ମାନିଲା: ବିଶ୍ୱ ଏବେ ଗୋଟିଏ ପରେ ଗୋଟିଏ ସଙ୍କଟର ସମ୍ମୁଖୀନ ହେଉଛି। ଏଭଳି ସମୟରେ ବିଶ୍ୱକୁ ସବୁଠାରୁ ଅଧିକ ଆବଶ୍ୟକ ଶାନ୍ତି, ସ୍ଥିରତା ଓ ଭବିଷ୍ୟତ ସମ୍ପର୍କରେ ନିଶ୍ଚିତତା। ତେଣୁ ଭାରତ ଓ ଆସିଆନ୍ ଦେଶଗୁଡ଼ିକର ଭବିଷ୍ୟତ ପ୍ରତିଯୋଗିତା ନୁହେଁ, ବରଂ ସହଯୋଗ ଉପରେ ଆଧାରିତ ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଫିଲିପାଇନ୍ସର ରାଜଧାନୀ ମାନିଲାରେ ଅନୁଷ୍ଠିତ ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
୧୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଆସିଆନ୍ ଓ ଭାରତ ମିଳିତ ଭାବେ ବିଶ୍ୱର ପ୍ରାୟ ଏକ-ଚତୁର୍ଥାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ଏହି ଦୁଇ ପକ୍ଷର ସହଯୋଗ ସମଗ୍ର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠାରେ ସହାୟକ ହେବ ବୋଲି ମୋଦୀ କହିଛନ୍ତି। ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ‘ନେଭିଗେଟିଂ ଆୱାର ଫ୍ୟୁଚର୍, ଟୁଗେଦର୍’ ବା ମିଳିତ ଭାବେ ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ ଏହି ସମୟରେ ବିଶେଷ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଥିଲେ।
ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ୯ଟି ନୂଆ ପ୍ରସ୍ତାବ
ସମ୍ମିଳନୀରେ ଭାରତ ଓ ଆସିଆନ୍ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ମୋଦୀ ୯ଟି ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦୀର୍ଘକାଳୀନ ସାମୁଦ୍ରିକ ସହଯୋଗ ଯୋଜନା, ମିଳିତ ସାଇବର ଫରେନ୍ସିକ୍ ପ୍ରଶିକ୍ଷଣ, ପରମାଣୁ ଶକ୍ତି କ୍ଷେତ୍ରରେ ବୈଷୟିକ ଆଦାନପ୍ରଦାନ, ମହାକାଶ ହ୍ୟାକାଥନ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ରହିଛି। ଏହା ସହ ଆସିଆନ୍ ଦେଶଗୁଡ଼ିକର ପର୍ଯ୍ୟଟକଙ୍କ ପାଇଁ ମାଗଣା ଇ-ଭିସା ପ୍ରଦାନ, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧିକ ଛାତ୍ରବୃତ୍ତି, ଯୁବ ସମ୍ପର୍କ କାର୍ଯ୍ୟକ୍ରମ ଏବଂ ୨୦୨୭ରେ ହେବାକୁ ଥିବା ୱେଭ୍ସ ସମ୍ମିଳନୀରେ ଆସିଆନ୍-ଭାରତ ସୃଜନଶୀଳ ସହଯୋଗ ପାଭିଲିୟନ୍ ପ୍ରତିଷ୍ଠା ପ୍ରସ୍ତାବ ରହିଛି।
୧୨ ବର୍ଷ ମଧ୍ୟରେ ଆସିଆନ୍ ସହ ସମ୍ପର୍କରେ ନୂଆ ଗତି
ସାମୁଦ୍ରିକ ସହଯୋଗ ଯୋଜନାରେ ଜଳପଥ ସଂଯୋଗ, ବୈଜ୍ଞାନିକ ଗବେଷଣା, ବିପର୍ଯ୍ୟୟ ପରିଚାଳନା, ତଟରକ୍ଷୀ ବାହିନୀ ମଧ୍ୟରେ ସହଯୋଗ ଏବଂ ନାବିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଜାହାଜ ଚଳାଚଳ ଅଧିକ ସୁରକ୍ଷିତ ହୋଇପାରିବ। ମୋଦୀ କହିଛନ୍ତି, ଭାରତର ବିକାଶ ଓ ଆସିଆନ୍ର ସମୃଦ୍ଧି ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଆସିଆନ୍ କମ୍ୟୁନିଟି ଭିଜନ୍ ୨୦୪୫ ଏବଂ ବିକଶିତ ଭାରତ ୨୦୪୭ ମିଳିତ ଆକାଂକ୍ଷା ପୂରଣରେ ସହାୟକ ହେବ। ଭାରତର ଆକ୍ଟ ଇଷ୍ଟ ନୀତି ଯୋଗୁଁ ଗତ ୧୨ ବର୍ଷ ମଧ୍ୟରେ ଆସିଆନ୍ ସହ ସମ୍ପର୍କ ନୂଆ ଗତି ପାଇଛି।
ସୌଜନ୍ୟ ସମ୍ବାଦ