ଦେଶ ବିଦେଶ

Clinton: କ୍ଲିଣ୍ଟନଙ୍କ ନଜର ଥିଲା ସୁନ୍ଦରୀ ମହିଳାଙ୍କ ଉପରେ: ସୋନିଆ

୨୦୦୦ରେ କ୍ଲିଣ୍ଟନ ଭାରତ ଆସିଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ସମ୍ମାନରେ ଏକ ସ୍ବତନ୍ତ୍ର ଭୋଜିର ଆୟୋଜନ କରିଥିଲେ। ସେହି ସମାରୋହରେ କ୍ଲିଣ୍ଟନଙ୍କ ଆଖି ବାରମ୍ବାର ଉପସ୍ଥିତ ସୁନ୍ଦରୀ ମହିଳାଙ୍କ ଉପରେ ପଡ଼ୁଥିବା ସୋନିଆ ଲକ୍ଷ୍ୟ କରିଥିଲେ।

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଭାରତ ଗସ୍ତ ସମୟର ଏକ ରୋଚକ ଅନୁଭୂତିକୁ ନିଜ ଆତ୍ମଜୀବନୀରେ ସ୍ଥାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ୨୦୦୦ରେ କ୍ଲିଣ୍ଟନ ଭାରତ ଆସିଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ସମ୍ମାନରେ ଏକ ସ୍ବତନ୍ତ୍ର ଭୋଜିର ଆୟୋଜନ କରିଥିଲେ। ସେହି ସମାରୋହରେ କ୍ଲିଣ୍ଟନଙ୍କ ଆଖି ବାରମ୍ବାର ଉପସ୍ଥିତ ସୁନ୍ଦରୀ ମହିଳାଙ୍କ ଉପରେ ପଡ଼ୁଥିବା ସୋନିଆ ଲକ୍ଷ୍ୟ କରିଥିଲେ। ମୋନିକା ଲେୱିନସ୍କି ବିବାଦର ଚର୍ଚ୍ଚା କିଛିଟା ଥମିଯାଇଥିଲେ ମଧ୍ୟ ପୁରୁଣା ଅଭ୍ୟାସ ଏତେ ସହଜରେ ଯାଏ ନାହିଁ ବୋଲି ସେ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍‌’ରେ ଲେଖିଛନ୍ତି। ଏହାବ୍ୟତୀତ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି ଓ ବ୍ରିଟେନର ରାଜକୁମାରୀ ଡାଏନାଙ୍କ ସହ ତାଙ୍କର ସାକ୍ଷାତ୍ ଓ ଅନୁଭୂତି ସମ୍ପର୍କରେ ମଧ୍ୟ ସୋନିଆ ଅନେକ ରୋଚକ ତଥ୍ୟ ଉଲ୍ଲେଖ କରିଛନ୍ତି।

୨୦୦୦ରେ କ୍ଲିଣ୍ଟନ ତାଙ୍କ ଝିଅ ଚେଲ୍‌ସି ଓ ଆମେରିକୀୟ ପ୍ରତିନିଧିମଣ୍ଡଳ ସହ ଦିଲ୍ଲୀର ଶେରାଟନ୍ ହୋଟେଲରେ ରହୁଥିଲେ। ସେତେବେଳେ ସୋନିଆ ତତ୍କାଳୀନ ବୈଦେଶିକ ମନ୍ତ୍ରୀଙ୍କ ସହ ତାଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲେ। କ୍ଲିଣ୍ଟନ ଖୁବ୍ ମିଳାମିଶା ସ୍ବଭାବର ଥିଲେ। କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଭାରତର ମତ ଶୁଣିବା ଅପେକ୍ଷା ନିଜର ମତ ଜଣାଇବାକୁ ସେ ଅଧିକ ଆଗ୍ରହୀ ଥିଲେ। କାଶ୍ମୀରକୁ ସେ ‘ପରମାଣୁ ଯୁଦ୍ଧର ସମ୍ଭାବ୍ୟ କେନ୍ଦ୍ର’ ଏବଂ ବିଶ୍ବର ସବୁଠାରୁ ବିପଜ୍ଜନକ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି କହିଥିବା ସୋନିଆ ଲେଖିଛନ୍ତି।
କ୍ଲିଣ୍ଟନଙ୍କ ସମ୍ପର୍କରେ ଏହି ଅନୁଭୂତି ବ୍ୟତୀତ ୨୦୦୮ରେ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜିଙ୍କ ସମ୍ପର୍କରେ ମଧ୍ୟ ସୋନିଆ ଲେଖିଛନ୍ତି। ସେତେବେଳେ ସାର୍କୋଜି ନିଜ ସାଥୀ କାର୍ଲା ବ୍ରୁନିଙ୍କୁ ସାଙ୍ଗରେ ଆଣି ନ ଥିଲେ। ଦୁହେଁ ବିବାହ କରି ନ ଥିବାରୁ ସରକାରୀ କାର୍ଯ୍ୟକ୍ରମରେ ଅସୁବିଧା ହୋଇପାରେ ବୋଲି ତାଙ୍କୁ ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା। ଭୋଜି ସମୟରେ ଉପରାଷ୍ଟ୍ରପତି ମହମ୍ମଦ ଅନସାରୀଙ୍କ ପତ୍ନୀ ସାର୍କୋଜିଙ୍କୁ ବିବାହ ଯୋଜନା ଓ କାର୍ଲାଙ୍କୁ ମନେ ପକାଉଛନ୍ତି କି ନାହିଁ ବୋଲି ହସି ହସି ପଚାରିଥିଲେ। ସାର୍କୋଜି ମଧ୍ୟ ମୋବାଇଲ୍‌ରେ କାର୍ଲାଙ୍କ ସହ ବାର୍ତ୍ତା ଆଦାନପ୍ରଦାନ କରି ଏହାର ଉତ୍ତର ଦେଇଥିଲେ। କିଛି ବର୍ଷ ପରେ ମନମୋହନ ସିଂହଙ୍କ ଦ୍ବାରା ଆୟୋଜିତ ଏକ ବ୍ୟକ୍ତିଗତ ଭୋଜିରେ ଉଭୟ ସ୍ବାମୀ-ସ୍ତ୍ରୀ ଭାବେ ଯୋଗ ଦେଇଥିଲେ। ସାର୍କୋଜି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଉପଦେଶ ଦେବା ଭଳି ଢଙ୍ଗରେ କଥା ହେଉଥିବାରୁ ତାଙ୍କ ଆଚରଣକୁ ସୋନିଆ ଅହଂକାରପୂର୍ଣ୍ଣ ବୋଲି ଅନୁଭବ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button