ଗଭୀର ସମୁଦ୍ରରେ ବୁଡ଼ିବାକୁ ବସିଥିଲା ଜାହାଜ, ଦେବଦୂତ ସାଜିଲା ପାରାଦୀପ ବନ୍ଦର,୨୭ କ୍ରୁ ସଦସ୍ୟ ଉଦ୍ଧାର

ଜଗତସିଂହପୁର, ୧୭/୧୧: ଗଭୀର ସମୁଦ୍ରରେ ଅଚଳ ହୋଇପଡ଼ିଲା ଜାହାଜ। ଭାଙ୍ଗିଗଲା ପ୍ରୋପେଲର ସାଫ୍ଟ, ଜାହାଜ ଭିତରକୁ ପଶିଲା ପାଣି। ଫଳରେ ଜାହାଜ ସହ ୨୭ ଜଣ କ୍ରୁ ସଦସ୍ୟଙ୍କ ଜୀବନ ବିପଦରେ ପଡ଼ିଥିଲା। ପାରାଦୀପ ବନ୍ଦରଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା। ତେବେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସମସ୍ତ ୨୭ ଜଣ କ୍ରୁ ସଦସ୍ୟଙ୍କ ସହ ଜାହାଜକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଏମ୍ଭି ବିଶ୍ୱ ଉଦୟ ନାମକ ଏହି ଜାହାଜଟି ହଳଦିଆ ବନ୍ଦରରୁ ଆଫ୍ରିକାର ମୋଜାମ୍ବିକ ବନ୍ଦର ଅଭିମୁଖେ କୋଇଲା ଆଣିବାକୁ ଯାଉଥିଲା । ତେବେ ଗଭୀର ସମୁଦ୍ରରେ ହଠାତ୍ ଜାହାଜର ପ୍ରୋପେଲର ସାଫ୍ଟ ଭାଙ୍ଗିଯିବାରୁ ଜାହାଜ ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିଲା । ଏନେଇ ଭାରତୀୟ ସିପିଂ କର୍ପୋରେସନ ପକ୍ଷରୁ ପାରାଦୀପ ବନ୍ଦରକୁ ସୂଚନା ଦିଆଯାଇଥିଲା।
ଖବର ପାଇ ବନ୍ଦରର ଦୁଇଟି ଟଗ୍ ବୋଟ୍ ଡଲଫିନ୍-୨୫ ଓ ଡଲଫିନ୍-୨୦ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଜାହାଜର କର୍ମଚାରୀଙ୍କ ସହଯୋଗରେ ପ୍ରୋପେଲର ସାଫ୍ଟକୁ ମରାମତି କରାଯିବା ସହ ଜାହାଜ ଭିତରକୁ ପାଣି ପଶିବା ବନ୍ଦ କରାଯାଇଥିଲା । ପରେ ଜାହାଜଟିକୁ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରର ଆଙ୍କରେଜକୁ ଟାଣି ଅଣାଯାଇଛି । ବିଭାଗୀୟ ଅନୁମତି ମିଳିବା ପରେ ଜାହାଜଟିକୁ ବନ୍ଦରର ବର୍ଥକୁ ଅଣାଯାଇ ଆବଶ୍ୟକ ମରାମତି କରାଯିବ ବୋଲି ପାରାଦୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି ।
ସୌଜନ୍ୟ ପ୍ରମେୟ




