ରାଜ୍ୟ

Andhra elections: ଆନ୍ଧ୍ର ଭୋଟକୁ ନେଇ ସୀମାନ୍ତରେ ଛକାପଞ୍ଝା: କୋଟିଆରେ ଭୋଟରଙ୍କୁ ଅଟକାଇ ପାରିଲେନି

କୋଟିଆରୁ ବୁଥ୍‌ ହଟାଇ ଆନ୍ଧ୍ର ନେ‌ଲେ। କିନ୍ତୁ ଭୋଟରଙ୍କୁ ଅଟକାଇ ପାରିଲେନି। ୩ଟି ଚେକ୍‌ପୋଷ୍ଟ, ୩୦ ପ୍ଲାଟୁନ୍‌ ଫୋର୍ସ ନଜର ସତ୍ତ୍ବେ ଆନ୍ଧ୍ରରେ ମତଦାନ କରିଛନ୍ତି କୋଟିଆବାସୀ।

ପଟାଙ୍ଗି/କୋରାପୁଟ: କୋଟିଆରୁ ବୁଥ୍‌ ହଟାଇ ଆନ୍ଧ୍ର ନେ‌ଲେ। କିନ୍ତୁ ଭୋଟରଙ୍କୁ ଅଟକାଇ ପାରିଲେନି। ୩ଟି ଚେକ୍‌ପୋଷ୍ଟ, ୩୦ ପ୍ଲାଟୁନ୍‌ ଫୋର୍ସ ନଜର ସତ୍ତ୍ବେ ଆନ୍ଧ୍ରରେ ମତଦାନ କରିଛନ୍ତି କୋଟିଆବାସୀ। ନେରେଡ଼ିୱାଲସା, ଫଗୁଣସିନେରୀ, ଫାଟୁସିନେରୀ, ଉପରସେମ୍ବି ଭଳି ୨୧ଟି ଗ୍ରାମରୁ ଆନ୍ଧ୍ରର ସାରିକା ଓ ଟୋନମ୍‌ ବୁଥ୍‌ରେ ମତଦାନ କରିଛନ୍ତି ୩୧% ଭୋଟର। ଭୋଟ ଦେଇ ଫେରିବା ସମୟରେ ସୀମାନ୍ତରେ ଭୋଟର ଓ ନେତାଙ୍କ ମଧ୍ୟରେ କଥା କଟାକଟି ‌ହୋଇଥିଲା। ଓଡ଼ିଶାରେ ରହି ଆନ୍ଧ୍ରରେ ଭୋଟ ଦେଇଥିବାରୁ ତୁରନ୍ତ କୋଟିଆ ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଉପସ୍ଥିତ ଅନ୍ୟ ନେତା, ସ୍ଥାନୀୟ ବାସିନ୍ଦା ମଧ୍ୟ ଭୋଟ ଦେଇଥିବା ଲୋକଙ୍କୁ ବିରୋଧ କରିଥିଲେ। ଫାଟୁସିନେରୀରେ ଗୁରୁବାର ଆନ୍ଧ୍ର-ଓଡ଼ିଶା ପୁଲିସ ମୁହାଁମୁହିଁ ହୋଇଥିଲେ ଓ ଗ୍ରାମବାସୀ ଓଡ଼ିଶା ପ୍ରଶାସନ ପକ୍ଷରୁ ଲାଗିଥିବା ଉନ୍ନୟନମୂଳକ କାର୍ଯ୍ୟର ସୂଚନାଫଳକ ଭାଙ୍ଗି ଦେଇଥିଲେ। ଗୁରୁବାର ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପଦବି ଲାଗି ମତଦାନ ହୋଇଥିଲା। ନେରେଡ଼ିୱାଲସାରୁ ଆନ୍ଧ୍ର ବୁଥ୍‌ ପ୍ରତ୍ୟାହାର ପରେ କୋଟିଆର ୨୧ ଖଣ୍ଡ ଗ୍ରାମର ଭୋଟରଙ୍କ ପାଇଁ ଆନ୍ଧ୍ରର ସାରିକି ଓ ଟୋନମ୍‌ରେ ହୋଇଥିଲା ମତଦାନ କେନ୍ଦ୍ର। ଏହି ୨ଟି କେନ୍ଦ୍ରରେ କୋଟିଆର ୩୧ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ସାରିକା ବୁଥରେ ୧୨୬୦ ଭୋଟରଙ୍କ ମଧ୍ୟରୁ ୩୯୮ ଜଣ ମତଦାନ କରିଛନ୍ତି।

ବୁଧବାରରୁ ନେରେଡ଼ିୱାଲସାରେ ଦିନ ଓ ରାତିରେ ସୀମା ଜଗି ରହିଥିଲେ ସର୍ବଦଳୀୟ ନେତା। ଗୁରୁବାର ସକାଳେ ନେରେଡ଼ିୱାଲସାର କିଛି ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଆନ୍ଧ୍ର ମତଦାନକୁ ସମର୍ଥନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ର। କୋଟିଆ ଓଡ଼ିଶାର ହୋଇଥିବା ସତ୍ତ୍ବେ ଆନ୍ଧ୍ର ବାରମ୍ବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ କୋରାପୁଟ ବିଧାୟକ ରଘୁରାମ ମାଛ। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍‌ କହିଛନ୍ତି, ଓଡ଼ିଶାରେ ଆମେ ବୁଥ୍‌ କରାଇ ଦେଲୁନି। କିନ୍ତୁ ଭୋଟ ଦେବା ଲାଗି ବିଭିନ୍ନ ବାହାନା କରି କୋଟିଆବାସୀ ଆନ୍ଧ୍ରକୁ ଯାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଝିନ ହିକକା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କେସିସି ବ୍ୟାଙ୍କ ସଭାପତି ଈଶ୍ବର ପାଣିଗ୍ରାହୀ ପ୍ରମୁଖ ଆନ୍ଧ୍ରରେ ମତଦାନ କରିଥିବା ଗ୍ରାମବାସୀଙ୍କୁ ବିରୋଧ କରିଥିଲେ।

ଏଣେ ଭୋଟର ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ନେରେଡ଼ିୱାଲସା ଓଡ଼ିଶାର ବୋଲି ଜାଣିନଥିଲୁ। ତେଣୁ ଆନ୍ଧ୍ରରେ ଯାଇ ଭୋଟ ଦେଲୁ। କେବଳ ନେରେଡ଼ିୱାଲସା ନୁହେଁ, ତଳସେମ୍ବି, ପଣୁକୁୱାଲସା, ଧୂଳିପଦର, ତାଡିୱାଲସା, ଦିଗୁଗାବଦର, ଏଟିଗାବଦର, ଉପରପନିକି, ତଳପନିକି, ଉପରସେମ୍ବି ଗାଁର ଭୋଟର ବି ଗଳା ବାଟ ଦେଇ ସାରିକା ବୁଥକୁ ଯାଇ ମତଦାନ କରିଛନ୍ତି। ସୁଙ୍କିରେ ଯାଞ୍ଚ ସମୟରେ ଆନ୍ଧ୍ରକୁ ଯାଉଥିବା ଭୋଟରଙ୍କୁ ପୁଲିସ ଫେରାଇ ଦେଇଥିଲା।

ସେହିପରି ମାଡକାର, ଫାଟୁସିନେରୀ, ଫଗୁଣସିନେରୀ, ଡୋଳିଆମ୍ବ ଭୋଟର ଆନ୍ଧ୍ରର ଟୋନମ ବୁଥ୍‌ରେ ‌ଭୋଟ ଦେଇଛନ୍ତି। ବୁଧବାର ରାତିରୁ ହିଁ ଗ୍ରାମବାସୀ ଘରେ ତାଲା ପକାଇ ଆନ୍ଧ୍ର ଚାଲିଯାଇଥିଲେ। ପୁଣି ଅପରାହ୍ଣରେ ଆନ୍ଧ୍ର ପୁଲିସ ଫାଟୁସିନେରୀକୁ ଆସିଥିବା ବେଳେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ କୈଳାସ କୁଲେଶିକା ପ୍ରମୁଖ ବିରୋଧ କରିବା ପରେ ଫେରି ଯାଇଥିଲେ। ଅନ୍ୟପକ୍ଷରେ କୋରାପୁଟ ଓକିଲ ସଂଘ ମଧ୍ୟ କୋଟିଆରେ ପହଞ୍ଚି ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେଇ ବିରୋଧ କରିଥିଲା। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ ପୂଜାରୀଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button