Digital arrest: ଡିଜିଟାଲ୍ ଗିରଫଦାରୀ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ: ଅବହେଳା ଥିଲେ କ୍ଷତି ଭରଣା କରିବ ବ୍ୟାଙ୍କ
ଡିଜିଟାଲ୍ ଗିରଫଦାରୀ ଠକେଇ ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଏଥିରେ ପୀଡ଼ିତ ଗ୍ରାହକ ସହୁଥିବା କ୍ଷତି ପାଇଁ ବ୍ୟାଙ୍କକୁ ଉତ୍ତରଦାୟୀ କରାଯିବା ଉଚିତ। କାରଣ ପୀଡ଼ିତମାନଙ୍କୁ ସୁରକ୍ଷା ପ୍ରଦାନ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଦାୟିତ୍ବ।

ନୂଆଦିଲ୍ଲୀ: ଡିଜିଟାଲ୍ ଗିରଫଦାରୀ ଠକେଇ ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଏଥିରେ ପୀଡ଼ିତ ଗ୍ରାହକ ସହୁଥିବା କ୍ଷତି ପାଇଁ ବ୍ୟାଙ୍କକୁ ଉତ୍ତରଦାୟୀ କରାଯିବା ଉଚିତ। କାରଣ ପୀଡ଼ିତମାନଙ୍କୁ ସୁରକ୍ଷା ପ୍ରଦାନ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଦାୟିତ୍ବ। ବ୍ୟାଙ୍କର ଯାଞ୍ଚ ଓ ସତର୍କତାରେ ଅବହେଳା ଯୋଗୁଁ ଯଦି ଟଙ୍କା ହରାଇବାକୁ ପଡ଼ିଥିବା ଜଣାପଡ଼େ ତା’ହେଲେ ପୀଡ଼ିତ ଯେତିକି ଟଙ୍କା ହରାଇଛନ୍ତି ଅତିକମ୍ରେ ସେତିକି ଟଙ୍କା ବ୍ୟାଙ୍କ ଭରଣା କରିବା ଆବଶ୍ୟକ। ଏଥିସହିତ ବାଧ୍ୟତାମୂଳକ ପ୍ରତିରୋଧ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କାରବାର ସମୟରେ ଆକାଉଣ୍ଟଧାରୀଙ୍କ ଟଙ୍କା ଉଠାଣ ଧାରାଠାରୁ ଯଦି କିଛି ବିଚ୍ୟୁତି ବା ଅସ୍ବାଭାବିକତା ଦେଖାଦିଏ ତା’ହେଲେ ତାହାକୁ ସ୍ଥଗିତ ରଖିବା, ସନ୍ଦିଗ୍ଧ କାରବାର ସମ୍ପର୍କରେ ସ୍ବୟଂ ରିପୋର୍ଟିଂ କରିବା ଏବଂ ସତ୍ୟତା ଯାଞ୍ଚ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ପୀଡ଼ିତଙ୍କ ସୁରକ୍ଷା ଆପଣଙ୍କ ଦାୟିତ୍ବ। କ୍ଷମତାପ୍ରାପ୍ତ ଅଧିକାରୀ ଏ ନେଇ କ’ଣ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି। ବଡ଼ କମ୍ପାନିଙ୍କ କାରବାର ଉପରେ ଆପଣ ନଜର ରଖି ନପାରନ୍ତି। କିନ୍ତୁ ଜଣେ ବ୍ୟକ୍ତି ଯେତେବେଳେ ପୂର୍ବରୁ କେବଳ ୧୦ ହଜାର କିମ୍ବା ୨୦ ହଜାର ଟଙ୍କା ଉଠାଇ ଆସୁଛନ୍ତି ଏବଂ ହଠାତ୍ ୫୦ ହଜାର ଟଙ୍କା ଉଠାନ୍ତି ତାହାକୁ ବ୍ୟାଙ୍କ ନଜରଅନ୍ଦାଜ କରିପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ।
ଜନସ୍ବାର୍ଥ ମାମଲାର ଶୁଣାଣି କରିବା ସମୟରେ ଖଣ୍ଡପୀଠ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଶିକ୍ଷିତ ବ୍ୟକ୍ତିମାନେ କିଭଳି ଡିଜିଟାଲ୍ ଗିରଫଦାରୀ ଠକେଇର ଶିକାର ହେଉଛନ୍ତି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିବା ସହିତ ନିରନ୍ତର ଭାବେ ଏହି ଠକେଇ ଚାଲିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗାମୀ ଶୁଣାଣି ପୂର୍ବରୁ ସମସ୍ତ ଅଧିକୃତ ଆର୍ଥିକ ପ୍ରତିଷ୍ଠାନର ତାଲିକା ଦାଖଲ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସବୁ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ନିର୍ଦ୍ଦେଶନାମା ଜାରି କରିବେ ବୋଲି କହିଛନ୍ତି। ଡିଜିଟାଲ୍ ଗିରଫଦାରୀ ଠକେଇର ଶିକାର ହେଉଥିବା ପୀଡ଼ିତଙ୍କ ଅସ୍ବାଭାବିକ କାରବାର ସଂପର୍କରେ ନିକଟବର୍ତ୍ତୀ ଥାନାକୁ ସତର୍କ କରିବା ଦାୟିତ୍ବ ବ୍ୟାଙ୍କର ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନା ଅଛନ୍ତି।
ସୌଜନ୍ୟ ସମ୍ବାଦ




