WALMI Development ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ ହେବ ୱାଲମି, ୨୦ କୋଟି ଟଙ୍କା ମଞ୍ଜୁର
ଓଡ଼ିଶାର ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି)କୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବାକୁ ୨୦ କୋଟି ଟଙ୍କା ମଞ୍ଜୁର। ଡିଜିଟାଲ୍ ଶ୍ରେଣୀଗୃହ, ତାଲିମ ଓ ଗବେଷଣା ସୁବିଧାର ଉନ୍ନତି ହେବ।

ଭୁବନେଶ୍ୱର: ରାଜ୍ୟର ଜଳସମ୍ପଦ ପରିଚାଳନାକୁ ଅଧିକ ଆଧୁନିକ, ବୈଜ୍ଞାନିକ ଓ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶାର ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି)କୁ ସେଣ୍ଟର ଫର୍ ଏକ୍ସଲେନ୍ସି ଭାବେ ବିକଶିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଯୋଜନା ୨୦୨୬-୨୭ ଓ ୨୦୨୭-୨୮ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ।
ଏହି ଉନ୍ନତୀକରଣ ଅଧୀନରେ ଅନୁଷ୍ଠାନରେ ସ୍ମାର୍ଟ ଡିଜିଟାଲ୍ ଶ୍ରେଣୀଗୃହ, ଆଧୁନିକ ତାଲିମ ସୁବିଧା, ଉନ୍ନତ ଛାତ୍ରାବାସ, ସମ୍ମିଳନୀ କକ୍ଷ ଓ ଅଡିଟୋରିୟମ୍ ଆଦିର ବିକାଶ କରାଯିବ। ଏହାଦ୍ୱାରା ତାଲିମ, ଗବେଷଣା ଓ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି ହେବ।
ଜଳସମ୍ପଦ ବିଭାଗରେ ମଞ୍ଜୁରୀପ୍ରାପ୍ତ ୫,୨୩୫ ଜଣ ଯନ୍ତ୍ରୀଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଏହି ପଦକ୍ଷେପର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ନବନିଯୁକ୍ତ ଯନ୍ତ୍ରୀଙ୍କ ପାଇଁ ଆରମ୍ଭିକ ତାଲିମ ସହ ଆଧୁନିକ ଜଳସେଚନ ପ୍ରଯୁକ୍ତି, ବନ୍ୟା ପରିଚାଳନା, ଜଳର ଦକ୍ଷ ଉପଯୋଗ ଓ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ଆଦି ବିଷୟରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏଥିସହ ଆଇଆଇଏସ୍ସି ବେଙ୍ଗାଲୁରୁ, ଆଇଆଇଟି ରୁର୍କୀ, ଆଇଆଇଟି ମାଡ୍ରାସ୍, ଆଇଆଇଟି ଗୁଆହାଟୀ, ନିଓଟ୍ ଚେନ୍ନାଇ ଏବଂ ଭାରତୀୟ ମାନକ ବ୍ୟୁରୋ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ସହଯୋଗିତା ମାଧ୍ୟମରେ ଗବେଷଣା ଓ ଜ୍ଞାନ ବିନିମୟକୁ ଅଧିକ ସମୃଦ୍ଧ କରାଯିବ।
ସୌଜନ୍ୟ ସମ୍ବାଦ




