CPI(M): ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା, କୃଷି ଋଣ ଛାଡ଼ ଦାବି: ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲା ସିପିଆଇ(ଏମ୍) ପ୍ରତିନିଧି ଦଳ
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା, ଚାଷୀଙ୍କ କୃଷି ଋଣ ଛାଡ଼ ଓ ଫସଲ ବୀମାରାଶି ପ୍ରଦାନ ଦାବି କରିଛି ସିପିଆଇ(ଏମ୍)।

ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା, ଚାଷୀଙ୍କ କୃଷି ଋଣ ଛାଡ଼ ଓ ଫସଲ ବୀମାରାଶି ପ୍ରଦାନ ଦାବି କରିଛି ସିପିଆଇ(ଏମ୍)। ଏନେଇ ଦଳର ବରିଷ୍ଠ ରାଜ୍ୟ ନେତା ଅଳି କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ଦଳର ଅଭିଯୋଗ ଅନୁଯାୟୀ, ବନ୍ୟାରେ ଜିଲ୍ଲାର ୨୨ଟି ବ୍ଲକ୍ ସମେତ ବିଭିନ୍ନ ସହରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଚାଷଜମି, ଘରଦ୍ୱାର, ରାସ୍ତାଘାଟ, ବିଦ୍ୟାଳୟ, ଡାକ୍ତରଖାନା ଓ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ନିରପେକ୍ଷ ଭାବେ ଚିହ୍ନଟ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଦଳ ଦାବି କରିଛି। ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା, ଧାନ ଫସଲ କ୍ଷତିପୂରଣ ଏକର ପ୍ରତି ୩୬ ହଜାର ୪୦୦ ଟଙ୍କା, ସମସ୍ତ କୃଷି ଋଣ ଛାଡ଼, ମାଗଣା ବିହନ ଓ ସାର ଯୋଗାଣ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ ପାଇଁ ଦାବି ହୋଇଛି।ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ବ୍ୟବସାୟୀଙ୍କୁ କ୍ଷତିପୂରଣ, ଭାଙ୍ଗିଥିବା ଘର ଓ ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ମନରେଗାରେ ୧୫୦ ଦିନର କାମ ଯୋଗାଇବାକୁ ମଧ୍ୟ ଦଳ ଦାବି ରଖିଛି।
ସେହିପରି ଗୋପାଳପୁର ଡପଲର୍ ୱେଦର ରାଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଋଷିକୂଲ୍ୟା ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ, ନଦୀ ମୁହାଣର ଉନ୍ନତିକରଣ ଓ ଜଳଭଣ୍ଡାରଗୁଡ଼ିକର ରକ୍ଷଣାବେକ୍ଷଣ ସହ ବନ୍ୟା ପୁନରୁଦ୍ଧାର କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଅବସରରେ ସିପିଆଇ(ଏମ୍) ଜିଲ୍ଲା କମିଟି ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ରାମଚନ୍ଦ୍ର ନାୟକ, ଦିଲ୍ଲୀପ ଛୋଟରାୟ, ଅଜୟ ଗୌଡ଼, ଖଲି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




