ରାଜ୍ୟ

Chilika: ଅକ୍ଟୋବର ସରିଲା, ଚିଲିକା‌କୁ ପକ୍ଷୀଙ୍କ ଆଗମନ କମିଛି: କଳରବ ଖୋଜୁଛି ‘ମଙ୍ଗଳାଯୋଡ଼ି’

ଅକ୍ଟୋବର ମାସ ଶେଷ ପର୍ଯ୍ୟାୟରେ। ହେଲେ, ଖୋରଧା ଜିଲ୍ଲାରେ ଶୀତ ସତେ ଯେମିତି ଗାଏବ ହୋଇଯାଇଛି। ଶୀତ ଗାଏବ ସାଙ୍ଗକୁ ଚିଲିକାର ଆକର୍ଷଣ ବଢ଼ାଉଥିବା ବିଦେଶୀ ପକ୍ଷୀଙ୍କର ଆଗମନ ବି କମ୍‌ ହୋଇଛି। ପକ୍ଷୀଙ୍କ ଆଗମନ ବିଳମ୍ବର କାରଣ ବନ୍ୟା ଓ ବାତ୍ୟା ବୋଲି ପକ୍ଷୀ ସୁରକ୍ଷା ସମିତିଗୁଡ଼ିକ ଆଶଙ୍କା କରିଛନ୍ତି।

ଖୋରଧା: ଅକ୍ଟୋବର ମାସ ଶେଷ ପର୍ଯ୍ୟାୟରେ। ହେଲେ, ଖୋରଧା ଜିଲ୍ଲାରେ ଶୀତ ସତେ ଯେମିତି ଗାଏବ ହୋଇଯାଇଛି। ଶୀତ ଗାଏବ ସାଙ୍ଗକୁ ଚିଲିକାର ଆକର୍ଷଣ ବଢ଼ାଉଥିବା ବିଦେଶୀ ପକ୍ଷୀଙ୍କର ଆଗମନ ବି କମ୍‌ ହୋଇଛି। ପକ୍ଷୀଙ୍କ ଆଗମନ ବିଳମ୍ବର କାରଣ ବନ୍ୟା ଓ ବାତ୍ୟା ବୋଲି ପକ୍ଷୀ ସୁରକ୍ଷା ସମିତିଗୁଡ଼ିକ ଆଶଙ୍କା କରିଛନ୍ତି। ଉଦାହରଣ ଭାବେ ଚିଲିକାର ଏକ ଅଂଶବିଶେଷ ଭାବେ ଟାଙ୍ଗୀ ବ୍ଲକ୍‌ର ମଙ୍ଗଳାଯୋଡ଼ି କଥା ବିଚାର କଲେ, ଏହା ଏମିତି ଏକ ପକ୍ଷୀବିହାର ଯେଉଁଠି ବର୍ଷର ଏହି ଅନ୍ତିମ ଦିନଗୁଡ଼ିକରେ ଭରପୂର ପକ୍ଷୀଙ୍କ ଆସର ଜମେ। ସ୍ଥାନୀୟ ମହାବୀର ପକ୍ଷୀ ସୁରକ୍ଷା ସମିତିର ମୁଖ୍ୟ ଦିବାକର ବେହେରାଙ୍କର କହିବା ମୁତାବକ, ଆମେ ପ୍ରତିବର୍ଷ ଏଠି ପ୍ରାୟ ଦୁଇଶହ ପ୍ରକାର ପକ୍ଷୀଙ୍କୁ ଦେଖିବାକୁ ପାଉ। ବର୍ତ୍ତମାନ ଅକ୍ଟୋବର ମାସ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଅନେକ ପକ୍ଷୀଙ୍କର ଆଗମନ ହୋଇଯିବା କଥା। ହେଲେ, ବର୍ତ୍ତମାନ ସୁଦ୍ଧା ମଙ୍ଗଳାଯୋଡ଼ିରେ ମାତ୍ର ୧୦ରୁ୧୫ ପ୍ରଜାତିର ପକ୍ଷୀଙ୍କୁ ଆମେ ଠାବ କରିଛୁ। ଏହାର କାରଣ ବନ୍ୟା ଓ ବାତ୍ୟା ବୋଲି ଶ୍ରୀ ବେହେରା ଦର୍ଶାଇଛନ୍ତି। ସେ କହିଛନ୍ତି, କିଛି ଦିନ ତଳେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଲା। ପୁଣି ଆସନ୍ତା ସପ୍ତାହରେ ଲଘୁଚାପ ବର୍ଷା ହେବ ବୋଲି କୁହାଯାଉଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ପକ୍ଷୀମାନଙ୍କ ପାଇଁ ଅଡ଼ୁଆ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ସମାନ କଥା ମଙ୍ଗଳାଯୋଡ଼ି ଇକୋ ଟୁରିଜିମ୍‌ର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ବେହେରା ବି ଦର୍ଶାଇଛନ୍ତି। ସେ କହିଛନ୍ତି,  ଏତେ ବେଳକୁ ୪୦ରୁ ୪୫ ପ୍ରଜାତିର ପକ୍ଷୀଙ୍କର ସମାଗମ ହୋଇଯିବା କଥା। ହେଲେ, ବର୍ତ୍ତମାନ ସୁଦ୍ଧା ୧୦ରୁ୧୫ ପ୍ରଜାତିର ପକ୍ଷୀଙ୍କୁ ଆମେ ଦେଖିବାକୁ ପାଇଛୁ। ୧୦ଦିନ ତଳୁ ପକ୍ଷୀଙ୍କର ଆଗମନ ଯଦିଓ ଆରମ୍ଭ ହୋଇଯାଇଛି, ହେଲେ ପର୍ଯ୍ୟାପ୍ତ ହୋଇନାହିଁ। ଶୀତ ଧୀରେ ଧୀରେ ପଡ଼ିଲାଣି। ଗୋଟିଏ ଗୋଟିଏ ଦିନରେ  ୨୦ରୁ୨୫ ପ୍ରଜାତିର ପକ୍ଷୀ ଆସିବାର ଉଦାହରଣ ଅଛି। ଏ ବର୍ଷ ବି ବହୁତ ପକ୍ଷୀ ଆସିବେ ବୋଲି ଆମେ ଆଶାବାଦୀ। ସେହିପରି ମଙ୍ଗଳାଯୋଡ଼ି ବାର୍ଡ କଞ୍ଜର୍‌ଭେସନ୍‌ ଆଣ୍ଡ ଟୁରିଜିମ୍‌ ଟ୍ରଷ୍ଟର ମୁଖ୍ୟ ସଞ୍ଜୟ ବେହେରା କହିଛନ୍ତି, ପକ୍ଷୀଙ୍କର ଆଗମନ ବାଟରେ ବନ୍ୟା ଓ ବାତ୍ୟା ଯେମିତି ସମସ୍ୟା, ଠିକ୍‌ ସେମିତି ଜିରୋ ନେଟ୍‌ ବି ସେମାନଙ୍କ ପାଇଁ ଏକ ପ୍ରକାର ବିପଦ। ସୁନ୍ଦରପୁର ୱାଚଟାୱାର୍‌ଠୁ ଆରମ୍ଭ କରି ମଙ୍ଗଳାଯୋଡ଼ି, ସୁନ୍ଦରପୁର ୱାଚ୍‌ଟାୱାରଠୁ ଆରମ୍ଭ କରି ବାଲିପାଟପୁର ଯାଏଁ ଜିରୋ ନେଟ୍‌ ଘେରାଯାଇଛି। ଯାହା ପକ୍ଷୀଙ୍କ ଚଳପ୍ରଚଳ ପ୍ରତି ବିପଦ ସୃଷ୍ଟି କରୁଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button