Iran Warning: ଇରାନର ନୂଆ ନିୟମ ପରେ ବାହାରିନ୍ରେ ବିସ୍ଫୋରଣ ଶବ୍ଦ: ଆମେରିକାର ରାଡାର ଉପରେ ଆକ୍ରମଣ କରିଥିବା ଇରାନର ଦାବି
ଆମେରିକା ଓ ଇସ୍ରାଏଲ୍କୁ ନୂଆ ଚେତାବନୀ ଦେଇଛି ଇରାନ। ଏହି ଦୁଇ ଦେଶର ସାମରିକ ଘାଟି ନିକଟରେ ଥିବା ବନ୍ଧ, ବନ୍ଦର ଓ ବିଦ୍ୟୁତ୍କେନ୍ଦ୍ରକୁ ଇରାନ ଏଣିକି ଦ୍ୱୈତ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ବୋଲି ବିବେଚନା କରିବ।

ମାନାମା: ଆମେରିକା ଓ ଇସ୍ରାଏଲ୍କୁ ନୂଆ ଚେତାବନୀ ଦେଇଛି ଇରାନ। ଏହି ଦୁଇ ଦେଶର ସାମରିକ ଘାଟି ନିକଟରେ ଥିବା ବନ୍ଧ, ବନ୍ଦର ଓ ବିଦ୍ୟୁତ୍କେନ୍ଦ୍ରକୁ ଇରାନ ଏଣିକି ଦ୍ୱୈତ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ବୋଲି ବିବେଚନା କରିବ। ଏହାର କିଛି ଘଣ୍ଟା ପରେ ମଙ୍ଗଳବାର ବାହାରିନ୍ର ରାଜଧାନୀ ମାନାମାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍ଜିସି) ବାହାରିନର ଶେଖ୍ ଇସା ବାୟୁସେନା ଘାଟିରେ ଥିବା ଆମେରିକାର ଏକ ରାଡାର ବ୍ୟବସ୍ଥାକୁ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିବା ଦାବି କରିଛି।
ସାମରିକ ଉଦ୍ଦେଶ୍ୟ ସହ ସମ୍ପର୍କ
ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ମଙ୍ଗଳବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ନୂଆ ନିୟମ ସମ୍ପର୍କରେ ଲେଖିଛନ୍ତି। ଇରାନର ବନ୍ଧଗୁଡ଼ିକୁ ନେଇ ଆମେରିକାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟର ଜବାବରେ ସେ ଏହା କହିଛନ୍ତି। ଆମେରିକା କିମ୍ବା ଇସ୍ରାଏଲ୍ର ସାମରିକ ଘାଟି ନିକଟରେ ଥିବା ଯେକୌଣସି ବନ୍ଧ, ବନ୍ଦର କିମ୍ବା ବିଦ୍ୟୁତ୍କେନ୍ଦ୍ରକୁ ଦ୍ୱୈତ ବ୍ୟବହାରଯୋଗ୍ୟ ଧରାଯିବ ବୋଲି ସେ କହିଛନ୍ତି। ଏହାକୁ ସେ ଆମେରିକା ଓ ଇସ୍ରାଏଲ୍ର ଯୁକ୍ତିର ଜବାବ ବୋଲି ଦର୍ଶାଇଛନ୍ତି। ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟରେ କେତେକ ବିଶେଷଜ୍ଞଙ୍କ ମତ ଆଧାରରେ ଇରାନର କିଛି ଜଳଭିତ୍ତିକ ପ୍ରକଳ୍ପର ସାମରିକ ଉଦ୍ଦେଶ୍ୟ ସହ ସମ୍ପର୍କ ଥାଇପାରେ ବୋଲି କୁହାଯାଇଥିଲା। ତେବେ ଏହି ସମ୍ପର୍କର କୌଣସି ନିଶ୍ଚିତ ପ୍ରମାଣ ରିପୋର୍ଟରେ ଦିଆଯାଇନଥିଲା। ବନ୍ଧଗୁଡ଼ିକ ପାନୀୟ ଜଳ, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଭଳି ଜରୁରୀ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ।
ଆକାଶମାର୍ଗୀୟ ଆକ୍ରମଣକୁ ପ୍ରତିହତ
ଅନ୍ୟପକ୍ଷରେ, ଇରାନର ଆଇଆର୍ଜିସି କହିଛି ଯେ ମଙ୍ଗଳବାର ସକାଳେ ଏହାର ଡ୍ରୋନ୍ଗୁଡ଼ିକ ଶେଖ୍ ଇସା ବାୟୁସେନା ଘାଟିରେ ଥିବା ଆମେରିକାର ରାଡାର ବ୍ୟବସ୍ଥା ଉପରେ ଆକ୍ରମଣ କରିଛି। ଆମେରିକାର ସାମରିକ ଡ୍ରୋନ୍ଗୁଡ଼ିକ ଇରାନର ଆକାଶସୀମା ଉଲ୍ଲଂଘନ କରୁଥିବାରୁ ଏହାର ଜବାବରେ ଏହି ଆକ୍ରମଣ କରାଯାଇଥିବା ଇରାନ କହିଛି। କିନ୍ତୁ ବାହାରିନ୍ର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଇରାନର ଆକାଶମାର୍ଗୀୟ ଆକ୍ରମଣକୁ ପ୍ରତିହତ କରିଛି। ଆକ୍ରମଣରେ କ୍ଷୟକ୍ଷତି କିମ୍ବା ମୃତାହତ ହେବାର ଖବର ମିଳିନାହିଁ।
ସୌଜନ୍ୟ ସମ୍ବାଦ




