Loan default: ଋଣ ଖିଲାପୀଙ୍କ ଘରେ ତାଲା! ୭ ଡିସିମିଲ ଜମି ସହ କୋଠାଘର ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍
ଋଣ ପରିଶୋଧ ନକରିବାର ପରିଣାମ ମିଳିଛି। ଶେଷରେ ବନ୍ଧକ ରଖିଥିବା ଜମି ଓ କୋଠାଘର ଉପରେ ଚଢ଼ିଲା ଏଲ୍ଆଇସି ହାଉସିଂ ଫାଇନାନ୍ସ କାର୍ଯ୍ୟାନୁଷ୍ଠାନ ନେଇଛି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସର ଉପସ୍ଥିତିରେ ଏନଫୋର୍ସମେଣ୍ଟ ଟିମ୍...

ବେତନଟୀ (ଦୀପକ କୁମାର ସିଂହ): ଋଣ ପରିଶୋଧ ନକରିବାର ପରିଣାମ ମିଳିଛି। ଶେଷରେ ବନ୍ଧକ ରଖିଥିବା ଜମି ଓ କୋଠାଘର ଉପରେ ଚଢ଼ିଲା ଏଲ୍ଆଇସି ହାଉସିଂ ଫାଇନାନ୍ସ କାର୍ଯ୍ୟାନୁଷ୍ଠାନ ନେଇଛି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସର ଉପସ୍ଥିତିରେ ଏନଫୋର୍ସମେଣ୍ଟ ଟିମ୍ ସମ୍ପୃକ୍ତ ବନ୍ଧକ ସମ୍ପତ୍ତିର ଭୌତିକ ଦଖଲ ନେବା ସହ ଘରକୁ ସିଲ୍ କରିଛି। ୨୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଓ ସୁଦ୍ଧ ବକେୟା ଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗବପାଳ ଉପକଣ୍ଠ ପାଟପୁର ଅଞ୍ଚଳର ଉଦୟ ମହାନ୍ତଙ୍କ ପୁଅ ସୁକାନ୍ତ କୁମାର ମହାନ୍ତ ଜଣେ ରେଳବାଇ କର୍ମଚାରୀ। ତାଙ୍କ ନାମରେ ଏଲ୍ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ର ବାଲେଶ୍ୱର ଶାଖାରୁ ଋଣ ନିଆଯାଇଥିଲା। ଏହି ଋଣ ବାବଦରେ ପାଟପୁର ଅଞ୍ଚଳରେ ଥିବା ୭ ଡିସିମିଲ ଜମି ସହ ଏକ କୋଠାଘରକୁ ବନ୍ଧକ ରଖାଯାଇଥିଲା।
ତେବେ ଦୀର୍ଘଦିନ ଧରି ଋଣ ପରିଶୋଧ ହୋଇନଥିବାରୁ ବକେୟା ରାଶି ବୃଦ୍ଧି ପାଇଥିଲା। ଏଲ୍ଆଇସି ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ, ଉକ୍ତ ଋଣ ଖାତାରେ ମୋଟ ୧୪ ଲକ୍ଷ ୧୧ ହଜାର ୩୩୨ ଟଙ୍କା ୭୫ ପଇସା ବକେୟା ରହିଥିବାବେଳେ ଏହା ଉପରେ ସୁଧ ଓ ଅନ୍ୟାନ୍ୟ ଅତିରିକ୍ତ ଦେୟ ମିଶି ପ୍ରାୟ ୨୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ରହିଛି।
ଏହି ବକେୟା ଋଣ ଆଦାୟ ପ୍ରକ୍ରିୟାରେ ଭୁବନେଶ୍ୱରସ୍ଥିତ ‘ସିଟି ଇନଭେଷ୍ଟିଗେସନ୍ ଆଣ୍ଡ ଡିଟେକ୍ଟିଭ୍ ଏନଫୋର୍ସମେଣ୍ଟ ଏଜେନ୍ସି ତଥା ବ୍ୟାଙ୍କିଂ ପ୍ରପର୍ଟି ସେଲିଂ ଏଜେନ୍ସି’କୁ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଏଜେନ୍ସିର ଏନଫୋର୍ସମେଣ୍ଟ ଟିମର କେଶବ ଚନ୍ଦ୍ର ପଣ୍ଡା (ଏଲ୍ଆଇସି ଏଚ୍ଏଫ୍ଏଲ୍ ଏନଫୋର୍ସମେଣ୍ଟ ଅଥରିଟି), ରାକେଶ ରଞ୍ଜନ (ଏଲ୍ଆଇସି ଏଚ୍ଏଫ୍ଏଲ୍, ଅଧିକୃତ ଅଧିକାରୀ), ସଞ୍ଜୟ ମିଶ୍ର (ଆଇନ ଅଧିକାରୀ) ଅନ୍ୟାନ୍ୟ କର୍ମଚାରୀମାନେ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ଓ ଇନ୍ସପେକ୍ଟର ବଦ୍ରିକକାନାଥ ବେହେରାଙ୍କ ସହିତ ଏକାଧିକ ସଶସ୍ତ୍ର ପୁଲିସ ଫୋର୍ସ ସହ ପାଟପୁରରେ ପହଞ୍ଚିଥିଲେ। ପରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ବନ୍ଧକ ସମ୍ପତ୍ତିର ଭୌତିକ ଦଖଲ ନେବା ସହ କୋଠାଘରକୁ ସିଲ୍ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




