Inaccessible education, healthcare: ଅପହଞ୍ଚ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍ ସେବା: ସୀମାନ୍ତ ପଞ୍ଚାୟତବାସୀଙ୍କ ଭରସା ପଡ଼ୋଶୀ ଜିଲ୍ଲା
ବିଶୁଦ୍ଧ ପାଣି କଥା ଦୂରରେ ଥାଉ, ଶୋଷ ମେଣ୍ଟାଇବାର ଶେଷ ଭରସା ଚୁଆ ଓ ନାଳପାଣି। କାଦୁଅ, ଜଙ୍ଗଲିଆ ପଥ ସେମାନଙ୍କ ଯାତାୟାତର ମାଧ୍ୟମ। ମୋବାଇଲ୍ ଓ ବିଦ୍ୟୁତ୍ ସେବା କ’ଣ ଜାଣନ୍ତି ନାହିଁ।

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ବିଶୁଦ୍ଧ ପାଣି କଥା ଦୂରରେ ଥାଉ, ଶୋଷ ମେଣ୍ଟାଇବାର ଶେଷ ଭରସା ଚୁଆ ଓ ନାଳପାଣି। କାଦୁଅ, ଜଙ୍ଗଲିଆ ପଥ ସେମାନଙ୍କ ଯାତାୟାତର ମାଧ୍ୟମ। ମୋବାଇଲ୍ ଓ ବିଦ୍ୟୁତ୍ ସେବା କ’ଣ ଜାଣନ୍ତି ନାହିଁ। ପାଠ ପଢ଼ିବାକୁ ଇଚ୍ଛା ରଖିଥିବା ପିଲା ମାଟ୍ରିକ୍ ପରୀକ୍ଷା ଦେବାକୁ ୫୦ରୁ ୬୦ କିଲୋମିଟର ଯିବାକୁ ବାଧ୍ୟ ହୋଇଥାନ୍ତି। ସ୍ବାଧୀନତାର ୭ ଦଶନ୍ଧି ପରେ ବି ସେମାନେ ପ୍ରକୃତ ସ୍ବାଧୀନତାର ସ୍ବାଦ କ’ଣ ଚାଖି ନାହାନ୍ତି। ଗୋଟିଏ ଜିଲ୍ଲାରେ ରହୁଥିଲେ ମଧ୍ୟ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରି ଚଳନ୍ତି। ଏପରି ଦୟନୀୟ ଜୀବନଯାପନ କରୁଛନ୍ତି ଦଶପଲ୍ଲା ବ୍ଲକର ସୀମାନ୍ତ ନୂଆଗାଁ, କଳସାଖମଣ, ଚଡ଼େୟାପଲ୍ଲୀ ଓ କୁଜାମେଣ୍ଢି ପଞ୍ଚାୟତବାସୀ। ବର୍ଷବର୍ଷ ଧରି ସେମାନେ ପଡ଼ୋଶୀ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପରେ ନିର୍ଭର କରନ୍ତି। ଏସବୁ ପଞ୍ଚାୟତ ଦଶପଲ୍ଲା ବ୍ଲକଠାରୁ ପ୍ରାୟ ୫୫କିମି ଦୂରରେ।
ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ। ନୂଆଗାଁ ଓ କଳସାଖମଣ ପଞ୍ଚାୟତବାସୀଙ୍କ ପାଇଁ ନୂଆଗାଁଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ମାତ୍ର ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ଏଠାରେ ଡାକ୍ତର ନିଯୁକ୍ତି ପାଇଁ ବର୍ଷବର୍ଷ ଧରି ସଂଘର୍ଷ କରିବାକୁ ପଡୁଛି। ଯେତେବେଳେ ବି ଡାକ୍ତର ନିଯୁକ୍ତ ହେଉଛନ୍ତି, ରାତାରାତି ସେମାନେ ବଦଳି ହୋଇ ଚାଲି ଯାଉଛନ୍ତି। ନୂଆଗାଁ ପଞ୍ଚାୟତ ଉପରେ ନଜର ପକାଇଲେ ଏହି ପଞ୍ଚାୟତର ୧୨ଟି ୱାର୍ଡରେ ପ୍ରାୟ ୩ ହଜାରରୁ ଅଧିକ ଭୋଟର ରହିଛନ୍ତି। ସେହିଭଳି କଳସାଖମଣ ପଞ୍ଚାୟତର ୧୧ଟି ୱାର୍ଡରେ ପ୍ରାୟ ୨ ହଜାରରୁ ଅଧିକ ଭୋଟର୍ ଥିବା ପଞ୍ଚାୟତର ସରପଞ୍ଚ ରଶ୍ମିତା ମଲିକ କହିଛନ୍ତି। ଜରୁରି ସମୟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ଡାକ୍ତର ନାହାନ୍ତି। ଯୋଗାଯୋଗ ପାଇଁ କୌଣସି ମାଧ୍ୟମ ବି ନାହିଁ। ଏପଟେ ଦଶପଲ୍ଲାଠାରୁ କନ୍ଧମାଳର ଦୂରତା କମ୍ ରହୁଥିବାରୁ ବାଧ୍ୟହୋଇ ରୋଗୀଙ୍କୁ ଚକାପାଦ କିମ୍ବା ଫୁଲବାଣୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି।
ସୌଜନ୍ୟ ସମ୍ବାଦ




