ରାଜ୍ୟ

Unemployment: ସହର‌‌ରେ ବେକାରି ଚିନ୍ତାଜନକ: ଜାତୀୟ ହାରଠୁ ଓଡ଼ିଶାରେ ଅଧିକ, ବଢ଼ୁଛି ସହର, ମିଳୁନି ଚାକିରି

ଓଡ଼ିଶାରେ ବେକାରି ସମସ୍ୟାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମନାକୁ ଆସିଛି। ରାଜ୍ୟର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରି ସମସ୍ୟା ଅଧିକ ରହିଛି। ବିଶେଷକରି ସହରର ମହିଳାମାନେ ନିଯୁକ୍ତି ସୁଯୋଗ ପାଇବାରେ ଅଧିକ ସମସ୍ୟାର ସାମନା କରୁଛନ୍ତି।

ଭୁବନେଶ୍ବର: ଓଡ଼ିଶାରେ ବେକାରି ସମସ୍ୟାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମନାକୁ ଆସିଛି। ରାଜ୍ୟର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରି ସମସ୍ୟା ଅଧିକ ରହିଛି। ବିଶେଷକରି ସହରର ମହିଳାମାନେ ନିଯୁକ୍ତି ସୁଯୋଗ ପାଇବାରେ ଅଧିକ ସମସ୍ୟାର ସାମନା କରୁଛନ୍ତି। ୨୦୨୬ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାର ସହରାଞ୍ଚଳ ବେକାରି ହାର ୮.୧% ରହିଛି। ଏହା ଜାତୀୟ ହାର ୬.୮%ଠାରୁ ୧.୩% ଅଧିକ। ଆହୁରି ଚିନ୍ତାର ବିଷୟ ହେଉଛି ଯେ ସହରାଞ୍ଚଳରେ ମହିଳା ବେକାରି ହାର ୧୧% ଭଳି ଉଚ୍ଚସ୍ତରରେ ରହିଛି। ଅନ୍ୟପକ୍ଷରେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୭.୧% ରହିଛି। ସହରାଞ୍ଚଳରେ ନିଯୁକ୍ତି ସୁଯୋଗର ଅଭାବ ଓ ମହିଳାଙ୍କ କମ୍‌ ଶ୍ରମଶକ୍ତି ଅଂଶଗ୍ରହଣ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ସହରରେ ମହିଳାଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦକ୍ଷତା ଅନୁଯାୟୀ କାମ ଯୋଗାଇବା ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ନେଇ ହୋଇଥିବା ସର୍ଭେରେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଓଡ଼ିଶାର ମୋଟ ବେକାରି ହାର ୪% ରହିଛି। ଏହା ଜାତୀୟ ହାର ୫.୧%ଠାରୁ କମ୍। ତେବେ ରାଜ୍ୟର ମୋଟ ବେକାରି ହାର କମ୍ ଥିଲେ ମଧ୍ୟ ସହରାଞ୍ଚଳର ସ୍ଥିତି ଚିନ୍ତା ବଢ଼ାଇଛି। ଗ୍ରାମାଞ୍ଚଳରେ ପୁରୁଷଙ୍କ ବେକାରି ହାର ୩.୮% ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୨.୬% ରହିଛି। ଅର୍ଥାତ୍ ଗ୍ରାମାଞ୍ଚଳରେ ପୁରୁଷଙ୍କ ତୁଳନାରେ କମ୍ ମହିଳା ବେକାର ରହିଛନ୍ତି। କିନ୍ତୁ ସହରାଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସହରରେ ମହିଳା ବେକାରି ହାର ୧୧% ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୭.୧% ରହିଛି। ଜାତୀୟ ସ୍ତରରେ ମହିଳା ବେକାରି ହାର ୮.୮% ଥିବାରୁ ଓଡ଼ିଶାର ସ୍ଥିତି ଏ କ୍ଷେତ୍ରରେ ଅଧିକ ଖରାପ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ କେରଳରେ ବେକାରି ହାର ସର୍ବାଧିକ ୮.୭% ଓ କର୍ଣ୍ଣାଟକରେ ସର୍ବନିମ୍ନ ୨.୮% ରହିଛି। ଓଡ଼ିଶାର ମୋଟ ବେକାରି ହାର ୪% ଥିବାରୁ ଏହା ଜାତୀୟ ହାରଠାରୁ କମ୍ ରହିଛି।

ଜାତୀୟ ହାରଠୁ ଓଡ଼ିଶାରେ ଅଧିକ
ମହିଳାଙ୍କ ବେରୋଜଗାରୀ ୧୧%
ବଢ଼ୁଛି ସହର, ମିଳୁନି ଚାକିରି

ରାଜ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲ୍‌ଏଫ୍‌ପିଆର୍‌) ୪୫.୩% ରହିଛି। ଏହା ଜାତୀୟ ହାର ୪୨.୩%ଠାରୁ ଅଧିକ। ଏହି ହାର ଦର୍ଶାଉଛି ଯେ ୧୫ ବର୍ଷରୁ ଅଧିକ ବୟସର କେତେ ଲୋକ କାମ କରୁଛନ୍ତି କିମ୍ବା କାମ ପାଇବାକୁ ଚେଷ୍ଟା କରୁଛନ୍ତି। ଗ୍ରାମାଞ୍ଚଳରେ ଏହି ହାର ୪୬.୭% ଥିବାବେଳେ ସହରାଞ୍ଚଳରେ ୩୮.୩% ରହିଛି। ଗାଁରେ ପୁରୁଷଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ହାର ୫୯.୫% ଓ ମହିଳାଙ୍କ ୩୪.୫% ରହିଛି। ସେହିପରି ସହରରେ ପୁରୁଷଙ୍କ ହାର ୫୭.୬% ଥିବାବେଳେ ମହିଳାଙ୍କ ହାର ମାତ୍ର ୧୯.୪% ରହିଛି। ଅର୍ଥାତ୍ ସହରାଞ୍ଚଳରେ ମହିଳାଙ୍କ ଶ୍ରମଶକ୍ତିରେ ଭାଗିଦାରୀ ପୁରୁଷଙ୍କ ତୁଳନାରେ ବହୁତ କମ୍ ରହିଛି। ଅନ୍ୟପକ୍ଷରେ ଓଡ଼ିଶାର ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲ୍ୟୁପିଆର୍‌) ୪୩.୫% ରହିଛି। ଏହା ଜାତୀୟ ହାର ୪୦.୧%ଠାରୁ ଅଧିକ। ଏହି ଅନୁପାତ ମୋଟ ଜନସଂଖ୍ୟା ମଧ୍ୟରୁ କେତେ ଲୋକ ପ୍ରକୃତରେ କାମ କରୁଛନ୍ତି ତାହା ଦର୍ଶାଉଛି। ଗ୍ରାମାଞ୍ଚଳରେ ଏହା ୪୫.୨% ଓ ସହରାଞ୍ଚଳରେ ୩୫.୨% ରହିଛି।

ଏ ସମ୍ପର୍କରେ ଅଜିମ୍‌ ପ୍ରେମଜୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପ୍ରଭାସ ମିଶ୍ର କହିଛନ୍ତି, ଏହି ରିପୋର୍ଟ ଦର୍ଶାଉଛି ଯେ ଓଡ଼ିଶାରେ ଯଦିଓ ସହରୀକରଣ ବଢ଼ୁଛି, କିନ୍ତୁ ସେହି ଅନୁସାରେ ନିଯୁକ୍ତି ବଢ଼ୁନାହିଁ। ଲୋକମାନଙ୍କୁ କାମ ଯୋଗାଇବା ପାଇଁ ଶିଳ୍ପ କିମ୍ବା ସେବା କ୍ଷେତ୍ର ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିପାରୁନାହିଁ। ଏହା ଏକ ଚିନ୍ତାଜନକ ଧାରା। ସହରକୁ କାମଧନ୍ଦା ସନ୍ଧାନରେ ଅଧିକ ଲୋକ ଆସି‌ବେ, କିନ୍ତୁ ସେମାନଙ୍କୁ ଯଦି କାମ ନ ମିଳିବ ତେବେ ସହରାଞ୍ଚଳ ଦାରିଦ୍ର୍ୟ ବଢ଼ିବ। ସେହିପରି ମହିଳା ବେକାରି ହାର ଅଧିକ ରହିବା ସମ୍ପର୍କରେ ସେ କହିଥିଲେ, ଏଥିରୁ ଏହା ଜଣାପଡ଼ୁଛି ଯେ ନିଯୁକ୍ତିଦାତାମାନେ ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କର୍ମକ୍ଷେତ୍ରରେ ସୁରକ୍ଷା ଓ କର୍ମକ୍ଷେତ୍ରକୁ ଯାତାୟାତ କରିବା ସୁବିଧା ମଧ୍ୟ ମହିଳା ବେକାରି ବଢ଼ିବା ଅନ୍ୟତମ କାରଣ। ଅଧିକାଂଶ ମାମଲାରେ ବିବାହ ପରେ ମହିଳାମାନେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିପାରୁନାହାନ୍ତି। ସେମାନଙ୍କୁ ପୁନର୍ବାର ସ୍ବାଗତ କରିବା ଭଳି ପରିବେଶ ସୃଷ୍ଟି ହୋଇପାରୁନାହିଁ। ଏହି ଧାରାରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଅଂଶୀଦାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button