ଦେଶ ବିଦେଶ

Attack: ଲାଲକିଲ୍ଲା ବିସ୍ଫୋରଣକୁ ବର୍ଷେ ପୁରିଲା : ନ୍ୟାୟ ଅପେକ୍ଷାରେ ମୃତକଙ୍କ ପରିବାର, ହଟୁନି ଦୁଃଖର କଳାବାଦଲ

ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣକୁ ଇତିମଧ୍ୟରେ ଏକ ବର୍ଷ ପୂରିଛି। ହେଲେ ଏଥିରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ପରିବାର ଉପରୁ ଦୁଃଖର କଳାବାଦଲ ଏଯାଏ ହଟିନାହିଁ।

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣକୁ ଇତିମଧ୍ୟରେ ଏକ ବର୍ଷ ପୂରିଛି। ହେଲେ ଏଥିରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ପରିବାର ଉପରୁ ଦୁଃଖର କଳାବାଦଲ ଏଯାଏ ହଟିନାହିଁ। ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣା ସହ ଆର୍ଥିକ ଅନିଶ୍ଚିତତା ଓ ନ୍ୟାୟ ପାଇବାରେ ବିଳମ୍ବ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାକୁ ଜୀବିକା ପାଇଁ ଦିଲ୍ଲୀ ଛାଡ଼ି ଗାଁକୁ ଫେରିବାକୁ ପଡ଼ିଛି ତ ଆଉ କିଏ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ସଂଘର୍ଷ କରୁଛନ୍ତି।

୨୦୨୫ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖ ଛକ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଜମ୍ମୁ-କାଶ୍ମୀରର ମୂଳ ବାସିନ୍ଦା ଡାକ୍ତର ଉମର-ଉନ୍-ନବୀ ଉକ୍ତ ଗାଡ଼ିରେ ଥିଲେ। ଘଟଣାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲା ରୁଜୁ କରିଥିଲା। ଗତବର୍ଷ ଡିସେମ୍ବର ସୁଦ୍ଧା ଷଡ଼ଯନ୍ତ୍ର ଓ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ଏନ୍‌ଆଇଏ ୧୧ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ କେତେକ ଫରିଦାବାଦସ୍ଥିତ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ କିମ୍ବା ଅଧ୍ୟାପନା କରୁଥିଲେ।

ଏହି ମାମଲାରେ ଏନ୍‌ଆଇଏ ଏଯାଏ ୧୩ ଜଣଙ୍କ ବିରୋଧରେ ତିନୋଟି ଚାର୍ଜସିଟ୍‌ ଦାଖଲ କରିଛି। ‘ଅପରେସନ୍‌ ହେଭେନ୍‌ଲି ହିନ୍ଦ୍‌’ ନାମରେ ଏକ ଷଡ଼ଯନ୍ତ୍ର ରଚାଯାଇଥିବା ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି। ବିସ୍ଫୋରଣରେ ଅମର କଟାରିଆ, ବିନୟ ପାଠକ, ଅଶୋକ କୁମାର, ମହମ୍ମଦ ଲୁକମାନ, ଲୋକେଶ କୁମାର, ଜୁମ୍ମନ ମହମ୍ମଦ, ଦିନେଶ କୁମାର ମିଶ୍ର, ନୋମାନ ଅନସାରୀ, ମୋହସିନ ମଲିକ, ପଙ୍କଜ ସାଇନି ଓ ବିଲାଲ ଅହମ୍ମଦ ସାଙ୍ଗୁଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ।

ମୃତକଙ୍କ ପରିବାରର ଦୁର୍ଦ୍ଦଶା ଏବେ ସାମ୍ନାକୁ ଆସିଛି। ଦିଲ୍ଲୀ ପରିବହନ ନିଗମ (ଡିଟିସି)ରେ କଣ୍ଡକ୍ଟର ଥିବା ଅଶୋକ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ୨୬ ବର୍ଷୀୟା ସୋନମ ଦେବୀ ଦୁଇ ପିଲାଙ୍କୁ ନେଇ ଦିଲ୍ଲୀ ଛାଡ଼ି ଉତ୍ତରପ୍ରଦେଶର ଆମରୋହାସ୍ଥିତ ବାପଘରକୁ ଫେରିଯାଇଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ଥିଲେ ଅଶୋକ। ତାଙ୍କ ପରିବାର ପକ୍ଷରୁ କୌଣସି ସହଯୋଗ ନ ମିଳିବାରୁ ଏପ୍ରିଲରେ ସେ ବାପଘରକୁ ଫେରିଥିବା କହିଛନ୍ତି। ଦିଲ୍ଲୀ ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା କ୍ଷତିପୂରଣରୁ ୫ ଲକ୍ଷ ଟଙ୍କା ଅଶୋକଙ୍କ ପରିବାର ନେଇଥିବାବେଳେ ଅବଶିଷ୍ଟ ଟଙ୍କା ସେ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button