Car fraud: କାରକୁ ଭଡ଼ାରେ ନେଇ ବିକିଦେଲା; ଧୂର୍ତ୍ତ ଗିରଫ ,କାର୍ ଜବତ

ଭୁବନେଶ୍ୱର,୨୮\୧୦: କାରକୁ ଭଡ଼ାସୂତ୍ରରେ ନେଇ ବିକିଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଧୂର୍ତ୍ତକୁ ଗିରଫ କରିଛି । ସେ ହେଲା, ଆଦର୍ଶ ମହିମା ଆଚାର୍ଯ୍ୟ । ତା’ଘର ଜଗତସିଂହପୁର ରଘୁନାଥପୁର ଥାନା ଅଧୀନ ଅଢ଼େଇକୂଳରେ । କାରକୁ ପୁଲିସ ଜବତ କରିଛି ।
ସୂଚନା ମୁତାବକ, ୟୁନିଟ-୭ ର ପ୍ଲଟ ନମ୍ବର-ଏ/୧ ରେ ଗୌରବ ମହାରଣା ପରିବାର ସହ ରୁହନ୍ତି । ଆଦର୍ଶ ବର୍ଷେ ଧରି ତାଙ୍କ ଘରର ଉପର ମହଲାରେ ଭଡ଼ା ସୂତ୍ରରେ ରହୁଛନ୍ତି । ଗୌରବଙ୍କ ବାପା ରବୀନ୍ଦ୍ରଙ୍କ ନାମରେ ଥିବା କାରଟି ଅଧିକାଂଶ ସମୟରେ ଘରେ ପଡି଼ ରହୁଥିଲା । ଏହାଦେଖି ଆଦର୍ଶ କାରକୁ ଭଡ଼ାସୂତ୍ରରେ ନେବାକୁ ଗୌରବଙ୍କୁ ପ୍ରସ୍ତାବ ଦେଲେ । ପ୍ରତିଦିନ ୧,୩୦୦ ଟଙ୍କା ଦେବାକୁ ଡିଲ୍ ଛିଡିଲା । ଆଦର୍ଶ କାରକୁ ଭଡ଼ାରେ ଚଳାଇବା ପରିବର୍ତ୍ତେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଦୁର୍ଗାବଜାର କଲୋନୀର ବନୋଜ କୁମାର ପଟ୍ଟନାୟକଙ୍କୁ ୩ ଲକ୍ଷ ୭୦ ହଜାର ଟଙ୍କାରେ ବିକିଦେଲେ । ବିକ୍ରି ସମ୍ପର୍କିତ ଚୁକ୍ତିପତ୍ରରେ ଗାଡ଼ିର ମୂଳ ମାଲିକ ରବୀନ୍ଦ୍ରଙ୍କ ଦସ୍ତଖତ କିମ୍ବା ସମ୍ମତି ନଥିଲା । ପରବର୍ତ୍ତୀ ସମୟରେ ପୁରୁଣା ଭୁବନେଶ୍ୱର କୁଞ୍ଜପାଟଣା ସାହିର ପ୍ରିୟକାନ୍ତ ସାମଲ ଉକ୍ତ କାରଟିକୁ ବନୋଜଙ୍କ ଠାରୁ କିଣିଲେ । ପ୍ରିୟକାନ୍ତ ଏହି କାରକୁ ବିଶ୍ୱରଞ୍ଜନ ମିଶ୍ରଙ୍କୁ ବିକିବା ବେଳେ ପୁଲିସ ନଜରରେ ପଡି଼ଥିଲା । ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମୋଟର୍ସରୁ ପୁଲିସ କାରକୁ ଜବତ କରିଥିଲା । ମୋଟର୍ସ ମାଲିକ ପ୍ରିୟକାନ୍ତଙ୍କୁ ପଚରାଉଚରା ବେଳେ ଆଦର୍ଶର କାରସାଦି ସାମ୍ନାକୁ ଆସିଥିଲା ।
ସୌଜନ୍ୟ ପ୍ରମେୟ




