Single scene: ଗୋଟାଏ ଦୃଶ୍ୟ ପାଇଁ ଛଅ ବର୍ଷ
ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ‘ରାମାୟଣ’ ଭଲ ଦର୍ଶକ ସମର୍ଥନ ପାଉଛି। ପ୍ରେକ୍ଷାଳୟରେ ସିନେମାଟିକୁ ଦେଖି ଆସିବା ପରେ ତା’ ସହ ଜଡ଼ିତ ଘଟଣାବଳୀକୁ ଜାଣିବା ପାଇଁ ବହୁ ଦର୍ଶକ ଆଗ୍ରହ ପ୍ରକାଶ କରୁଛନ୍ତି।

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ‘ରାମାୟଣ’ ଭଲ ଦର୍ଶକ ସମର୍ଥନ ପାଉଛି। ପ୍ରେକ୍ଷାଳୟରେ ସିନେମାଟିକୁ ଦେଖି ଆସିବା ପରେ ତା’ ସହ ଜଡ଼ିତ ଘଟଣାବଳୀକୁ ଜାଣିବା ପାଇଁ ବହୁ ଦର୍ଶକ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏହାର ସଫଳତା ପଛରେ ରହିଛି ନିଖୁଣ ପ୍ରସ୍ତୁତି। ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ସୀତା ହରଣ ସମୟର ରାବଣ ଓ ଜଟାୟୁଙ୍କ ଯୁଦ୍ଧ ଦୃଶ୍ୟଟିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ପ୍ରାୟ ସାଢ଼େ ୬ ବର୍ଷ ସମୟ ଲାଗିଛି। ଏହି ଗୋଟିଏ ଦୃଶ୍ୟ ପ୍ରସ୍ତୁତ କରିବାରେ ଶହ ଶହ କଳାକାର ଓ ବୈଷୟିକ ବିଶେଷଜ୍ଞ କାମ କରିଛନ୍ତି। ପୁଣି ସବୁଠାରୁ ଅଧିକ ସମୟ ଲାଗିଛି ପୁଷ୍ପକ ବିମାନର ପ୍ରସ୍ତୁତିରେ। ରାବଣଙ୍କ ଏହି ପୌରାଣିକ ଉଡ଼ନ୍ତା ଯାନକୁ ଠିକ୍ ଭାବେ ଚିତ୍ରଣ କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଛି ବୋଲି ନିତେଶ କହିଛନ୍ତି।
ଏଥିପାଇଁ ୪୦ରୁ ୫୦ଟି ଡିଜାଇନ୍ ପ୍ରସ୍ତୁତ କରାଯାଇ ଗୋଟିଏକୁ ଚୂଡ଼ାନ୍ତ କରାଯାଇଥିଲା। ତେଣୁ ପ୍ରାଥମିକ କଳ୍ପନା ଓ ଚୂଡ଼ାନ୍ତ ଦୃଶ୍ୟ ଭିତରେ ରହିଛି ଆକାଶ-ପାତାଳ ପ୍ରଭେଦ।
ପୁଷ୍ପକ ବିମାନଟି କେବଳ ଏକ କାଳ୍ପନିକ ଯାନ ନୁହେଁ, ବରଂ ଉଡ଼ିପାରୁଥିବା ବାସ୍ତବ ଯାନ ସଦୃଶ ଦିଶୁ ବୋଲି ନିର୍ମାତା ଚାହୁଥିଲେ। ସେଥିପାଇଁ ଏହାର ଗଠନକୁ ନେଇ ଦୀର୍ଘ ସମୟ ଧରି କାମ କରାଯାଇଥିଲା। ଅନ୍ୟପକ୍ଷରେ, ଅଭିନେତା ରଣବୀର କପୁର ବି ଭିଏଫ୍ଏକ୍ସ ପ୍ରସ୍ତୁତିରେ କଳାକାରମାନଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଗୋଟିଏ ଫ୍ରେମ୍କୁ ନିଖୁଣ କରିବା ପାଇଁ ହଜାର ହଜାର ଲୋକ ଦିନରାତି ପରିଶ୍ରମ କରୁଥିବା ସେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




