ଦେଶ ବିଦେଶ

UPSC Recruitment 2026: ୟୁପିଏସ୍‌ସିରେ ୧୩ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଡିସେମ୍ବର ୪ ଆବେଦନର ଶେଷ ତାରିଖ

ସରକାରୀ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ। ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ (ୟୁପିଏସ୍‌ସି) ପକ୍ଷରୁ ୨୦୨୬ ମସିହା ପାଇଁ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାରୀ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ। ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ (ୟୁପିଏସ୍‌ସି) ପକ୍ଷରୁ ୨୦୨୬ ମସିହା ପାଇଁ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞାପନ ନମ୍ବର ୧୩/୨୦୨୬ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ମୋଟ ୧୩ଟି ଖାଲି ପଦବୀ ପୂରଣ କରାଯିବ। ଏଥିରେ ଡେଣ୍ଟାଲ ସର୍ଜନ, ଆୟୁର୍ବେଦ ଫିଜିସିଆନ୍‌, ହୋମିଓପାଥିକ ଫିଜିସିଆନ୍‌ ଏବଂ ସାଇଣ୍ଟିଷ୍ଟ୍‌-ବି ପଦବୀ ସାମିଲ ରହିଛି। ନଭେମ୍ବର ୧୪ରୁ ଅନଲାଇନ୍‌ ଆବେଦନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଏହି ନିଯୁକ୍ତି ପ୍ରକ୍ରିୟାରେ ତିନୋଟି ପ୍ରମୁଖ ସରକାରୀ ସଂସ୍ଥାରେ ପଦବୀ ପୂରଣ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଡେଣ୍ଟାଲ ସର୍ଜନର ୫ଟି ପଦ ରହିଛି। ସେହିପରି ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍‌ (ଏନଡ଼ିଏମସି) ଅଧୀନରେ ଆୟୁର୍ବେଦ ଫିଜିସିଆନ୍‌ର ୨ଟି ଏବଂ ହୋମିଓପାଥିକ ଫିଜିସିଆନ୍‌ର ଗୋଟିଏ ପଦ ଖାଲି ରହିଛି। ଅନ୍ୟପଟେ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆରେ ସାଇଣ୍ଟିଷ୍ଟ୍‌-ବିର ୫ଟି ପଦ ପୂରଣ କରାଯିବ। ଏହି ୫ଟି ପଦ ମଧ୍ୟରୁ ବଟାନିରେ ୩ଟି, ହର୍ଟିକଲଚରରେ ଗୋଟିଏ ଏବଂ ଅର୍ଗାନିକ୍‌ କେମିଷ୍ଟ୍ରିରେ ଗୋଟିଏ ପଦ ରହିଛି।

ଷ୍ଟେଟ୍‌ ଡେଣ୍ଟାଲ କାଉନସିଲ୍‌ରେ ପଞ୍ଜୀକରଣ
ପଦବୀ ଅନୁଯାୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ଭିନ୍ନ ରହିଛି। ଡେଣ୍ଟାଲ ସର୍ଜନ ପଦ ପାଇଁ ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ବିଡିଏସ୍‌ ଡିଗ୍ରୀ ସହ ଷ୍ଟେଟ୍‌ ଡେଣ୍ଟାଲ କାଉନସିଲ୍‌ରେ ପଞ୍ଜୀକରଣ ଆବଶ୍ୟକ। ଏଥିସହ ବାଧ୍ୟତାମୂଳକ ଇଣ୍ଟର୍ନସିପ୍‌ ଶେଷ କରିଥିବା ଦରକାର। ତେବେ ଇଣ୍ଟର୍ନସିପ୍‌ କରୁଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ, କିନ୍ତୁ ନିଯୁକ୍ତି ପୂର୍ବରୁ ଏହା ଶେଷ କରିବାକୁ ପଡ଼ିବ। ଆୟୁର୍ବେଦ ଫିଜିସିଆନ୍‌ ପଦ ପାଇଁ ଆୟୁର୍ବେଦରେ ଡିଗ୍ରୀ ସହ କେନ୍ଦ୍ରୀୟ କିମ୍ବା ରାଜ୍ୟ ରେଜିଷ୍ଟରରେ ପଞ୍ଜୀକରଣ ଜରୁରୀ। ସେହିପରି ହୋମିଓପାଥିକ ଫିଜିସିଆନ୍‌ ପଦ ପାଇଁ ହୋମିଓପାଥିରେ ଡିଗ୍ରୀ ଓ ସମ୍ପୃକ୍ତ କାଉନସିଲ୍‌ରେ ପଞ୍ଜୀକରଣ ରହିବା ଆବଶ୍ୟକ।

ପ୍ରଥମେ କରିବାକୁ ହେବ ରେଜିଷ୍ଟ୍ରେସନ୍‌
ସାଇଣ୍ଟିଷ୍ଟ୍‌-ବି ପଦ ପାଇଁ ଆବେଦନକାରୀଙ୍କ ନିକଟରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବଟାନି, ହର୍ଟିକଲଚର କିମ୍ବା ଅର୍ଗାନିକ୍‌ କେମିଷ୍ଟ୍ରିରେ ମାଷ୍ଟର୍ସ ଡିଗ୍ରୀ ଥିବା ଆବଶ୍ୟକ। ବୟସ ସୀମା କ୍ଷେତ୍ରରେ ଡେଣ୍ଟାଲ ସର୍ଜନ, ଆୟୁର୍ବେଦ ଓ ହୋମିଓପାଥିକ ଫିଜିସିଆନ୍‌ ପଦ ପାଇଁ ସାଧାରଣ ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ରହିଛି। ଡେଣ୍ଟାଲ ସର୍ଜନ ପଦ ପାଇଁ ଏସ୍‌ସି ବର୍ଗରେ ଏହା ୪୦ ବର୍ଷ। ସାଇଣ୍ଟିଷ୍ଟ୍‌-ବି ପଦ ପାଇଁ ସାଧାରଣ ଓ ଇଡବ୍ଲ୍ୟୁଏସ୍‌ ବର୍ଗରେ ୩୫ ବର୍ଷ, ଓବିସି ବର୍ଗରେ ୩୮ ବର୍ଷ ଏବଂ ଏସ୍‌ସି ବର୍ଗରେ ୪୦ ବର୍ଷ ବୟସ ସୀମା ରହିଛି। ଯୋଗ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ ମିଳିପାରିବ।

ଆବେଦନ ଶୁଳ୍କ କ୍ଷେତ୍ରରେ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୨୫ ଟଙ୍କା ଦେବାକୁ ପଡ଼ିବ। ମହିଳା, ଏସ୍‌ସି, ଏସ୍‌ଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି। ପ୍ରାପ୍ତ ଆବେଦନଗୁଡ଼ିକର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ। ଆବଶ୍ୟକତା ଅନୁଯାୟୀ ୟୁପିଏସ୍‌ସି ପକ୍ଷରୁ ନିଯୁକ୍ତି ପରୀକ୍ଷା ଏବଂ ପରବର୍ତ୍ତୀ ସମୟରେ ସାକ୍ଷାତକାର ଆୟୋଜନ କରାଯାଇପାରେ। ଆଗ୍ରହୀ ପ୍ରାର୍ଥୀମାନେ ୟୁପିଏସ୍‌ସିର ଅଫିସିଆଲ୍‌ ଆବେଦନ ପୋର୍ଟାଲ୍‌ upsconline.nic.in କୁ ଯାଇ ପ୍ରଥମେ ନିଜର ରେଜିଷ୍ଟ୍ରେସନ୍‌ କରିବେ। ଏହାପରେ ଆବଶ୍ୟକ ତଥ୍ୟ, ଫଟୋ ଓ ଦସ୍ତଖତ ଅପଲୋଡ୍‌ କରି ଡିସେମ୍ବର ୪ ତାରିଖ ସନ୍ଧ୍ୟା ୬ଟା ପୂର୍ବରୁ ଆବେଦନ ଦାଖଲ କରିବାକୁ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button