Cancer Drugs Price Reduction: କ୍ୟାନ୍ସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି: ଶସ୍ତା ହେଲା ଔଷଧ, ୧୩୭ ପ୍ରକାର ଔଷଧର ନୂଆ ମୂଲ୍ୟ ତାଲିକା ଜାରି

ନୂଆଦିଲ୍ଲୀ, ୧୦/୧୧ : କ୍ୟାନ୍ସରର ଚିକିତ୍ସା ବେଶ୍ ମହଙ୍ଗା ହୋଇଥାଏ । ଏହି ସମୟରେ ରୋଗୀ ଏବଂ ସେମାନଙ୍କ ପରିବାରକୁ ଔଷଧ ବାବଦରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ଏଭଳି କ୍ଷେତ୍ରରେ ସରକାର କ୍ୟାନ୍ସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ୧୩୭ ପ୍ରକାର ଔଷଧର ଦାମ୍ କମ୍ କରାଯାଇଛି । ଆଜିଠାରୁ ସେଗୁଡି଼କର ନୂଆ ମୂଲ୍ୟ ତାଲିକା ଜାରି ହୋଇଛି । ଫଳରେ ୧,୩୬୪ କ୍ୟାନସର ନିରୋଧୀ ଫର୍ମୁଲେସନ ଔଷଧର ମୂଲ୍ୟ ୫୦ରୁ ୯୬ ପ୍ରତିଶତ ଯାଏ ଶସ୍ତା ହୋଇଛି ।
ନୂଆ ତାଲିକା ଅନୁସାରେ ୬୭୯ଟି ବ୍ରାଣ୍ଡେଡ୍ ଔଷଧର ଦାମ୍ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗୋଟିଏ ଔଷଧର ଦାମ୍ ସର୍ବାଧିକ ୯୬.୪୫ ପ୍ରତିଶତ କମିଛି । ଏହି ନିଷ୍ପତ୍ତି ଯୋଗୁ କ୍ୟାନ୍ସର ରୋଗୀମାନେ ପ୍ରତିବର୍ଷ ୩୫୪୦.୩୮ କୋଟି ଟଙ୍କା ସଞ୍ଚୟ କରିପାରିବେ । ସ୍ତନ କର୍କଟ ରୋଗୀଙ୍କ ପାଇଁ ବ୍ୟବହୃତ ଔଷଧ ପାଲ୍ବୋ ପ୍ରୋ କ୍ୟାପସୁଲ ମୂଲ୍ୟ ୪୦,୪୨୧ ଟଙ୍କା ରହିଥିଲା ବେଳେ ବର୍ତ୍ତମାନ ତାହା ୨,୭୨୦ ଟଙ୍କାରେ ମିଳୁଛି । ସେହିଭଳି ପ୍ରୋଷ୍ଟେଟ କ୍ୟାନସର ପାଇଁ ବ୍ୟବହୃତ ଔଷଧ ଅବିରନର ମୂଲ୍ୟ ୪୧,୨୫୦ ରହିଥିଲା ବେଳେ ବର୍ତ୍ତମାନ ତାହା ୩,୨୧୮ ଟଙ୍କାରେ ଉପଲବ୍ଧ ହୋଇଛି ।
ଔଷଧର ନୂଆ ଦାମ୍ ସଂପର୍କରେ ଜାଣିବା ଲାଗି କ୍ରେତାମାନେ ପ୍ୟାକେଟ୍ରେ ଛପା ଯାଇଥିବା ଏମ୍ଆର୍ପି (ସର୍ବାଧିକ ଖୁଚୁରା ମୂଲ୍ୟ) ଦେଖିପାରିବେ । ନଚେତ୍ ମୋବାଇଲ୍ରେ ‘ଫାର୍ମା ସହି ଦାମ୍’ ଆପ୍କୁ ଡାଉନଲୋଡ୍ କରି ଔଷଧର ନୂଆ ଦାମ୍ ସଂପର୍କରେ ଜାଣିପାରିବେ । ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଅଥରିଟି (ଏନ୍ସିପିଏ) ର ୱେବସାଇଟ୍ରୁ ମଧ୍ୟ ଏ ସଂପର୍କରେ ଯାଞ୍ଚ କରିହେବ । କୌଣସି ମେଡିକାଲ୍ ଷ୍ଟୋର, ହସ୍ପିଟାଲର ଫାର୍ମାସି ରୋଗୀଙ୍କଠାରୁ ଔଷଧର ନୂଆ ଦାମ୍ଠୁ ଅଧିକ ଟଙ୍କା ନେଇପାରିବେ ନାହିଁ । ଯଦି କେହି ନିର୍ଦ୍ଧାରିତ ଦାମ୍ଠାରୁ ଅଧିକ ମାଗନ୍ତି ତେବେ ‘ଫାର୍ମା ଜନ ଧନ ସମାଧାନ ପୋର୍ଟାଲ’ କିମ୍ବା ୧୮୦୦-୧୧୧-୨୫୫ ହେଲପଲାଇନ୍ ନମ୍ବରକୁ ଫୋନ୍ କରି ଲୋକେ ଅଭିଯୋଗ କରିପାରିବେ ।
ସୌଜନ୍ୟ ପ୍ରମେୟ




