ରାଜ୍ୟ

Chief Minister at the Habishyali Camp: ହବିଷ୍ୟାଳି ଶିବିରରେ ମୁଖ୍ୟମନ୍ତ୍ରୀ: ମା’ମାନେ ବ୍ରତକରି ରାଜ୍ୟର ମଙ୍ଗଳ ସାଧନ କରୁଛନ୍ତି

ଆତ୍ମଶୁଦ୍ଧି, ତ୍ୟାଗ, ସମର୍ପଣ ଓ ଭକ୍ତିର ଅପୂର୍ବ ସଙ୍ଗମ ହେଉଛି କାର୍ତ୍ତିକ ମାସ। ମା’ମାନେ ସୁରୁଖୁରୁରେ ବ୍ରତ ସମାପନ ପାଇଁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ତିନି ହବିଷ୍ୟାଳି କେନ୍ଦ୍ରରେ ୨୬୫୮ ଜଣ ମା’ମାନେ ବ୍ରତ କରୁଥିବା ବେଳେ ଏଥିପାଇଁ ୩କୋଟି ୩୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି।

ପୁରୀ: ଆତ୍ମଶୁଦ୍ଧି, ତ୍ୟାଗ, ସମର୍ପଣ ଓ ଭକ୍ତିର ଅପୂର୍ବ ସଙ୍ଗମ ହେଉଛି କାର୍ତ୍ତିକ ମାସ। ମା’ମାନେ ସୁରୁଖୁରୁରେ ବ୍ରତ ସମାପନ ପାଇଁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ତିନି ହବିଷ୍ୟାଳି କେନ୍ଦ୍ରରେ ୨୬୫୮ ଜଣ ମା’ମାନେ ବ୍ରତ କରୁଥିବା ବେଳେ ଏଥିପାଇଁ ୩କୋଟି  ୩୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ମା’ମାନେ ବ୍ରତକରି କେବଳ ନିଜର କି ପରିବାରର ନୁହେଁ, ବରଂ ସାରା ରାଜ୍ୟର ମଙ୍ଗଳ ସାଧନ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୃନ୍ଦାବତୀ ନିବାସ ହବିଷ୍ୟାଳି କେନ୍ଦ୍ରରେ ମା’ମାନଙ୍କ ଗହଣରେ ଉପସ୍ଥିତ ହୋଇ ଶ୍ରୀ ମାଝୀ କହିଲେ, ପ୍ରତ୍ୟେକ ବର୍ଗର ମହିଳାଙ୍କ ପ୍ରଗତି ପାଇଁ ଆମ ସରକାର ପ୍ରତିବଦ୍ଧ। ସୁଭଦ୍ରା ଯୋଜନାଠୁ ନେଇ ଲକ୍ଷପତି ଦିଦି ସୃଷ୍ଟିରେ ସମଗ୍ର ଦେଶରେ ଆମେ ସର୍ବାଗ୍ରେ ରହିଛୁ। ୨୦୨୭ ମସିହା ସୁଦ୍ଧା ୨୭ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ନେଇ ଲକ୍ଷ୍ୟ ରହିଥିଲେ ହେଁ, ଗୋଟିଏ ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ସାଧିତ ହୋଇସାରିଛି।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବଜେଟରେ ୧ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରି ସରକାର ବରିଷ୍ଠଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସୁଗମ କରିଛନ୍ତି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ପାଇଁ କୌଣସି ବୃଦ୍ଧବୃଦ୍ଧା ଆଉ ଅପେକ୍ଷା ତାଲିକା (ୱେଟିଂ ଲିଷ୍ଟ)ରେ ରହିବେ ନାହିଁ। ବୟସ ୬୦ ଡେଇଁଲେ ଏବଂ ଯୋଗ୍ୟ ହୋଇଥିଲେ, ନିଶ୍ଚୟ ବାର୍ଦ୍ଧକ୍ୟ ଭତ୍ତା ପାଇବେ। ୧୯ ଲକ୍ଷ ଭତ୍ତା ପାଉଥିବା ବେଳେ ଆଗକୁ ଆହୁରି ୧ଲକ୍ଷ ୩୦ ହଜାର ବୃଦ୍ଧବୃଦ୍ଧା ଯୋଡ଼ିହେବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପୁଣି କହିଲେ, ପୁରୀକୁ ବିଶ୍ବସ୍ତରୀୟ ଧର୍ମୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରିବାକୁ ପ୍ରୟାସ ଜାରି ରହିଛି। ଦର୍ଶନ ପାଇଁ ୪ ଦ୍ବାର ଖୋଲିବା, ୫ଶହ କୋଟିର କର୍ପସ ପାଣ୍ଠି ସୃଷ୍ଟି କରିବାଠୁ ନେଇ ଆଗକୁ ପୁରୀ ସହରକୁ ବୃହତ୍ତ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ସାଂସଦ ଡାକ୍ତର ସମ୍ବିତ ପାତ୍ର କହିଲେ, ମାତୃଶକ୍ତି ହିଁ ଧର୍ମର ସ୍ଥାପନା କରିପାରିବେ।

ମା’ ଦୁର୍ଗାଙ୍କ ମାଧ୍ୟମରେ ଏହା ଆମକୁ ସୂଚନା ମିଳୁଛି। ମାତୃଶକ୍ତି ସର୍ବଦା ପୂଜନୀୟ। ମା’ମାନେ କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟ ପାଇଁ ବ୍ରତ କରୁଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ଏସ୍‌ପି ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଶେଷରେ ମହିଳାମାନଙ୍କୁ କାର୍ତ୍ତିକ ବ୍ରତ ଉପକରଣ ବ୍ୟାଗ ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋ‌ଷ କୁମାର ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button