ରାଜ୍ୟ

DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

୨୦୧୫-୧୬ ଆର୍ଥିକ ବର୍ଷରୁ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଦେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ସମୃଦ୍ଧ କରିଆସିଥିବା କ୍ରୋମ୍‌ ଉପତ୍ୟକାର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଏବେ ମରଣଯନ୍ତା। ୪୫ କିଲୋମିଟର ରାସ୍ତାରେ...

କାଳିଆପାଣି (ରବି ନାରାୟଣ କର): ୨୦୧୫-୧୬ ଆର୍ଥିକ ବର୍ଷରୁ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଦେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ସମୃଦ୍ଧ କରିଆସିଥିବା କ୍ରୋମ୍‌ ଉପତ୍ୟକାର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଏବେ ମରଣଯନ୍ତା। ୪୫ କିଲୋମିଟର ରାସ୍ତାରେ ୪୫ ମିଟର ନିଖୁଣ ରାସ୍ତା ଖୋଜି ପାଇବା ମୁସ୍କିଲ। ସଡ଼କରେ ୨ଶହରୁ ଅଧିକ ହମ୍ପ୍ସ ସାଙ୍ଗକୁ ୨ ହଜାରୁ ଅଧିକ ଖାଲଖମା ରହିଛି। ମରାମତି ଅଭାବରୁ ଦିନକୁ ଦିନ ଖାଲଖମାର ସଂଖ୍ୟା ଓ ଆକାର ବଢ଼ିବାରେ ଲାଗିଛି।

ସଡ଼କରେ ଥିବା ୬ ସେତୁ ଓ ୧୦ ରୁ ଅଧିକ ବକ୍ସ କଲଭର୍ଟ ବି ଦୁର୍ବଳ ଅବସ୍ଥାରେ ରହିଛି। ଅଧିକାଂଶ ସେତୁ ଓ କଲଭର୍ଟର ଉଭୟ ପାର୍ଶ୍ବରେ ସୁରକ୍ଷା ବାଡ଼ ନାହିଁ। ହେଲେ ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରୁ କ୍ରୋମ୍‌ ପରିବହନକୁ ଫୁରୁସତ ନାହିଁ। ୫୦ ବର୍ଷ ତଳର ପୁରୁଣା ସଡ଼କ ବ୍ୟବସ୍ଥା ଉପରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍‌ ଓ ବାଲେଶ୍ବର ଆଲଏଜ୍ କମ୍ପାନି ଖଣିଜ ପରିବହନ କରି ଡିଏମ୍‌ଏଫ୍‌ ପାଣ୍ଠିକୁ ବିନା ବାଧାରେ ଅର୍ଥ ଯୋଗାଇ ଚାଲିଛନ୍ତି।

୨୦୦୮ ମସିହାରୁ ଏହି ସଡ଼କ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ହେଁ ଏହାର ସ୍ବରୂପ ଓ ସାମର୍ଥ୍ୟରେ ଉନ୍ନତି ଆସିପାରୁନି। ମରାମତି କିମ୍ବା ସଡ଼କର ଉନ୍ନତୀକରଣ ଅଭାବରୁ ବର୍ଷସାରା ସଡ଼କରେ ମାତ୍ରାଧିକ ଧୂଳି ଓ କାଦୁଅର ପ୍ରକୋପ ରହୁଛି। ରାସ୍ତାରୁ ଅଧ କିଲୋମିଟର ଦୂରତାରେ ଥିବା ଜନବସତିରେ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଖଣିଅଞ୍ଚଳବାସୀ ପ୍ରଦୂଷଣ ବଳୟରେ ରହିବାକୁ ବାଧ୍ୟ ହୋଇଛନ୍ତି। ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥାକୁ ନେଇ ଖଣିଅଞ୍ଚଳବାସୀ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି। ନ’ଦେଖିଲେ ବିଶ୍ବାସ କରିହେବନି ଯେ, ଏଠାରେ ଗୋଟିଏ ଜନମଙ୍ଗଳକାରୀ ସରକାର ଅଛି କିମ୍ବା ପୂର୍ବରୁ ଥିଲା ବୋଲି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button