Primary education: ଅନୁଗୋଳରେ ପ୍ରାଥମିକ ଶିକ୍ଷା ବାଟବଣା: ଜଣିକିଆ ଶିକ୍ଷକରେ ୩୫ ବିଦ୍ୟାଳୟ, ପିଲାଙ୍କୁ ପଢ଼ାଇବେ ନା’ ଜଗିବେ
ସାତକୋଶିଆ ଅଭୟାରଣ୍ୟକୁ ଲାଗି ରହିଥିବା ମାଣିକଯୋଡ଼ି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ।

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟକୁ ଲାଗି ରହିଥିବା ମାଣିକଯୋଡ଼ି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଗୋଟିଏ ଶ୍ରେଣୀରେ ପାଠପଢ଼ା ହେଉଥିଲେ ଅନ୍ୟ ଶ୍ରେଣୀର ପିଲାମାନେ ଖେଳୁଛନ୍ତି। ଏଥିପାଇଁ ଅଭିଭାବକମାନେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେଲେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଏହି ବିଦ୍ୟାଳୟର ଏମିତି ସମସ୍ୟା ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆବଶ୍ୟକ ଶିକ୍ଷକ ଅଭାବରୁ ବହୁ ବିଦ୍ୟାଳୟରେ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ୫ଟି ଶ୍ରେଣୀକୁ ୨ ଜଣ ଶିକ୍ଷକ ଅଛନ୍ତି ତ କିଛି ସ୍କୁଲ୍ରେ ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ପାଠପଢ଼ା ଠିକ୍ରେ ହୋଇପାରୁନି। ବଡ଼ କଥା ହେଲା, ଅନୁଗୋଳ ଜିଲ୍ଲାରେ ଏମିତି ୩୫ଟି ବିଦ୍ୟାଳୟ ଅଛି ଯେଉଁଠି ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଓ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଅନୁଗୋଳ ଜିଲ୍ଲାର ୩୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କ ଭରସାରେ ଚାଲିଛି।
ସୌଜନ୍ୟ ସମ୍ବାଦ




