Hirakud Displaced Persons: ହୀରାକୁଦ ବିସ୍ଥାପିତଙ୍କ ପ୍ରତି ୭ ଦଶନ୍ଧିର ଅନ୍ୟାୟ: ପଟ୍ଟା ଦେଲେ, ଭୂଲେଖରେ ନଁା ନାହିଁ
ସାତ ଦଶନ୍ଧିର ଅନ୍ୟାୟ। ୭୦ ବର୍ଷର ଲଢ଼େଇ। ୨୦୧୨ ମସିହାର ପଞ୍ଚାୟତ ନିର୍ବାଚନ ବର୍ଜନ। ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ସାଲଡ଼ ପଞ୍ଚାୟତ ଅନ୍ତର୍ଗତ ସାଲଡ଼...

ସମ୍ବଲପୁର/ ରେଙ୍ଗାଲି (ଗାର୍ଗୀ ଶତପଥୀ ଓ ହିମାଂଶୁ ମିଶ୍ର): ସାତ ଦଶନ୍ଧିର ଅନ୍ୟାୟ। ୭୦ ବର୍ଷର ଲଢ଼େଇ। ୨୦୧୨ ମସିହାର ପଞ୍ଚାୟତ ନିର୍ବାଚନ ବର୍ଜନ। ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ସାଲଡ଼ ପଞ୍ଚାୟତ ଅନ୍ତର୍ଗତ ସାଲଡ଼, କୁର୍ଲା, ଯୁଗିପାଲି ଓ ସପ୍ନେ ଗାଁରେ ରହୁଥିବା ହୀରାକୁଦ ବିସ୍ଥାପିତଙ୍କ ପଟ୍ଟା ସମସ୍ୟାର ସମାଧାନ ହୋଇପାରି ନାହିଁ। ୨୦୧୬ ମସିହାରେ କୁର୍ଲା, ଯୁଗିପାଲି ଓ ସପ୍ନେକୁ ଜମିପଟ୍ଟା ମିଳିଲା, କିନ୍ତୁ ଭୂଲେଖରେ ନାମ ଆସିଲା ନାହିଁ। ଏଥିଯୋଗୁଁ ୩୧୦୦ ଟଙ୍କାର ବୋନସ୍ ଯୁଗରେ ସେମାନେ ଏମ୍ଏସ୍ପିଠାରୁ କମ୍, ଅର୍ଥାତ୍ ୧୫୦୦ରୁ ୧୭୦୦ ଟଙ୍କାରେ ବେପାରୀ ନିକଟରେ ଧାନ ବିକ୍ରି କରୁଛନ୍ତି। ସାଲଡ଼କୁ ଜମିପଟ୍ଟା ମିଳିଛି, କିନ୍ତୁ ଘରଡିହ ପଟ୍ଟା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଏହାର ଫଳସ୍ବରୂପ ଜାରି ପ୍ରମାଣପତ୍ର ପାଇଁ ନାକେଦମ ହେବା ସହିତ ଗୃହ ଋଣ, କୃଷି ଋଣ ସମେତ ସବୁ ସରକାରୀ ସୁବିଧାରୁ ଗ୍ରାମବାସୀ ବଞ୍ଚିତ। ସର୍ବୋପରି ନିଜ ଅଞ୍ଚଳରେ ସେମାନେ ଶରଣାର୍ଥୀ ଭଳି ବଞ୍ଚୁଛନ୍ତି। ସାଲଡ଼ର ୬୨ ବର୍ଷୀୟ ସୁବାସ ବିଶ୍ବାଳ ଏବଂ ଯୁଗିପାଲିର ୬୫ ବର୍ଷୀୟା ଗୌରୀ ନାଏକ କହନ୍ତି, ଆମେ ତ ଜନ୍ମ ବି ହୋଇ ନଥିଲୁ।
ଏମ୍ଏସ୍ପିଠୁ ବି କମ୍ ଦରରେ ଧାନ ବିକୁଛନ୍ତି
ଶରଣାର୍ଥୀ ଜୀବନ ବଞ୍ଚୁଛି ସାଲଡ଼ ପଞ୍ଚାୟତ
କିନ୍ତୁ ବାପା, ମା’ଙ୍କ ମୁହଁରୁ ଯାହା ଶୁଣିଛୁ, ହୀରାକୁଦର ବିଶାଳ ଜଳରାଶି ତଳେ ହଜି ଯାଇଛି ଆମ ପୂର୍ବଜଙ୍କ ଗାଁ ଓ ସଭ୍ୟତା। ବନ୍ଧ ନିର୍ମାଣ ପରେ ୮୦ ପରିବାର ପ୍ରଥମେ ଆସିଲେ। ସେତେବେଳକୁ ଏଠାରେ ବାଘ ଗର୍ଜନ ମଧ୍ୟ ଶୁଣାଯାଉଥିଲା। ସରକାରଙ୍କ ପକ୍ଷରୁ କ୍ୟାମ୍ପ ନିର୍ମାଣ କରାଯାଇ ବିସ୍ଥାପିତଙ୍କୁ ଥଇଥାନ କରାଗଲା। କିନ୍ତୁ ତା’ପରେ ସେମାନଙ୍କୁ ଭୁଲିଗଲେ। ଭୂପେନ୍ଦ୍ର ଭୋଇଙ୍କ ଅନୁସାରେ, ୨୦୧୨ ମସିହାରେ ସ୍ଥାୟୀ ପଟ୍ଟା ଏବଂ ଜଳଯୋଗାଣ ଦାବି ନେଇ ସାଲାଡ ପଞ୍ଚାୟତର ୪ଟି ୱାର୍ଡର ଲୋକ ଭୋଟ ବର୍ଜନ କରିଥିଲେ। ଯାହା ପ୍ରଶାସନକୁ ପ୍ରଭାବିତ କରିଥିଲା। ଏହାପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିସ୍ଥାପିତଙ୍କୁ ପଟ୍ଟା ପ୍ରଦାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ପ୍ରଶାସନିକ କାର୍ଯ୍ୟ ଏତେ ତ୍ରୁଟିପୂର୍ଣ୍ଣ ହେଲା ଯେ ପଟ୍ଟା ପାଇ ମଧ୍ୟ ଗ୍ରାମବାସୀ କୌଣସି ସରକାରୀ ଲାଭ ପାଇପାରିଲେ ନାହିଁ। ସୁରେନ୍ଦ୍ର ଭୁଏ, ଯୋଗେନ୍ଦ୍ର ଭୁଏ କହନ୍ତି, ଚଳିତ ବର୍ଷ ବର୍ଷା ଅଭାବରୁ ତାଙ୍କର ଫସଲ ନଷ୍ଟ ହେଲା। ପୂର୍ବରୁ ମଧ୍ୟ ଅନେକବାର ଫସଲ ନଷ୍ଟ ହୋଇଛି। ହେଲେ କେବେ ଇନ୍ପୁଟ ସବସିଡି ପାଆନ୍ତି ନାହିଁ। ମଣ୍ଡି ସେମାନେ କେବେ ଦେଖି ନାହାନ୍ତି। କୃଷି ଋଣ ସେମାନଙ୍କ ପାଇଁ ସ୍ବପ୍ନ। ଜାତି ପ୍ରମାଣପତ୍ର ପାଇଁ ମଧ୍ୟ ସରପଞ୍ଚଙ୍କ ଦସ୍ତଖତର ଅପେକ୍ଷା କରିବାକୁ ପଡ଼େ। ମଞ୍ଜୁଲତା ଭୋଇ କହନ୍ତି, ଏହି ଗାଁ ପାଇଁ ସରକାରୀ ଆବାସ ସ୍ବପ୍ନ। ଅନ୍ୟ ଗାଁକୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ସେମାନଙ୍କ ନାମ ଆସି ମଧ୍ୟ କଟି ଯାଇଛି।
ସୁବାସ ବିଶ୍ବାଳ କହନ୍ତି, ସାଲଡ଼ ଗାଁର ସମସ୍ୟା ତ ଆହୁରି ଅଜବ। କାରଣ ସରକାର ହିଁ ସ୍ଥାନୀୟ ଅଧିବାସୀଙ୍କୁ କ୍ୟାମ୍ପରେ ବସାଇଥିଲେ। ଏବେ ତହସିଲର ଦସ୍ତାବିଜରେ ଜମି କିସମର ମନ୍ତବ୍ୟ ଜଙ୍ଗଲ ଆସୁଥିବାରୁ, ସେମାନଙ୍କୁ ଘରଡିହ ପଟ୍ଟା ମିଳୁ ନାହିଁ। ପଟ୍ଟା ସମସ୍ୟା ଯୋଗୁଁ ନିଜ ଅସ୍ତିତ୍ବ ନେଇ ଚିନ୍ତା ଲାଗିରହୁଛି। କେତେବେଳେ ଏହି ଅଞ୍ଚଳର ରାସ୍ତା ସମ୍ପ୍ରସାରଣ କି କାରଖାନା ଯୋଗୁଁ କେହି ବିସ୍ଥାପିତ ହେଲେ ସରକାର ଖିଣ୍ଡା ଭଳି ଭୂମିହୀନ ଭାବରେ ନାମମାତ୍ର କ୍ଷତିପୂରଣ ଦେଇ ଛାଡ଼ି ଦେବେ। କୁର୍ଲାର ଗଣେଶ କହନ୍ତି, ଯେଉଁ କିଛି ବ୍ୟକ୍ତିଙ୍କୁ ବିସ୍ଥାପିତ ଭାବରେ ଜମି ମିଳିଛି ତାହା ୧୦ ଡେସିମିଲ ବଦଳରେ ୪ ଡେସିମିଲ ଦିଆଯାଇଛି। ହୀରାକୁଦ ଡ୍ୟାମ୍ ପାଇଁ ୬୩୪ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରା ଯାଇଥିଲା। ହେଲେ ପରେ ଅଧିଗୃହୀତ ଅବ୍ୟବହୃତ ଜମି ମଧ୍ୟ ଅଞ୍ଚଳବାସୀଙ୍କୁ ଫେରାଗଲା ନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାକୁ ନିଶ୍ଚିତ ସେମାନେ ପ୍ରସଙ୍ଗ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ରାଜସ୍ବ ମନ୍ତ୍ରୀ ଏହି ଅଞ୍ଚଳର ଅଧିବାସୀ ହୋଇଥିବାରୁ ପଟ୍ଟା ସମସ୍ୟା କଥା ସେ ନିଶ୍ଚିତ ବୁଝିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ସାଲଡ଼ ପଞ୍ଚାୟତର ସରପଞ୍ଚ ସତ୍ୟରାମ ମହାନନ୍ଦିଆ କହନ୍ତି, ୨୦୨୨ ନିର୍ବାଚନ ଅନୁସାରେ ଏହି ପଞ୍ଚାୟତରେ ୫୦୦୯ ଜଣ ଭୋଟର ଅଛନ୍ତି। ଏଠାରେ ରହୁଥିବା ସବୁ ଅଧିବାସୀ ହୀରାକୁଦ ବିସ୍ଥାପିତ। ଅଧିକାଂଶଙ୍କ ପଟ୍ଟା ନାହିଁ। ଯେଉଁମାନଙ୍କର ପଟ୍ଟା ଅଛି, ଭୂଲେଖରେ ନାମ ନାହିଁ। ତାଙ୍କ ନିଜର ମଧ୍ୟ ପଟ୍ଟା ନାହିଁ। ଏ ସଂକ୍ରାନ୍ତରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଲାଭ ହେଉନି। ରେଙ୍ଗାଲିର ପୂର୍ବ ବିଧାୟକ ନାଉରୀ ନାୟକ କହିଛନ୍ତି, ବିଜେପି ହୀରାକୁଦ ବିସ୍ଥାପିତଙ୍କୁ ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ବାରିକପାଲିରେ ପଟ୍ଟା ବଣ୍ଟନ କରାଯାଇଛି। ଭୂଲେଖରେ ନାମ ନଥିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି, ଏହି ସମସ୍ୟାର ନିଶ୍ଚିତ ସମାଧାନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।
ସୌଜନ୍ୟ ସମ୍ବାଦ




