Israel: ଶତ୍ରୁ ଶିବିରରେ କମ୍ପନ: ଇସ୍ରାଏଲର ସବୁଠୁ ମାରାତ୍ମକ କ୍ରୁଜ୍ ମିସାଇଲ୍ ”ସୁପର୍ ଆଇସ୍” ଅନାବୃତ
ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା ଉପକରଣ ନିର୍ମାତା ସଂସ୍ଥା ''ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ'' ବୁଧବାର ସକାଳେ ଏକ ଅତ୍ୟାଧୁନିକ ଦୂରଗାମୀ କ୍ରୁଜ୍ ମିସାଇଲ୍ ''ସୁପର୍ ଆଇସ୍''ର ଅନାବରଣ କରିଛି।

ତେଲ୍ ଅଭିଭ୍: ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା ଉପକରଣ ନିର୍ମାତା ସଂସ୍ଥା ‘ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ’ ବୁଧବାର ସକାଳେ ଏକ ଅତ୍ୟାଧୁନିକ ଦୂରଗାମୀ କ୍ରୁଜ୍ ମିସାଇଲ୍ ‘ସୁପର୍ ଆଇସ୍’ର ଅନାବରଣ କରିଛି। ପୂର୍ବ ମିସାଇଲଗୁଡ଼ିକ ତୁଳନାରେ ଏହା ଅଧିକ ଓଜନର ବିସ୍ଫୋରକ ବହନ କରିବା ସହ ଦୂରଗାମୀ ସାମରିକ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଥିବା ନେଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ସେନାକୁ ମିଳିବ ସର୍ବାଧିକ କାର୍ଯ୍ୟକ୍ଷମ ସ୍ୱାଧୀନତା
ସଂସ୍ଥାର ଦାବି ଅନୁଯାୟୀ, ‘ସୁପର୍ ଆଇସ୍’ ମିସାଇଲରେ ‘ମାର୍କ ୮୩’ ବୋମା ସହ ସାମଞ୍ଜସ୍ୟ ରଖୁଥିବା ପ୍ରାୟ ୧,୦୦୦ ପାଉଣ୍ଡ ଓଜନର ୱାରହେଡ୍ ବ୍ୟବହାର କରାଯାଇପାରିବ। ଏହି ମିସାଇଲକୁ ଯୁଦ୍ଧବିମାନ, ନୌସେନା ଯୁଦ୍ଧପୋତ ଏବଂ ଭୂପୃଷ୍ଠସ୍ଥିତ ଲଞ୍ଚର ଭଳି ବିଭିନ୍ନ ପ୍ଲାଟଫର୍ମରୁ ନିକ୍ଷେପ କରାଯାଇପାରିବ, ଯାହା ସେନାକୁ ସର୍ବାଧିକ କାର୍ଯ୍ୟକ୍ଷମ ସ୍ୱାଧୀନତା ପ୍ରଦାନ କରିବ। ଏହା ପୂର୍ବରୁ ରାଫେଲ୍ ଦ୍ୱାରା ବିକଶିତ ‘ଆଇସ୍ ବ୍ରେକର୍’ ଏବଂ ‘ସି ବ୍ରେକର୍’ ମିସାଇଲଗୁଡ଼ିକ ୨୫୦ ପାଉଣ୍ଡର ୱାରହେଡ୍ ସହ ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଥିଲେ।
ଯଦିଓ ରାଫେଲ୍ ପକ୍ଷରୁ ‘ସୁପର୍ ଆଇସ୍’ ର ପ୍ରକୃତ ଦୂରତା ବା ରେଞ୍ଜ୍ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ, ତଥାପି ଏହା ଜଟିଳ ସାମରିକ ଆବଶ୍ୟକତା ଏବଂ ପ୍ରତିକୂଳ ପରିବେଶରେ ଥିବା ସାମରିକ ଲକ୍ଷ୍ୟଗୁଡ଼ିକୁ ସଠିକ୍ ଭାବେ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ମିସାଇଲ୍ରେ ସ୍ୱୟଂଚାଳିତ ନାଭିଗେସନ୍, କମ୍ ଉଚ୍ଚତାରେ ଭୂପୃଷ୍ଠକୁ ସମାନ୍ତର କରି ଉଡ଼ିବାର କ୍ଷମତା ଏବଂ ସବୁପ୍ରକାର ପାଣିପାଗରେ ନିର୍ଭୁଲ୍ ପ୍ରହାର କରିବାର ସୁବିଧା ରହିଛି।
ସୌଜନ୍ୟ ସମ୍ବାଦ




