ରାଜ୍ୟ

Drug smuggling: ୬୯.୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୬୫୭.୦୮୯ ଗ୍ରାମ ବ୍ରାଉନସୁଗାର ଜବତ

ସୁନ୍ଦରଗଡ଼ ଜିଲ୍ଲାରେ ନିଶା କାରବାର ବୃଦ୍ଧି ପାଇଲାଣି। ବିଶେଷକରି ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ଚୋରାଚାଲାଣ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୨୪ ମସିହାରୁ ୨୦୨୬ ଜୁଲାଇ ମାସ ମଧ୍ୟରେ...

ରାଉରକେଲା (ଦେବବ୍ରତ ଗଡ଼ତିଆ):ସୁନ୍ଦରଗଡ଼ ଜିଲ୍ଲାରେ ନିଶା କାରବାର ବୃଦ୍ଧି ପାଇଲାଣି। ବିଶେଷକରି ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ଚୋରାଚାଲାଣ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୨୪ ମସିହାରୁ ୨୦୨୬ ଜୁଲାଇ ମାସ ମଧ୍ୟରେ ରାଉରକେଲା ପୁଲିସ, ସୁନ୍ଦରଗଡ଼ ପୁଲିସ ଓ ରାଉରକେଲା ରେଳବାଇ ପୁଲିସ ପକ୍ଷରୁ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମୋଟ ୩୭୩ଟି ମାମଲା ରୁଜୁ ହୋଇଛି। ନିଶାମାଫିଆଙ୍କ କାରବାରକୁ ରୋକିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଚୋରାଚାଲାଣ ଥମିବାର ନାଁ ନେଉନି।

ଗତ ଅଢ଼େଇ ବର୍ଷ ମଧ୍ୟରେ ମୋଟ ୬୯ କ୍ବିଣ୍ଟାଲ ୭୫ କେଜି ୨୦୭ ଗ୍ରାମ ଗଞ୍ଜେଇ ଓ ୬୫୭.୦୮୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହା ସହିତ ନିଶା ପରିବହନରେ ବ୍ୟବହୃତ ହେଉଥିବା ୪୪ଟି ଯାନକୁ ଜବତ କରାଯାଇଛି। ଏସବୁ ଚୋରାଚାଲାଣ, ବିକ୍ରିରେ ସମ୍ପୃକ୍ତ ଥିବା ମୋଟ ୫୬୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୫୨୬ ଜଣ ପୁରୁଷ ଥିବା ବେଳେ ୪୩ ଜଣ ମହିଳା ସାମିଲ ଥିବା ଜଣାପଡ଼ିଛି।

ଗତ ୨୦୨୪ ମସିହାରେ ଜିଲ୍ଲାରେ ୧୦୫ଟି ମାମଲା ରୁଜୁ ହୋଇଥିବାବେଳେ ୧୪୧ ଜଣ ଗିରଫ ହୋଇଥିଲେ। ଉକ୍ତ ବର୍ଷ ୨୧ କ୍ବିଣ୍ଟାଲ ୫୦ କେଜି ୪୩୬ ଗ୍ରାମ ଗଞ୍ଜେଇ ଓ ୨୦.୭୩୦ ଗ୍ରାମ ବ୍ରାଉନସୁଗାର୍‌ ଜବତ ହୋଇଥିଲା। ସେହିଭଳି ୨୦୨୫ ମସିହାରେ ୧୮୧ଟି ମାମଲା ରୁଜୁ ହୋଇଥିବା ବେଳେ ୩୦୮ ଜଣ ଗିରଫ ହୋଇଥିଲେ। ମୋଟ୍‌ ୨୯ କ୍ବିଣ୍ଟାଲ ୪୪ କେଜି ୫୮୨ ଗ୍ରାମ ଗଞ୍ଜେଇ ଓ ୨୭୯.୦୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ୨୦୨୬ ଜୁଲାଇ ଯାଏ ୮୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୨୦ ଜଣ ଗିରଫ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୮ କ୍ବିଣ୍ଟାଲ ୮୦ କେଜି ୧୮୯ ଗ୍ରାମ ଗଞ୍ଜେଇ ଓ ୩୫୭.୩୦୦ ଗ୍ରାମ ବ୍ରାଉସୁଗାର ଜବତ ହୋଇଛି। ଏସବୁ ଚୋରାଚାଲାଣ ପାଇଁ ଟ୍ରେନ୍‌ ମୁଖ୍ୟ ମାଧ୍ୟମ ପାଲଟିଛି। ମାଫିଆମାନେ ଟ୍ରେନ ଯୋଗେ ଗଞ୍ଜେଇ ଓ ବ୍ରାଉନସୁଗାର ଆଣୁଛନ୍ତି। ରେଳ ଷ୍ଟେସନରେ ଆର୍‌ପିଏଫ୍‌/ରେଳବାଇ ପୁଲିସର କଡ଼ା ଯାଞ୍ଚ ଯୋଗୁ ଅଧିକସଂଖ୍ୟକ ନିଶା ବେପାରୀ ଧରାପଡ଼ୁଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button