ମନୋରଞ୍ଜନ

Actor Dhanush: ‘ରାମାୟଣ’ରେ ସୀତା ଭୂମିକାକୁ ନେଇ ସାଇ ପଲ୍ଲବୀଙ୍କୁ ଧନୁଷଙ୍କ ସମର୍ଥନ, କହିଲେ ତାଙ୍କ ଭଳି ସୀତା ଆଉ କେହି ହୋଇପାରିବେନି

‘ରାମାୟଣ’ରେ ସୀତା ଭୂମିକାକୁ ନେଇ ସାଇ ପଲ୍ଲବୀଙ୍କ କାଷ୍ଟିଂକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏବେ ଅଭିନେତା ଧନୁଷ ସାଇ ପଲ୍ଲବୀଙ୍କ ସମର୍ଥନରେ ଆଗକୁ ଆସି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

ମୁମ୍ବାଇ: ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ରେ ସୀତାଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବା ସାଇ ପଲ୍ଲବୀ ଏବେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ତାଙ୍କ କାଷ୍ଟିଂକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏବେ ଅଭିନେତା ଧନୁଷ ସାଇ ପଲ୍ଲବୀଙ୍କ ସମର୍ଥନରେ ଆଗକୁ ଆସି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ସାଇଙ୍କ ଭକ୍ତି, ବ୍ୟକ୍ତିତ୍ୱ ଓ ଅଭିନୟ ଦକ୍ଷତାକୁ ପ୍ରଶଂସା କରିବା ସହ ସୀତାଙ୍କ ଭୂମିକାକୁ ନେଇ ହେଉଥିବା ସମାଲୋଚନା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସାଇ ପଲ୍ଲବୀଙ୍କୁ ନେଇ କ’ଣ କହିଲେ ଧନୁଷ?

ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଧନୁଷ ସାଇ ପଲ୍ଲବୀଙ୍କ ସୀତା ଭୂମିକାକୁ ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ନିଜର ମତ ରଖୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ସାଇଙ୍କ ଭୂମିକାକୁ ନେଇ ଏତେ ଚର୍ଚ୍ଚା କାହିଁକି ହେଉଛି, ତାହା ସେ ବୁଝିପାରୁନାହାନ୍ତି। ସୁଟିଂ ସମୟରେ ମଧ୍ୟ ସାଇ ବିରତି ସମୟରେ ଲଗାତାର ଭଗବାନଙ୍କ ପ୍ରାର୍ଥନା କରୁଥିଲେ ବୋଲି ସେ କହିଛନ୍ତି।

ଧନୁଷ କହିଥିଲେ, “ତାଙ୍କ ସୀତା ଭୂମିକାକୁ ନେଇ ଏତେ କଥା ଓ ଚର୍ଚ୍ଚା ହେଉଛି। ମୁଁ ବୁଝିପାରୁନାହିଁ ଏପରି କାହିଁକି ହେଉଛି। ଶୁଟିଂ ସମୟରେ ଗୋଟିଏ ଶଟ୍‌ରୁ ଅନ୍ୟ ଶଟ୍‌ ମଧ୍ୟରେ ମିଳୁଥିବା ବିରତି ସମୟରେ ମଧ୍ୟ ସେ ଲଗାତାର ପ୍ରାର୍ଥନା କରୁଥିଲେ। ଆପଣ ପୂରା ଭାରତରେ ଖୋଜିଲେ ମଧ୍ୟ ତାଙ୍କ ଭଳି ଆଉ ଜଣେ ସୀତାଙ୍କୁ ପାଇବେ ନାହିଁ। ସେ ଭଗବାନଙ୍କ ପ୍ରତି ଗଭୀର ଆସ୍ଥା ରଖୁଥିବା ଜଣେ ନିର୍ମଳ ହୃଦୟର ମଣିଷ। ସେ ଖୁବ୍ ସୁନ୍ଦର ଏବଂ ଜଣେ ଉତ୍କୃଷ୍ଟ କଳାକାର ମଧ୍ୟ।”

ନଅ ବର୍ଷରେ ସାଇ ପଲ୍ଲବୀଙ୍କ ମଧ୍ୟରେ ଆସିଛି ବଡ଼ ପରିବର୍ତ୍ତନ

ଧନୁଷ ସାଇ ପଲ୍ଲବୀଙ୍କ ସହ ନିଜର ପ୍ରଥମ ଫିଲ୍ମ ‘ମାରି ୨’ର ଅନୁଭୂତିକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ, ସେତେବେଳେ ସାଇ ବହୁତ ଶାନ୍ତ ସ୍ୱଭାବର ଥିଲେ ଏବଂ ଖୁବ୍ କମ୍ କଥା କହୁଥିଲେ। କୌଣସି କଥା କହିବା ପୂର୍ବରୁ ସେ ଅନେକ ଥର ଭାବୁଥିଲେ। କିନ୍ତୁ ନଅ ବର୍ଷ ପରେ ଫିଲ୍ମ ‘ଓମ୍‌’ର ସେଟ୍‌ରେ ତାଙ୍କୁ ପୁଣିଥରେ ଭେଟିବା ପରେ ସାଇଙ୍କ ବଦଳିଯାଇଥିବା ବ୍ୟକ୍ତିତ୍ୱ ଦେଖି ଧନୁଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ କହିଥିଲେ, “ଯେତେବେଳେ ମୁଁ ପ୍ରଥମେ ‘ମାରି ୨’ ସମୟରେ ସାଇ ପଲ୍ଲବୀଙ୍କୁ ଭେଟିଥିଲି, ସେତେବେଳେ ସେ ବହୁତ ନିରୀହ ଥିଲେ ଏବଂ ଖୁବ୍ କମ୍ କଥା କହୁଥିଲେ। କିଛି କହିବା ପୂର୍ବରୁ ଅନେକ ଭାବୁଥିଲେ ଏବଂ କଥା ହେବାକୁ ମଧ୍ୟ ସଙ୍କୋଚ କରୁଥିଲେ। କିନ୍ତୁ ନଅ ବର୍ଷ ପରେ ଏହି ଫିଲ୍ମର ସେଟ୍‌ରେ ତାଙ୍କୁ ଭେଟିବା ପରେ ସେ ସମ୍ପୂର୍ଣ୍ଣ ବଦଳି ଯାଇଥିବା ମୁଁ ଦେଖିବାକୁ ପାଇଲି। ସେ ସିନେମା କଳାରେ ସମ୍ପୂର୍ଣ୍ଣ ଭାବେ ପାରଙ୍ଗମ ହୋଇସାରିଥିଲେ। ତାଙ୍କ କଥା କହିବା ଶୈଳୀ, ଚାଲିଚଳନ ଓ ଅଭିବ୍ୟକ୍ତିରେ ଏକ ଭିନ୍ନ ଆତ୍ମବିଶ୍ୱାସ ଏବଂ ପରିପକ୍ୱତା ଦେଖିବାକୁ ମିଳୁଥିଲା। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।”

ନଅ ବର୍ଷ ପରେ ଏକାଠି ନଜର ଆସିବେ ଧନୁଷ ଓ ସାଇ ପଲ୍ଲବୀ

ପ୍ରକୃତରେ ଧନୁଷ ଓ ସାଇ ପଲ୍ଲବୀ ଖୁବ୍‌ଶୀଘ୍ର ଫିଲ୍ମ ‘ଓମ୍‌’ରେ ଏକାଠି ନଜର ଆସିବେ। ପ୍ରାୟ ନଅ ବର୍ଷ ପରେ ଉଭୟ ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ସେମାନେ ‘ମାରି ୨’ ଫିଲ୍ମରେ ଏକାଠି ଅଭିନୟ କରିଥିଲେ। ଫିଲ୍ମର ପ୍ରି-ରିଲିଜ୍‌ ଇଭେଣ୍ଟରେ ଧନୁଷ ସାଇ ପଲ୍ଲବୀଙ୍କ ସହ କାମ କରିବାର ଅନୁଭୂତି ବାଣ୍ଟିବା ସହ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button