ରାଜ୍ୟ

Residents will be relocated: ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ସ୍ଥାନାନ୍ତର ହେବେ ବାସିନ୍ଦା: ବାତ୍ୟା ମୁକାବିଲା ‌ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ବାତ୍ୟା ଅକ୍‌ଭାନ୍‌ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସହ ପବନ ‌ବି ହୋଇପାରେ। ତେଣୁ ଏହାକୁ ନଜରରେ ରଖି ଜିଲ୍ଲାସ୍ତରରେ ପ୍ରସ୍ତୁତି ଜୋରଦାର୍ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ଭୁବନେଶ୍ବର: ବାତ୍ୟା ଅକ୍‌ଭାନ୍‌ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସହ ପବନ ‌ବି ହୋଇପାରେ। ତେଣୁ ଏହାକୁ ନଜରରେ  ରଖି ଜିଲ୍ଲାସ୍ତରରେ ପ୍ରସ୍ତୁତି ଜୋରଦାର୍ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଅାଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ କୁହାଯାଇଛି।

ଆଜି ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପାଣିପାଗ ବିଭାଗ ପକ୍ଷରୁ ଜାରି ସଦ୍ୟତମ ପାଣିପାଗ ସୂଚନା ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ସମ୍ପର୍କରେ ଆଲୋଚନା କରାଯିବା ସହ ରାଜ୍ୟରେ ଆଗୁଆ ପ୍ରସ୍ତୁତି, ଜନସୁରକ୍ଷା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଜିଲ୍ଲାପାଳମାନେ ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରିବା ସହ ଆଗୁଆ ବିପଦସଙ୍କୁଳ ପରିବାର ଏବଂ ସ୍ଥାନାନ୍ତରଣ ସମୟରେ ସହାୟତା ଆବଶ୍ୟକ କରୁଥିବା ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବେ। ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ରଖିବେ। ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ର ୬୦ଟି, ଏନ୍‌ଡିଆର୍‌ଏଫ୍‌ର ୧୪ଟି ଟିମ୍‌କୁ  ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ତଥା ଅନ୍ୟାନ୍ୟ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍ଥାନରେ ପୂର୍ବରୁ ମୁତୟନ କରିବା ପାଇଁ ଯୋଜନା ରହିଛି। ଏଥିସହ ଅଗ୍ନିଶମ ସେବା ବିଭାଗର ଉଦ୍ଧାରକାରୀ ଦଳ, ଯାନବାହନ, ଡଙ୍ଗା, ଆଲୋକୀକରଣ ଓ ଅନ୍ୟାନ୍ୟ ଜରୁରି ଉପକରଣର ଉପଲବ୍ଧତା ଯାଞ୍ଚ କରିବାକୁ କୁହାଯାଇଛି। ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳପ୍ରବାହ, ନଦୀର ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଦୁର୍ବଳ ନଦୀବନ୍ଧ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ରାସ୍ତା, ପୋଲ, କଲଭର୍ଟ ଓ ପାହାଡ଼ିଆ ରାସ୍ତାର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଗଛ କାଟିବା ଯନ୍ତ୍ର, ଆର୍ଥମୁଭର୍ ଓ ଜରୁରିକାଳୀନ ମରାମତି ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକୁ ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯଥେଷ୍ଟ ମହଜୁଦ ସୁନିଶ୍ଚିତ କରିବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button