Cyclone Breaking: ଆଜି ଭୀଷଣ ବାତ୍ୟାର ରୂପ ନେବା ‘ଅକଭାନ୍’, ନେଲୋର ଓ ଟୁନି ଭିତରେ ଲ୍ୟାଣ୍ଡଫଲ ଆକଳନ

ଭୁବନେଶ୍ୱର ୧୭/୧୧: ସୋମବାର ସନ୍ଧ୍ୟାରେ ସୃଷ୍ଟି ହୋଇଛି ବାତ୍ୟା ‘ଅକଭାନ୍’ । ମଙ୍ଗଳବାର ଭୀଷଣ ବାତ୍ୟା(ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବ । ୨୦ ତାରିଖ(ଶୁକ୍ରବାର) ଦିନ ବେଳା ଆନ୍ଧ୍ରପ୍ରଦେଶ ଓ ୟନମ ଉପକୂଳ ନେଲୋର ଓ ଟୁନି ଭିତରେ ଲ୍ୟାଣ୍ଡ୍ଫଲ କରିବ । ଅତି ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ । ୧୨୦ରୁ ୧୩୦ କିମି ବେଗରେ ପବନ ବହିବ । ଯଦିଓ ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି, ତଥାପି ପ୍ରବଳ ବର୍ଷା ହେବ । ୧୮ରୁ ବର୍ଷା ଆରମ୍ଭ ହେବ । ୫୦ କିମି ବେଗରେ ପବନ ବହିବ । ୧୯ରୁ ପବନର ବେଗ ବଢ଼ିପାରେ ବୋଲି ଆଇଏମ୍ଡି ଆକଳନ କରିଛି ।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ଝଟ୍କା ୧୪୫କିମି ଛୁଇଁପାରେ । ବାତ୍ୟା ପ୍ରଭାବରେ ୧୮ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି । ବାତ୍ୟାର ବାହ୍ୟବଳୟରେ ଆସୁଥିବା ଅଞ୍ଚଳରେ ବର୍ଷା ହେବ ବୋଲି ସେ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ବାତ୍ୟାର ପ୍ରଭାବକୁ ନେଇ ସାମାନ୍ୟ ଭିନ୍ନ ଆକଳନ କରିଛନ୍ତି । ତାଙ୍କ ଆକଳନ କହୁଛି, ତାମିଲନାଡୁ ଉପକୂଳ ଅଞ୍ଚଳରେ ଦୀର୍ଘ ସମୟ ଧରି ପ୍ରବଳ ପବନର ଚାପ(ୱିଣ୍ଡ ସିଅର) ରହିଛି । ଫଳରେ ସମ୍ଭାବ୍ୟ ବାତ୍ୟା ବଳୁଆ ହେବା ବଦଳରେ ଏହାର ଶକ୍ତି କମୁଛି । ଏହା ମେଘମାଳାକୁ ଠିକ୍ରେ ସଂଗଠିତ କରିପାରୁନି । ବାଦଲ ଖଣ୍ଡମାନ ଅସଂଗଠିତ ଅବସ୍ଥାରେ ଅଛନ୍ତି । ୨୦ ତାରିଖ ପୂର୍ବାହ୍ନରେ ଟୁନି ନିକଟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବନି । ୧୮ରୁ ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆଇଏମ୍ଡି କହିଛି, ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ୧୯ରୁ ଏହି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁଣି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୯ ଓ ୨୦ ତାରିଖରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ୨୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
ବାତ୍ୟା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଆଗୁଆ ପ୍ରସ୍ତୁତି କରିଛନ୍ତି । ସବୁ ଜିଲ୍ଲା ସତର୍କ ରହିବାକୁ କୁହାଯାଇଛି । ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତାଲିକା କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ।
ସେହି ଅଞ୍ଚଳର ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ସ୍ୱତନ୍ତ୍ର ଯତ୍ନ ନିଆଯିବ । ଆଶ୍ରୟସ୍ଥଳୀରେ ପିଇବା ପାଣି, ପରିମଳ, ବିଦ୍ୟୁତ୍ ଓ ଜେନେରେଟର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୂସ୍ଖଳନ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରାଯିବ । ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି ଏନଡିଆରଏଫ ଟିମ୍ ପଠାଯିବ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକରେ ନିଷ୍ପତ୍ତି ହୋଇଛି ।
ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ନିଜ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଗଞ୍ଜାମ, ଗଜପତି ଓ ତେଲେଙ୍ଗିରି ଅଞ୍ଚଳର କିଛି ଡ୍ୟାମ୍ରୁ ଆଗୁଆ ପାଣି ଛଡ଼ାଯାଇଛି । କିଛି ଡ୍ୟାମ୍ ପାଣି ୫୦ ପ୍ରତିଶତକୁ କମାଇବାକୁ ଯୋଜନା ହୋଇଛି । ଯନ୍ତ୍ରୀମାନେ ଡ୍ୟାମ୍, ନଦୀବନ୍ଧ ଓ ଜଳସ୍ତରର ସ୍ଥିତି ଯାଞ୍ଚ କରିଛନ୍ତି । ବଡ଼ ବର୍ଷା ଓ ବାତ୍ୟାରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀବନ୍ଧ ଓ କେନାଲ ବନ୍ଧ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବଡ଼ ଘାଇର ମରାମତି ସରିନି । ଏହା ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି । ଜଳଭଣ୍ଡାରର ଜଳସ୍ତର, ଜଳପ୍ରବାହ, ନଦୀ ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା, ପୋଲ, କଲଭର୍ଟ ଓ ପାହାଡ଼ିଆ ରାସ୍ତାର ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି ଗଛ କାଟିବା ଯନ୍ତ୍ର, ଆର୍ଥମୁଭର୍ ଓ ଜରୁରୀକାଳୀନ ମରାମତି ଦଳ ପ୍ରସ୍ତୁତ କରି ରଖାଯିବ ।
ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପିଇବା ପାଣି, ଇନ୍ଧନ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରି ରଖିବାକୁ ଖାଦ୍ୟ ଓ ଯୋଗାଣ ବିଭାଗ, ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି । ବିପଦପ୍ରବଣ ବିଦ୍ୟୁତ୍ ସବ୍ଷ୍ଟେସନ୍, ଟେଲିକମ୍ ଟାୱାର ଚିହ୍ନଟ କରି ଆଗୁଆ ମରାମତି କରାଯିବ । ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ବିକଳ୍ପ ବିଦ୍ୟୁତ୍ ସୁବିଧା, ଅକ୍ସିଜେନ, ଡାକ୍ତରୀ ଦଳ, ଆମ୍ବୁଲାନ୍ସ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଓ ପବନରେ କ୍ଷତିଗ୍ରସ୍ତ ଫସଲ ଚିହ୍ନଟ କରି ଚାଷୀଙ୍କୁ ଆଗୁଆ ପରାମର୍ଶ ଦେବାକୁ କୃଷି ବିଭାଗକୁ କୁହାଯାଇଛି ।
ପଶୁସମ୍ପଦର ସୁରକ୍ଷା ପାଇଁ ନିରାପଦ ସ୍ଥାନ, ଗୋଖାଦ୍ୟ, ପିଇବା ପାଣି ଓ ପ୍ରାଣୀ ଚିକିତ୍ସା ଦଳ ପ୍ରସ୍ତୁତ ରଖାଯିବ । ୨୦ ତାରିଖ ଯାଏ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ପରିସ୍ଥିତିରେ ଆଇନଶୃଙ୍ଖଳା ରକ୍ଷା, ଯାତାୟାତ ନିୟନ୍ତ୍ରଣ, ଉଦ୍ଧାର କାମରେ ସହଯୋଗ ଓ ସ୍ଥାନାନ୍ତରିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍କୁ କୁହାଯାଇଛି । ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଶୀଘ୍ର ପ୍ରସ୍ତୁତି ସାରିବା ସହ ନିଜ ବିଭାଗ ଅଧୀନରେ ନୋଡାଲ ଅଧିକାରୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଫିସରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଆଭାସୀ ଯୋଗେ ଯୋଡ଼ି ହୋଇଥିଲେ ।
ସୌଜନ୍ୟ ପ୍ରମେୟ




