ବିଶେଷ

A unique example: ଅନନ୍ୟ ଉଦାହରଣ: ଦୟା ଧର୍ମ, ସେବା କର୍ମ

ଦୟାଶୀଳତାଠାରୁ ମହାନ୍‌ ଗୁଣ ଆଉ କିଛି ନାହିଁ। ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରି ତା’ ଓଠରେ ଧାରେ ହସ ଭରିଦେବାର ପ୍ରୟାସ କରିପାରୁଥିବା ବ୍ୟକ୍ତି ହିଁ ବାସ୍ତବରେ ମାନବିକତାର ଉଦାହରଣ ଦିଏ। ବିନା ସ୍ୱାର୍ଥରେ କାହାକୁ ସାହାଯ୍ୟର ହାତ ବଢ଼ାଇବା ହିଁ ପ୍ରକୃତ ଦୟାଶୀଳତା।

ଦୟାଶୀଳତାଠାରୁ ମହାନ୍‌ ଗୁଣ ଆଉ କିଛି ନାହିଁ। ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରି ତା’ ଓଠରେ ଧାରେ ହସ ଭରିଦେବାର ପ୍ରୟାସ କରିପାରୁଥିବା ବ୍ୟକ୍ତି ହିଁ ବାସ୍ତବରେ ମାନବିକତାର ଉଦାହରଣ ଦିଏ। ବିନା ସ୍ୱାର୍ଥରେ କାହାକୁ ସାହାଯ୍ୟର ହାତ ବଢ଼ାଇବା ହିଁ ପ୍ରକୃତ ଦୟାଶୀଳତା। ଏହା କେବଳ ଏକ ମାନବୀୟ ଗୁଣ ନୁହେଁ, ବରଂ ମଣିଷ ଭିତରେ ଥିବା ମାନବିକତାର ସର୍ବଶ୍ରେଷ୍ଠ ପରିଚୟ। ଆଜିର ସ୍ବାର୍ଥପର ଦୁନିଆରେ ନିଃସ୍ବାର୍ଥ କାର୍ଯ୍ୟ କରି ସମାଜର ଦୃଷ୍ଟିଆକର୍ଷଣ କରିଥିବା ଦୁଇଜଣ ସାଧାରଣ ଗାଡ଼ିଚାଳକଙ୍କ କାହାଣୀ ସତରେ ଶିକ୍ଷଣୀୟ।

ବନ୍ଦନା ମିଶ୍ର୍ର

ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ୍‌ ପହଞ୍ଚାନ୍ତି
ରାସ୍ତାରେ ଦୁର୍ଘଟଣା‌ର ଶିକାର ହୋଇ କାହାର ସାହାଯ୍ୟ ନପାଇ ଅନେକ ଲୋକଙ୍କ ଜୀବନ ଅକାରଣେ ଚାଲିଯାଏ। ହେଲେ ‌ଦୁର୍ଘଟଣାସ୍ଥଳରେ ଯଦି ସେ ପହଞ୍ଚିଯାଆନ୍ତି, ତେବେ ଲୋକଟିର ବଞ୍ଚିବାର ଆଶା ବଢ଼ିଯାଏ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତାରୁ ଉଠାଇ ହସ୍ପିଟାଲ୍‌ ପର୍ଯ୍ୟନ୍ତ ବୋହି ନେଉଥିବା ଏହି ଯୁବକ ହେଲେ ଜଗତ୍‌ସିଂହପୁର ଜିଲ୍ଲାର ଟ୍ରକ୍‌ ଚାଳକ ପଙ୍କଜ କୁମାର ତରାଇ।  ପ୍ରାୟ ୧୫ ବର୍ଷ ଧରି ଦୁଘର୍ଟଣାରେ ଶିକାର ହେଉଥିବା ଲୋକଙ୍କୁ ବିନା ଦ୍ବିଧାରେ ହସ୍‌ପିଟାଲ୍‌ ପହଞ୍ଚାଉଥିବା ପଙ୍କଜ ଏଯାବତ୍‌ ୧୫୦୦ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ସେଥିରୁ ୧୨୦୦ ଲୋକଙ୍କ ଜୀବନ ବଞ୍ଚିଥିଲା ବେଳେ ଗୁରୁତର ଆହତ ହୋଇଥିବା ପ୍ରାୟ ୩୦୦ ଲୋକଙ୍କୁ ସେ ବଞ୍ଚାଇ ପାରିନାହାନ୍ତି। ପଙ୍କଜଙ୍କ ଏହି ମାନବୀୟ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥିଲା ଏକ ଦୁର୍ଘଟଣା। ୨୦୦୫ ମସିହାର କଥା। ସେ କଟକ-ପାରାଦୀପ ରାସ୍ତା ଦେଇ ଯାଉଥିବାବେଳେ ଭୂତମୁଣ୍ଡାଇ ନିକଟରେ ଏକ ଦୁର୍ଘଟଣା ଦେଖିଥିଲେ। ଏକ ଟ୍ରକ୍‌ ଧକ୍କାରେ ମୋଟରସାଇକେଲ୍‌ରେ ଯାଉଥିବା ଦୁଇଜଣ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କେହି ସେମାନଙ୍କୁ ହସ୍ପିଟାଲ୍‌ ନେବାକୁ ଆଗେଇ ଆସି ନ ଥିଲେ। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ସେମାନଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ପଙ୍କଜ ଅନୁଭବ କରିଥିଲେ। ଏହି ଘଟଣା ପରେ ହିଁ ଆରମ୍ଭ ହୋଇଥିଲା ପଙ୍କଜଙ୍କ ସେବାଯାତ୍ରା। ସେହିଦିନଠାରୁ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ସେ ନିଜ ଜୀବନର ବ୍ରତ କରିନେଇଛନ୍ତି।

କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ହସିଣା ଗାଁର ପଙ୍କଜ ପ୍ରଥମେ ଏକା କାମ କରୁଥିଲେ। ପରେ ତାଙ୍କ ସହ ସ୍ଥାନୀୟ ଯୁବକ, ସ୍ୱେଚ୍ଛାସେବୀ ସଂଗଠନ, ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ଅଗ୍ନିଶମ କର୍ମଚାରୀ ଓ ପୁଲିସ ଯୋଡ଼ି ହୋଇଛନ୍ତି। ନିଜର ବୃତ୍ତିଗତ କାର୍ଯ୍ୟ ତୁଲାଇବା ସହ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଜାରିରଖିଛନ୍ତି ସେ।

ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ନିଅନ୍ତି
ମୟୂରଭଞ୍ଜଜିଲ୍ଲା ସଦର ମହକୁମା ବାରିପଦାର ୩୭ ବର୍ଷୀୟ ଅଟୋ ଚାଳକ ବିନୋଦ ଲୋହାର ବି ରୋଗୀଙ୍କୁ ସ୍ବତଃପ୍ରବୃତ୍ତ ସେବା ଯୋଗାନ୍ତି। ନିଜ ବ୍ୟସ୍ତବହୁଳ ଓ ଅଭାବୀ ସଂସାରରୁ ସମୟ କାଢ଼ି ସେ ପ୍ରତିଦିନ ଗରିବ,  ବୟସ୍କ ଓ ଦିବ୍ୟାଙ୍ଗ ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ନେଇଯାଆନ୍ତି। ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ଣ ୧ଟା ଏବଂ ସନ୍ଧ୍ୟାରେ ଏକ ଘଣ୍ଟା ଏହି ସେବା ଯୋଗାଉଛନ୍ତି ବିନୋଦ। ତେବେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ସମୟ ନାହିଁ। ସେମାନଙ୍କ ପ‌ାଇଁ ଏହି ସେବା ସବୁ ସମୟରେ ଉପଲବ୍ଧ କରାନ୍ତି ବିନୋଦ। ଏଥପାଇଁ ତାଙ୍କୁ କାହା ନିକଟରୁ ଅନୁଦାନ ମିଳେ ନାହିଁ। ଏପରି ମହତ୍‌ କାର୍ଯ୍ୟ ପାଇଁ ନିଜ ରୋଜଗାରରୁ ତେଲ ଖର୍ଚ୍ଚ ବହନ କରୁଥିବା ବିନୋଦ ନିୟମିତ ରକ୍ତଦାନ ମଧ୍ୟ କରନ୍ତି। ଥରେ ରାତିରେ ଜଣେ ଯାତ୍ରୀଙ୍କୁ ଛାଡ଼ି ଘରକୁ ଫେରିବାବେଳେ ବିନୋଦ ଜଣେ ବୟସ୍କ ମହିଳାଙ୍କୁ ତାଙ୍କ ନାତୁଣୀ ସହ ଧୀରେ ଧୀରେ ହସ୍ପିଟାଲ୍‌ ଆଡ଼କୁ ଚାଲିଯାଉଥିବା ଦେଖିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button