Farmer Dies due to crop Damage ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଗଲା ୩୭ ଏକର ଫସଲ, ବିଷ ପିଇଦେଲେ ଗଞ୍ଜାମର ଚାଷୀ
ଗଞ୍ଜାମର ଶେରଗଡ଼ ବ୍ଲକ୍ରେ ବାତ୍ୟା ଅର୍ଣ୍ଣବ ଜନିତ ବର୍ଷା ଓ ବନ୍ୟାରେ ୩୭ ଏକର ଫସଲ ନଷ୍ଟ ହୋଇଥିବା ଖବର। ଚାଷୀ ଅର୍ଜୁନ ପଣ୍ଡାଙ୍କ ମୃତ୍ୟୁ ପରେ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା।

ଶେରଗଡ଼(ସୁବ୍ରତ ପଣ୍ଡା): ଧାରଉଧାର କରି ନିଜର ଓ ଭାଗ ଜମିରେ ପରିବା ଏବଂ ଧାନ ଚାଷ କରିଥିଲେ। ‘ଅର୍ଣ୍ଣବ’ ବାତ୍ୟା ଦ୍ବାରା ହୋଇଥିବା ଅବିଶ୍ରାନ୍ତ ବର୍ଷା ଓ ବନ୍ୟାରେ ସବୁ ଧୋଇଗଲା। ଜୀବନରେ ଏଭଳି କ୍ଷତି ପୂର୍ବରୁ ସହି ନଥିଲେ। ଉଜୁଡ଼ା ଜମିକୁ ଦେଖି ନିଜକୁ ସମ୍ଭାଳିପାରିଲେ ନାହିଁ। ଶେଷରେ ଚାଷୀ ଅର୍ଜୁନ ପଣ୍ଡା ବିଷ ପିଇ ଜୀବନ ହାରିଛନ୍ତି। ବର୍ଷା ବିତ୍ପାତରେ ସର୍ବାଧିକ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଏଭଳି ଘଟଣା ଭବିଷ୍ୟତର ଚାଷ ଓ ଚାଷୀଙ୍କ ଉଦ୍ବେଗଜନକ ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଓ ବ୍ଲକ୍ ଅଧୀନ ଡେଙ୍ଗାପଦର ପଞ୍ଚାୟତ ବାକିଲିକଣା ଗ୍ରାମର ଚାଷୀ ଅର୍ଜୁନ ପଣ୍ଡା (୬୨)। ଚଳିତ ବର୍ଷ ନିଜର ୧୨ ଏକର ଜମି ଓ ଭାଗରେ ୨୫ ଏକର ଏଭଳି ମୋଟ ୩୭ ଏକର ଜମିରେ ପନିପରିବା ଏବଂ ଧାନଚାଷ କରିଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। ତେବେ ବାତ୍ୟା ଅର୍ଣ୍ଣବ ଓ ବର୍ଷା ବିତ୍ପାତ ଅର୍ଜୁନଙ୍କ ସମସ୍ତ ସ୍ବପ୍ନକୁ ଧୋଇପୋଛି ମାଟିରେ ମିଶାଇଦେଲା।
ବନ୍ୟାରେ ଫସଲ କ୍ଷତି ହେବା ଦେଖି ଅର୍ଜୁନ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତକାଲି (ଶନିବାର) ସନ୍ଧ୍ୟାରେ ନିଜ ଗୁହାଳରେ କୀଟନାଶକ ପିଇ ଦେଇଥିଲେ। ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଅର୍ଜୁନ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ଆଜି (ରବିବାର) ଅପରାହ୍ନରେ ଗାଁରେ ଅନ୍ତିମ ସତ୍କାର ହୋଇଥିବା ବେଳେ ତହସିଲଦାର ତ୍ରିଦେବ ରଥ ମୃତକଙ୍କ ପରିବାରବର୍ଗକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତାରାଶି ପ୍ରଦାନ କରିଛନ୍ତି।
ସୌଜନ୍ୟ ସମ୍ବାଦ




