EPFO cbt Meeting: ଆଜି EPFO ବୈଠକ, ହାୟର ପେନସନ୍କୁ ନେଇ ବି ହୋଇପାରେ ବଡ଼ ଆଲୋଚନା
ଚାକିରି କରୁଥିବା ସମୟରେ ଦରମାରୁ କଟୁଥିଲା PF ଟଙ୍କା। ଆଶା ଥିଲା, ଅବସର ପରେ ଏହି ଟଙ୍କାରୁ ମିଳିବ ଆର୍ଥିକ ସୁରକ୍ଷା। ହେଲେ ଅବସର ପରେ ମାସକୁ ମାତ୍ର ୧ ହଜାର ଟଙ୍କା ପେନସନ୍ରେ କେମିତି ଚଳିବେ ଜଣେ ବୟସ୍କ ମଣିଷ? ଦୀର୍ଘ ବର୍ଷ ଧରି ଏହି ପ୍ରଶ୍ନ ଉଠାଇ ଆସୁଛନ୍ତି ଲକ୍ଷ ଲକ୍ଷ ପେନସନ୍ଭୋଗୀ।

ନୂଆଦିଲ୍ଲୀ: ଚାକିରି କରୁଥିବା ସମୟରେ ଦରମାରୁ କଟୁଥିଲା PF ଟଙ୍କା। ଆଶା ଥିଲା, ଅବସର ପରେ ଏହି ଟଙ୍କାରୁ ମିଳିବ ଆର୍ଥିକ ସୁରକ୍ଷା। ହେଲେ ଅବସର ପରେ ମାସକୁ ମାତ୍ର ୧ ହଜାର ଟଙ୍କା ପେନସନ୍ରେ କେମିତି ଚଳିବେ ଜଣେ ବୟସ୍କ ମଣିଷ? ଦୀର୍ଘ ବର୍ଷ ଧରି ଏହି ପ୍ରଶ୍ନ ଉଠାଇ ଆସୁଛନ୍ତି ଲକ୍ଷ ଲକ୍ଷ ପେନସନ୍ଭୋଗୀ। ଏବେ ସେମାନଙ୍କ ଆଶା ବଢ଼ିଛି। କାରଣ ଆଜି EPFOର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ସର୍ବନିମ୍ନ ପେନସନ୍ ବୃଦ୍ଧିଠାରୁ ଆରମ୍ଭ କରି ହାୟର ପେନସନ୍ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ହୋଇପାରେ ଆଲୋଚନା।
ନଭେମ୍ବର ୧୯ ତାରିଖରେ ନୂଆଦିଲ୍ଲୀର EPFO ମୁଖ୍ୟାଳୟରେ ବସିବ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ର ୨୪୦ତମ ବୈଠକ। ସକାଳ ୧୦ଟା ୧୫ରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ EPS-95 ଯୋଜନା ଅଧୀନରେ ସର୍ବନିମ୍ନ ମାସିକ ପେନସନ୍ ୧ ହଜାରରୁ ବଢ଼ାଇ ୩ ହଜାର ଟଙ୍କା କରିବା ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇପାରେ। ତେବେ ଏନେଇ ଶ୍ରମ ମନ୍ତ୍ରଣାଳୟ କିମ୍ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଆସିନାହିଁ। ସେପଟେ ପେନସନ୍ଭୋଗୀ ସଂଗଠନଗୁଡ଼ିକ କେବଳ ୩ ହଜାର ନୁହେଁ, ସର୍ବନିମ୍ନ ପେନସନ୍କୁ ୭ ହଜାର ୫୦୦ ଟଙ୍କା କରିବାକୁ ଦାବି କରୁଛନ୍ତି। ଏଥିସହ ମହଙ୍ଗା ଭତ୍ତା ଏବଂ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।
କେବଳ ସର୍ବନିମ୍ନ ପେନସନ୍ ନୁହେଁ, ହାୟର EPS ପେନସନ୍ରେ ଅଟକି ରହିଥିବା ମାମଲାଗୁଡ଼ିକର ସମାଧାନ ମଧ୍ୟ ଏହି ବୈଠକର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ନ୍ୟାସନାଲ କନଫେଡେରେସନ୍ ଅଫ୍ ପେନସନର୍ସ ଆସୋସିଏସନ୍ ପକ୍ଷରୁ ୨୨ଟି ଦାବି ସମ୍ବଳିତ ଚାର୍ଟର ଦାଖଲ କରାଯାଇଛି। ଏଥିରେ ୨୦୨୨ ନଭେମ୍ବର ୪ର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଯୋଗ୍ୟ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା, ଅଟକିଥିବା ଆବେଦନର ଶୀଘ୍ର ସମାଧାନ ଏବଂ ଅଯଥା ସୁଧ ବୋଝରୁ ମୁକ୍ତି ଭଳି ଦାବି ରହିଛି। ତେବେ ଆଜିର ବୈଠକରେ କେବଳ ଆଲୋଚନା ହେବ ନା କୌଣସି ବଡ଼ ନିଷ୍ପତ୍ତି ବା ସୁପାରିସ ଆସିବ, ତାହା ଉପରେ ରହିଛି ଦେଶର କୋଟି କୋଟି EPF ସଦସ୍ୟ ଓ ପେନସନ୍ଭୋଗୀଙ୍କ ନଜର।
ସୌଜନ୍ୟ ସମ୍ବାଦ




