Firecracker Discourse: ବାଣ ବିଚାର: ଗ୍ରିନ୍ କ୍ରାକର୍ କ’ଣ? କାହିଁକି ଅପେକ୍ଷାକୃତ ଭଲ
ଯେତେ ଦୀପ ଜଳୁ ପଛକେ ବାଣ ନ ଫୁଟିଲେ ଦୀପାବଳି ଦୀପାବଳି ଭଳି ଲାଗେ ନାହିଁ। ଏଇ ଗୋଟିଏ ଦିନ ସଭିଏଁ ମନଇଚ୍ଛା ବାଣ ଫୁଟାନ୍ତି। କିନ୍ତୁ, ଏଥିଯୋଗୁଁ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ହେଉଛି। ଚଳିତବର୍ଷ ବାଣଫୁଟା ପ୍ରଦୂଷଣ କମାଇବା ଲାଗି...

ଯେତେ ଦୀପ ଜଳୁ ପଛକେ ବାଣ ନ ଫୁଟିଲେ ଦୀପାବଳି ଦୀପାବଳି ଭଳି ଲାଗେ ନାହିଁ। ଏଇ ଗୋଟିଏ ଦିନ ସଭିଏଁ ମନଇଚ୍ଛା ବାଣ ଫୁଟାନ୍ତି। କିନ୍ତୁ, ଏଥିଯୋଗୁଁ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ହେଉଛି। ଚଳିତବର୍ଷ ବାଣଫୁଟା ପ୍ରଦୂଷଣ କମାଇବା ଲାଗି ବିଭିନ୍ନ ରାଜ୍ୟରେ କେବଳ ସାର୍ଟିଫିକେଟ୍ପ୍ରାପ୍ତ ଗ୍ରିନ୍ କ୍ରାକର୍ ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ପଦକ୍ଷେପ ନିଆଯାଇଛି। ନାଗପୁରରେ ଥିବା କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ- ନ୍ୟାସ୍ନାଲ୍ ଏନ୍ଭାଇରୋନ୍ମେଣ୍ଟାଲ୍ ଇଞ୍ଜିନିୟରିଙ୍ଗ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ବା ‘ସିଏସ୍ଆଇଆର୍- ଏନ୍ଇଇଆର୍ଆଇ’ର ବୈଜ୍ଞାନିକମାନେ ଏ ଗ୍ରିନ୍ କ୍ରାକର୍ ତିଆରି କରିଛନ୍ତି। ଗ୍ରିନ୍ କ୍ରାକର୍ ହେଉଛି ଅଳ୍ପ ପରିମାଣର ପ୍ରଦୂଷଣକାରୀ ଉପାଦାନ ଛାଡୁଥିବା ଏକ ପ୍ରକାର ବାଣ। କେମିକାଲ୍ ଫର୍ମୁଲେସନ୍ ବଦଳାଇ ଏବଂ ଅଳ୍ପ ବା ବିକଳ୍ପ କଞ୍ଚାମାଲ୍ ଦ୍ବାରା ଏହା ତିଆରି କରାଯାଏ। ଗ୍ରିନ୍ କ୍ରାକର୍ରେ ୨୯ ପ୍ରତିଶତ ଆଲୁମିନିୟମ୍, ୨୮ ପ୍ରତିଶତ ପଟାସିୟମ୍ ନାଇଟ୍ରେଟ୍, ୩୮ ପ୍ରତିଶତ ସିଏସ୍ଆଇଆର୍-ଏନ୍ଇଇଆରଆଇର ଉପାଦାନ ଏବଂ ୫ ପ୍ରତିଶତ ସଲ୍ଫର୍ ମିଶିଥାଏ।
ସାଧାରଣ ବାଣରେ ପଟାସିୟମ୍ ନାଇଟ୍ରେଟ୍, ବାରିୟମ୍ ନାଇଟ୍ରେଟ୍, ଆଲୁମିନିୟମ୍ ପାଉଡର୍, ସଲ୍ଫର୍ ଓ ଚାର୍କୋଲ୍ ଭଳି ରାସାୟନିକ ପଦାର୍ଥ ଗ୍ରିନ୍ କ୍ରାକର୍ ଠାରୁ ଅଧିକ ପରିମାଣରେ ଥାଏ। ଏଥିରେ ୩୪ ପ୍ରତିଶତ ଆଲୁମିନିୟମ୍, ୫୭ ପ୍ରତିଶତ ପଟାସିୟମ୍ ନାଇଟ୍ରେଟ୍ ଓ ୯ ପ୍ରତି ସଲ୍ଫର୍ ଥାଏ। ଏହି ପଦାର୍ଥ ସବୁ ଜୋର୍ ଶବ୍ଦ କରି ଫୁଟିବା ଓ ଉଜ୍ଜ୍ବଳ ରଙ୍ଗ ଦେଖାଇବାରେ ସାହାଯ୍ୟ କରିଥାଆନ୍ତି। ଏଥିରୁ ବହୁତ ପ୍ରଦୂଷଣକାରୀ ସୂକ୍ଷ୍ମ କଣିକା ଓ ବାଷ୍ପ ବାୟୁମଣ୍ଡଳରେ ମିଶନ୍ତି। ବୈଜ୍ଞାନିକମାନେ ଏସବୁ ମିଶ୍ରଣରେ ଥିବା ବିଷାକ୍ତ ଧାତୁ ପରିମାଣ କମାଇ ଗ୍ରିନ୍ କ୍ରାକର୍ ତିଆରି କରୁଛନ୍ତି। ଏଥିରୁ କଳା, କ୍ଷତିକାରକ ବାଷ୍ପ ଓ ସୂକ୍ଷ୍ମ କଣିକା କମାଇବା ପାଇଁ ଜିଓଲାଇଟ୍ ଓ ଆଇରନ୍ ଅକ୍ସାଇଡ୍ ଭଳି ଉପାଦାନ ମିଶାଯାଉଛି।
‘ସିଏସ୍ଆଇଆର୍- ଏନ୍ଇଇଆର୍ଆଇ’ ତିନିଟି ଶ୍ରେଣୀର ଅନୁମୋଦିତ ଗ୍ରିନ୍ କ୍ରାକର୍ ତିଆରି କରିଛି। ସେଥିରୁ ଗୋଟିଏ ହେଉଛି ୱାସ୍ ବା ସେଫ୍ ୱାଟର୍ ରିଲିଜର୍, ଦ୍ବିତୀୟଟି ଷ୍ଟାର୍ ସେଫ୍ ଥର୍ମାଇଟ୍ କ୍ରାକର୍ ଓ ତୃତୀୟଟି ହେଉଛି ସେଫ୍ ମିନିମାଲ୍ ଆଲୁମିନିୟମ୍। ପରୀକ୍ଷା କରି ଦେଖାଯାଇଛି ଯେ ଗ୍ରିନ୍ କ୍ରାକର୍ରୁ ସାଧାରଣ ବାଣ ଅପେକ୍ଷା ୩୦ରୁ ୪୦ ପ୍ରତିଶତ କମ୍ ପ୍ରଦୂଷଣକାରୀ ବାଷ୍ପ ଓ ସୂକ୍ଷ୍ମ କଣିକା ବାହାରୁଛି। ଫୁଟିଲେ ଏଥିରୁ ୧୨୫ ଡେସିବିଲ୍ରୁ କମ୍ ଶବ୍ଦ ସୃଷ୍ଟି ହୁଏ। ସେ ଶବ୍ଦ ଫୁଟିବା ଜାଗାରୁ ଚାରି ମିଟର୍ କମ୍ ଦୂରଯାଏ ଶୁଭେ।
ଖୋଳ ଉପରେ ଇକୋ-ଫ୍ରେଣ୍ଡ୍ଲି, ଗ୍ରିନ୍, ଅଥବା ପଲୁସନ୍ ଫ୍ରି ଲେଖାଥିବା ବାଣ ଅସଲି ଗ୍ରିନ୍ କ୍ରାକର୍ ବୋଲି ଭାବିବା ଭୁଲ୍। କେବଳ ଲାଇସେନ୍ସ୍ପ୍ରାପ୍ତ ଦୋକାନୀଙ୍କ ଠାରୁ ଗ୍ରିନ୍ କ୍ରାକର୍ କିଣିବା ଉଚିତ। ବାଣ ଖୋଳରେ ଛାପା ଯାଇଥିବା ନିର୍ମାତାଙ୍କ ନଁା, ରେଜିଷ୍ଟ୍ରେସନ୍ ଡିଟେଲ୍ସ୍ ଓ ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସ୍ପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ ଲାଇସେନ୍ସ୍ ଆଦି ଦେଖିବା କଥା। ତା’ଛଡ଼ା, ଗ୍ରାହକମାନେ ଚିହ୍ନିବା ପାଇଁ ଗ୍ରିନ୍ କ୍ରାକର୍ରେ ସିଏସ୍ଆଇଆର୍-ଏନ୍ଇଇଆରଆଇର ସବୁଜ ଲୋଗୋ, ପିଇଏସ୍ଓ ଏବଂ ଏନ୍କ୍ରିପ୍ଟେଡ୍ କ୍ୟୁଆର୍ କୋଡ୍ ଥାଏ। ଦିଲ୍ଲୀ ଟେକ୍ନୋଲୋଜି ୟୁନିଭର୍ସିଟି ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଗ୍ରିନ୍ କ୍ରାକର୍ରୁ ମଧ୍ୟ ଅତି ବହଳିଆ ସୂକ୍ଷ୍ମ କଣିକା ବାହାରୁଛି। ଏହି କଣିକା ୨.୫ ମାଇକ୍ରୋମିଟର୍ ଓ ୧୦ ମାଇକ୍ରୋମିଟର୍ରୁ କମ୍ ଆକାରର କଣିକାଠାରୁ ବେଶି ବିପଜ୍ଜନକ। ତେଣୁ, ଗ୍ରିନ୍ କ୍ରାକର୍କୁ ପୂରା ପ୍ରଦୂଷଣମୁକ୍ତ ଓ କ୍ଷତିକାରକ ନୁହେଁ ବୋଲି କୁହାଯାଇ ପାରିବ ନାହିଁ। ରାସାୟନିକ ଉପାଦାନ କମ୍ କରାଯାଇଥିଲେ ବି ଏହି ବାଣ ଫୁଟିଲା ବେଳେ ପ୍ରଦୂଷଣକାରୀ ସୂକ୍ଷ୍ମ କଣିବା ଓ ବାଷ୍ପ ପବନରେ ମିଶି ଉଡ଼େ। ପରିମାଣ କମ୍ ହେଲେ ବି ଏହି ସୂକ୍ଷ୍ମ କଣିକାଗୁଡ଼ିକର ଆକାର ଓ ରାସାୟନିକ ମିଶ୍ରଣ କ୍ଷତିକାରକ। ପୁଣି ଥରକରେ ଅନେକ ଗ୍ରିନ୍ କ୍ରାକର ଫୁଟିଲେ ଅଧିକ ବାୟୁ ପ୍ରଦୂଷଣ ହୁଏ। ଚଣ୍ଡୀଗଡ଼ର ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚର କମ୍ୟୁନିଟି ମେଡିସିନ୍ ଆଣ୍ଡ୍ ପବ୍ଲିକ୍ ହେଲ୍ଥ୍ ବିଭାଗର ପ୍ରଫେସର୍ ସୋନୁ ଗୋଏଲ୍ ଗ୍ରିନ୍ କ୍ରାକର୍ର ଉପକାର, ଅପକାର ଓ ଏଥିଯୋଗୁଁ ସ୍ବାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ କଥା କହିଛନ୍ତି। ତାଙ୍କ ମତରେ, ବାଣରୁ ନିର୍ଗତ ସୂକ୍ଷ୍ମ କଣିକାଗୁଡ଼ିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସୂକ୍ଷ୍ମ ହୋଇଥିବାରୁ ଏହା ଫୁସ୍ଫୁସ୍ର ଅତି ଭିତରକୁ ପଶିଯାଏ। ଫଳରେ ଶ୍ବାସପ୍ରଶ୍ବାସ ଓ ହୃତ୍ପିଣ୍ଡରେ ସମସ୍ୟା ସୃଷ୍ଟି ହୁଏ। ଛୋଟ ପିଲା, ପ୍ରୌଢ଼ ଓ ଆଜ୍ମା ରୋଗୀ, ସିଓପିଡି ରୋଗୀ ଏବଂ ହୃଦ୍ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ବିପଜ୍ଜନକ।…..
ସୌଜନ୍ୟ ସମ୍ବାଦ




