ରାଜ୍ୟ

Eco Retreats: ଏଥର ୮ଟି ସ୍ଥାନରେ ଇକୋ ରିଟ୍ରିଟ୍‌: ବାଦ୍‌ ପଡ଼ିଲା ଭିତରକନିକା, ପୁଟସିଲ୍‌

ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷର ଇକୋ ରିଟ୍ରିଟ୍‌ ଆୟୋଜନର ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ବର୍ଷ ସାତଟି ସ୍ଥାନରେ ଇକୋ ରିଟ୍ରିଟ୍‌ ହୋଇଥିଲା ବେଳେ ଏଥର ଆଠଟି ଜାଗାରେ କରାଯିବ।

ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷର ଇକୋ ରିଟ୍ରିଟ୍‌ ଆୟୋଜନର ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ବର୍ଷ ସାତଟି ସ୍ଥାନରେ ଇକୋ ରିଟ୍ରିଟ୍‌ ହୋଇଥିଲା ବେଳେ ଏଥର ଆଠଟି ଜାଗାରେ କରାଯିବ। ଗତ ବର୍ଷର ତାଲିକାରୁ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଏବଂ କୋରାପୁଟର ପୁଟସିଲ୍‌କୁ ବାଦ ଦିଆଯାଇଛି। ଯୋଡ଼ି ହୋଇଥିବା ତିନିଟି ନୂଆ ସ୍ଥାନ ହେଲା ତଳମାଳି, କୋଲାବ ଓ କୁସୁମବନ୍ଧ। ଏହା ବାଦ‌ ପୂର୍ବ ପରି ଅନ୍ୟ ପାଞ୍ଚଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ ହେବ। ସେଗୁଡ଼ିକ ହେଲା କୋଣାର୍କ, ସୋନାପୁର, ଦାରିଙ୍ଗିବାଡ଼ି, ହୀରାକୁଦ ଓ ସାତକୋଶିଆ।

ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ଭବନରେ ‘ଇକୋ ରିଟ୍ରିଟ୍‌’ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଉନ୍ନତ ପର୍ଯ୍ୟଟନ ଭିତ୍ତିଭୂମି, ସୁଗମ ପରିଚାଳନା, ଭ୍ରମଣକାରୀଙ୍କୁ ଆରାମଦାୟକ ଅନୁଭୂତି ଓ ରାଜ୍ୟର ବୃଦ୍ଧି ପାଉଥିବା ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ବ ଦେଇଛନ୍ତି।

ବାଦ୍‌ ପଡ଼ିଲା ଭିତରକନିକା, ପୁଟସିଲ୍‌
ଯୋଡ଼ିହେଲା ୩ ନୂଆ ପର୍ଯ୍ୟଟନସ୍ଥଳୀ

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଇକୋ ରିଟ୍ରିଟ୍‌ର ଯୋଜନା ଓ ପରିଚାଳନାରେ ସ୍ଥାନୀୟ ରୋଜଗାରକୁ ମୁଖ୍ୟ ପ୍ରାଥମିକତା ଦିଆଯିବ। ସ୍ଥାନୀୟ ଯୁବକଯୁବତୀ ଓ ସମୁଦାୟଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସହ ପର୍ଯ୍ୟଟନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପରେ ସେମାନଙ୍କୁ ସକ୍ରିୟ ଭାବେ ସାମିଲ କରାଯିବ। ସ୍ଥାନୀୟ କାରିଗର, ଶିଳ୍ପୀ ଓ ଉଦ୍ୟୋଗୀଙ୍କୁ ଏଥିରେ ଯୋଡ଼ାଯିବ। ଇକୋ ରିଟ୍ରିଟ୍‌ ସ୍ଥଳରେ ଆଡ୍‌ଭେଞ୍ଚର ସ୍ପୋର୍ଟସ ଓ ମନୋରଞ୍ଜନମୂଳକ କାର୍ଯ୍ୟର ବ୍ୟବସ୍ଥା କରାଯିବ। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଇକୋ ରିଟ୍ରିଟ୍ ସ୍ଥଳରେ ସିସିଟିଭି ବ୍ୟବସ୍ଥା, ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ସଚିବ ଲିପ୍ସା ଦାସଙ୍କ ସମେତ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ବରିଷ୍ଠ ଅଧିକାରୀ, ବୈଷୟିକ ବିଶେଷଜ୍ଞ ଏବଂ ପର୍ଯ୍ୟଟନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button