ଏହି ପ୍ରମୁଖ ସମସ୍ୟାକୁ ପାସୋରି ଯାଇଛନ୍ତି। ଏଥି ସକାଶେ ପ୍ରତିବର୍ଷ ପାନପୋଷ ବାଲୁଘାଟର ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ଜଳବନ୍ଦି ଜୀବନ ବିତାଇବାକୁ ପଡୁଛି। ଏସବୁ ବସ୍ତିଗୁଡ଼ିକ ମଧ୍ୟରେ ରହିଛି ପଲ୍ପଲ୍ ବସ୍ତି, ନୂଆ ବସ୍ତି, ଝରା ବସ୍ତି, କୁମ୍ଭାରପଡ଼ା, ବାଲୁଘାଟ, ତେଲଗୁପଡ଼ା, ସର୍ଦ୍ଦାର ବସ୍ତି ସମେତ ଦଣ୍ଡିଆପାଲି ଓ ବେଦବ୍ୟାସର କିଛି ଅଞ୍ଚଳ। ବର୍ଷା ଦିନ ଆସିଲେ ଏମାନଙ୍କ ଚିନ୍ତା ବଢ଼ିଯାଏ। ନିକଟରେ ବ୍ରାହ୍ମଣୀନଦୀ ଘାଟର ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା
ସ୍ମାର୍ଟସିଟି ପାଣ୍ଠିରୁ ଖର୍ଚ୍ଚ ହୋଇଛି। ପଥରପ୍ୟାକିଂ ନାଁରେ କେବଳ ଠିକାଦାର ପୋଷାଯାଇଛି। ଯାହାକି ସହରବାସୀଙ୍କ କୌଣସି କାମରେ ଆସୁନି। ଜଣେ ପରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଆର୍ଏମ୍ସି କମିସନର ଯୋଗ ଦେଉଛନ୍ତି। ପ୍ରତିବର୍ଷ ବନ୍ୟାଜଳରେ କ୍ଷତିଗ୍ରସ୍ତ ପରିବାରଙ୍କୁ କେବଳ ଉଦ୍ଧାର କରି କାମ ସାରି ଦେଉଛନ୍ତି। କେମିତି ପ୍ରସ୍ତାବିତ ଆଡ଼ିବନ୍ଧ ନିର୍ମାଣ ହେବ, କାହାରି ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।