Arjun Pradhan’s Criminal Cases ଅପରାଧୀ ଅର୍ଜୁନ ପ୍ରଧାନଙ୍କୁ ଅପରାଧିକ ସାମ୍ରାଜ୍ୟର ଖୋଳତାଡ଼, ନନ୍ଦିପଦାରେ ପହଞ୍ଚିଲା ଉତ୍ତରପ୍ରଦେଶ ପୁଲିସ
ଅର୍ଜୁନ ପ୍ରଧାନଙ୍କ ବିରୋଧରେ ଥିବା ମାମଲାର ତଥ୍ୟ ସଂଗ୍ରହ ପାଇଁ ଉତ୍ତରପ୍ରଦେଶର ଅଲିଗଡ଼ ପୁଲିସ ଟିମ୍ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ପହଞ୍ଚିଛି।

ହାଟଡିହି: କୁଖ୍ୟାତ ଅପରାଧୀ ଅର୍ଜୁନ ପ୍ରଧାନର ଅପରାଧିକ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ ଉତ୍ତରପ୍ରଦେଶ ପୁଲିସ ଆଜି କେନ୍ଦୁଝରଜିଲ୍ଲା ନନ୍ଦିପଦା ଥାନାରେ ପହଞ୍ଚିଛି।
ଆଜି (ଗୁରୁବାର) ଅପରାହ୍ଣରେ ଉତ୍ତରପ୍ରଦେଶ ଅଲିଗଡ଼ ଜିଲ୍ଲା ଇଗ୍ଲାସ ଥାନାର ଏସ.ଆଇ ରାଜେନ୍ଦ୍ର ସିଂ ଏବଂ କ୍ରିଷ୍ଣା ଟିଓଟିଆଙ୍କୁ ନେଇଦୁଇଜଣିଆ ଟିମ୍ ନନ୍ଦିପଦା ଥାନାରେ ପହଞ୍ଚିଥିଲେ। ଅର୍ଜୁନର ଅପରାଧିକ ରେକର୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।
ଏ ସମ୍ପର୍କରେ ନନ୍ଦିପଦା ଥାନାର ଇନ୍ସପେକ୍ଟର ବଳିଆ ବାରିକ କହିଛନ୍ତି ଯେ, ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଅର୍ଜୁନ ପ୍ରଧାନଙ୍କ ନାମରେ ଥାନାରେ ପଞ୍ଜୀକୃତ ବିଭିନ୍ନ ମାମଲା ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ଉତ୍ତରପ୍ରଦେଶ ପୁଲିସକୁ ପ୍ରଦାନ କରାଯାଇଛି। ଏହି ଘଟଣାକୁ ନେଇ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ତଦନ୍ତ ସମ୍ପର୍କିତ ସମନ୍ୱୟ ଜାରି ରହିଥିବା ଜଣାପଡ଼ିଛି।
ଉତ୍ତରପ୍ରଦେଶ ପୁଲିସର ଉପନିରୀକ୍ଷକ ରାଜେନ୍ଦ୍ର ସିଂଙ୍କ ସୂଚନା ଅନୁଯାୟୀ, ଇଗ୍ଲାସ ଥାନାରେ ୭ ଏପ୍ରିଲ ୨୦୨୪ରେ ଜିତେନ୍ଦ୍ର ବାଲିୟାଁଙ୍କ ଅଭିଯୋଗକ୍ରମେ ଅର୍ଜୁନ ପ୍ରଧାନଙ୍କ ନାମରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ନଂ୧୮୮/୨୦୨୪ରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ବିଚାର କରି ଆଲିଗଡ଼ ଅଦାଲତ ୨୮ ସେପ୍ଟେମ୍ବର ୨୦୨୬ରେ ଅର୍ଜୁନଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉତ୍ତରପ୍ରଦେଶ ପୁଲିସ ଅର୍ଜୁନଙ୍କ ଗ୍ରାମକୁ ଯାଇଛନ୍ତି।
ସୂଚନାଯୋଗ୍ୟ, ଅର୍ଜୁନ ପ୍ରଧାନର ଘର ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମ। କେବଳ ଯାଜପୁର ନୁହେଁ ରାଜ୍ୟର ଏକାଧିକ ଜିଲ୍ଲାରେ ଓ ରାଜ୍ୟ ବାହାରେ ଅର୍ଜୁନର ୩୦ରୁ ଅଧିକ ଅପରାଧିକ ରେକର୍ଡ ରହିଛି। ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖରେ ନନ୍ଦିପଦା ପୁଲିସ ସହ ଗୁଳି ବିନିମୟ ଘଟଣାରେ ଅର୍ଜୁନ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ନନ୍ଦିପଦା ଥାନାରେ ତାଙ୍କ ନାମରେ ମାମଲା ନମ୍ବର ୩୯୦/୨୦୨୬ ରୁଜୁ ହୋଇଥିଲା। ୨୦୨୬ ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ଫାଙ୍କା ଗୁଳି ଚଳାଇ ଲୁଟ୍ କରିଥିବା ଅଭିଯୋଗରେ ମଧ୍ୟ ଅର୍ଜୁନଙ୍କ ନାମରେ ସୋସୋ ଥାନାରେ ମାମଲା ନମ୍ବର ୧୭୮/୨୦୨୬ ପଞ୍ଜୀକୃତ ହୋଇଥିଲା।
ସୌଜନ୍ୟ ସମ୍ବାଦ




