ରାଜ୍ୟ

Successful Entrepreneur: Diptimanjari: ଗୃହିଣୀରୁ ସଫଳ ଉଦ୍ୟୋଗୀ: ଦୀପ୍ତିମଞ୍ଜରୀ, ମାସକୁ ରୋଜଗାର ଲକ୍ଷେରୁ ବେଶି

ବଡ଼ସ୍ୱପ୍ନ ଦେଖିବା ପାଇଁ ବଡ଼ପୁଞ୍ଜି ନୁହେଁ, ଦରକାର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ। ରୋଷେଇ ଘରେ ପ୍ରତିଦିନ ତିଆରି ହେଉଥିବା ରୁଟି ବି ଗୃହିଣୀଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରେ।

ବାରିପଦା (ବଟକୃଷ୍ଣ ବିହାରୀ): ବଡ଼ସ୍ୱପ୍ନ ଦେଖିବା ପାଇଁ ବଡ଼ପୁଞ୍ଜି ନୁହେଁ, ଦରକାର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ। ରୋଷେଇ ଘରେ ପ୍ରତିଦିନ ତିଆରି ହେଉଥିବା ରୁଟି ବି ଗୃହିଣୀଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରେ। ଏହାକୁ ସାକାର କରିଛନ୍ତି ବାରିପଦାର ଦୀପ୍ତିମଞ୍ଜରୀ କାନୁନଗୋ। ମାତ୍ର ୩.୮୦ ଲକ୍ଷ ଟଙ୍କା ଋଣରୁ ଆରମ୍ଭ କରିଥିବା ‘ସାଇ ଚପାତି’ରେ ଦିନକୁ ତିଆରି କରୁଛନ୍ତି ୬ ହଜାର ରୁଟି। ଏହି ବାଟରେ ମାସକୁ ତାଙ୍କର ରୋଜଗାର ଲକ୍ଷେ ଟପିଲାଣି। ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଦେଇଛନ୍ତି ନିୟମିତ ରୋଜଗାର। ବାରିପଦା ସ୍ୱରୂପନଗରର ଦୀପ୍ତିମଞ୍ଜରୀ ରୁଟିକୁ ନେଇ ନୂଆ ଉଦ୍ୟୋଗର ସ୍ବପ୍ନ ଦେଖିଥିଲେ। ସ୍ବାମୀ ସଞ୍ଜୟଙ୍କ ସମର୍ଥନ ଓ ସହଯୋଗ ବି ମିଳିଥିଲା। ୨୦୨୩ ମସିହା ଅକ୍ଷୟ ତୃତୀୟାରେ ପଡ଼ିଥିଲା ସେହି ସ୍ୱପ୍ନର ପ୍ରଥମ ମୂଳଦୁଆ।

ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ ବାରିପଦା ଷ୍ଟେଟବ୍ୟାଙ୍କରୁ ୩ ଲକ୍ଷ ୮୦ ହଜାର ଟଙ୍କା ଋଣ ନେଇ ଆରମ୍ଭ କରିଥିଲେ ‘ସାଇ ଚପାତି’ ଫ୍ୟାକ୍ଟ୍ରି। କିଛି ମାସ ମଧ୍ୟରେ ୩୫ ପ୍ରତିଶତ ସରକାରୀ ରିହାତି ମିଳିଯାଇଥିଲା। ପ୍ରଥମେ ମାତ୍ର ୪ ଜଣ ସହକାରୀ, ଦୈନିକ ୧୦ କିଲୋ ଅଟାରୁ ଆରମ୍ଭ ହୋଇଥିବା କାରବାର ଏବେ ୭ ଜଣ କର୍ମଚାରୀ ଏବଂ ୧୫୦ କିଲୋ ଅଟାରେ ପହଞ୍ଚିଛି। ପ୍ରତିଦିନ ପ୍ରସ୍ତୁତ ହେଉଛି ପ୍ରାୟ ୬ ହଜାର ରୁଟି। ୩୫ଟି ସଂସ୍ଥା ସ୍ଥାୟୀ ଗ୍ରାହକ। ଏହା ବାଦ୍‌ ବାରିପଦା ସହର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲ, ମେସ୍, ହୋଟେଲ, ରେସ୍ତୋରାଁ, ପାର୍ଟି, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପହଞ୍ଚୁଛି ‘ସାଇ ଚପାତି’। ଅପରାହ୍ଣ ୨ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲେ ରୁଟି ପ୍ରସ୍ତୁତି। ସେକା ହୋଇ ରୁଟି ବାହାରିବା ପରେ ସାମାନ୍ୟ ଥଣ୍ଡା ହେଲେ ଗଣତି ହୋଇ ଆଲୁମିନିୟମ ଫଏଲ୍‌ରେ ପ୍ୟାକିଂ କରାଯାଇ ଅର୍ଡର ମୁତାବକ ଗ୍ରାହକଙ୍କ ପାଖରେ ପହଞ୍ଚିଯାଏ। ‘ମାସକୁ ପ୍ରାୟ ୭ ଲକ୍ଷ ଟଙ୍କା ବେପାର ହେଉଛି। ସମସ୍ତ ଖର୍ଚ୍ଚ ପରେ ପ୍ରାୟ ୧ ଲକ୍ଷ ଟଙ୍କା ଲାଭ ମିଳୁଛି। ଋଣ ବି ଶୁଝା ସରିଲାଣି। ଆଗାମୀ ଦିନରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଆଉ ଏକ ଉଦ୍ୟୋଗ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଦୀପ୍ତିମଞ୍ଜରୀ’।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button