- ୩୦ ନଭେମ୍ବର ୨୦୨୬ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ
- ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସଂଶୋଧନ ଓ ଆପତ୍ତି ଦାଖଲ
- ୧୬ ଜାନୁଆରି ୨୦୨୭ ସୁଦ୍ଧା ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା
- ୨୧ ଜାନୁଆରି ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
- ରାଜ୍ୟନୈତିକ ଦଳର ଆପତ୍ତି ନିମନ୍ତେ ୭ ଦିନର ସମୟ
- ଆଧାର ନମ୍ବନର ଦାଖଲ ନକରି ମଧ୍ୟ କରିପାରିବେ ଆବେଦନ
- ଆବେଦନକାରୀମାନେ ଉଭୟ ଅଫ୍ଲାଇନ୍ ଓ ଅନଲାଇନ୍ରେ ଆବେଦନ କରିପାରିବେ
- ସ୍ଥାପିତ ହେବ ଜିଲ୍ଲାସ୍ତରୀୟ ଓ ନିର୍ବାଚନମଣ୍ଡଳୀସ୍ତରୀୟ ଭୋଟର ସହାୟତା କେନ୍ଦ୍ର
ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ୨୦୨୭ ମସିହା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଏସଆର) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ୧ ଜାନୁଆରି ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।
ଏନେଇ ଆଜି (ମଙ୍ଗଳବାର) ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ଯ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ଏବଂ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।
ବୈଠକରୁ ମିଳିଥିବା ତଥ୍ୟାନୁସାରେ, ୮ ନଭେମ୍ବର ୨୦୨୬ ସୁଦ୍ଧା ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩,୧୯,୧୨,୬୨୩ ରହିଛି। ସେଥିମଧ୍ୟରୁ ପୁରୁଷ ଭୋଟର ୧,୬୨,୫୧,୪୪୩ ଏବଂ ମହିଳା ଭୋଟର ୧,୫୬,୫୮,୪୦୫ ଅଛନ୍ତି। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨,୭୭୫ ରହିଛି। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ରହିଛି।
ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ୨୦ ନଭେମ୍ବର ୨୦୨୬ ସୁଦ୍ଧା ଶେଷ ହେବ। ୩୦ ନଭେମ୍ବର ୨୦୨୬ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୧୬ ଜାନୁଆରି ୨୦୨୭ ସୁଦ୍ଧା କରାଯିବ। ଶେଷରେ ୨୧ ଜାନୁଆରି ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଫର୍ମର ବ୍ୟବସ୍ଥା କରାଯାଇଛି। ଫର୍ମ-୬ ମାଧ୍ୟମରେ ଆବେଦନ କରି ଯୋଗ୍ୟ ଭୋଟର ମାନେ ନିଜର ନାମ ଭୋଟର ତାଲିକାରେ ସାମିଲ କରିପାରିବେ। ଫର୍ମ-୬ଏ ରେ ବିଦେଶରେ ରହୁଥିବା ଭାରତୀୟ ଭୋଟରଙ୍କ ନାମ ପଞ୍ଜୀକରଣ କରାଯାଇପାରିବ।