Old rice: ମିଲ୍ରେ ଫିମ୍ପି ଲାଗିଲାଣି ୪ ଲକ୍ଷ କ୍ବିଣ୍ଟାଲ ପୁରୁଣା ଚାଉଳ: ଚାଉଳ ଉଠୁନି, ଧାନ କିଣିବେ କେମିତି?
ରାଜ୍ୟରେ ଆସନ୍ତା ଡିସେମ୍ବର ୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହେବାକୁ ଥିବାବେଳେ ଯାଜପୁର ଜିଲ୍ଲାରେ ଏବେ ଧାନକିଣା ପୂର୍ବରୁ ଚାଉଳ ସମସ୍ୟା ଚିନ୍ତା ବଢ଼ାଇଛି। ଜିଲ୍ଲାର ବିଭିନ୍ନ ରାଇସ୍ ମିଲ୍ରେ ଗତବର୍ଷର ପ୍ରାୟ ୪ ଲକ୍ଷ କ୍ୱିଣ୍ଟାଲ ଚାଉଳ ପଡ଼ିରହିଛି।

କୋରେଇ: ରାଜ୍ୟରେ ଆସନ୍ତା ଡିସେମ୍ବର ୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହେବାକୁ ଥିବାବେଳେ ଯାଜପୁର ଜିଲ୍ଲାରେ ଏବେ ଧାନକିଣା ପୂର୍ବରୁ ଚାଉଳ ସମସ୍ୟା ଚିନ୍ତା ବଢ଼ାଇଛି। ଜିଲ୍ଲାର ବିଭିନ୍ନ ରାଇସ୍ ମିଲ୍ରେ ଗତବର୍ଷର ପ୍ରାୟ ୪ ଲକ୍ଷ କ୍ୱିଣ୍ଟାଲ ଚାଉଳ ପଡ଼ିରହିଛି। ବହୁଦିନ ଧରି ଗଚ୍ଛିତ ରହିବା ଯୋଗୁଁ ସେଥିରେ ଫିମ୍ପି ଲାଗିବା ଆରମ୍ଭ ହେଲାଣି। ସେପଟେ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଥିବାରୁ ନୂଆ ଧାନ ରଖିବା ପାଇଁ ଆଉ ଜାଗା ନାହିଁ। ତେଣୁ ଡିସେମ୍ବର ଶେଷ ସୁଦ୍ଧା ସରକାର ମିଲ୍ରୁ ପୁରୁଣା ଚାଉଳ ନ ଉଠାଇଲେ ଚଳିତବର୍ଷ ଧାନ କିଣିବା ସମ୍ଭବ ହେବନାହିଁ ବୋଲି ମିଲରମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, କୋରେଇ ବ୍ଲକ୍ର ଆଶୀର୍ବାଦ ରାଇସ୍ ମିଲ୍, କୃପାଳ ରାଇସ୍ ମିଲ୍ ଓ ଏସ୍ଜିଏସ୍ ରାଇସ୍ ମିଲ୍ରେ ପ୍ରାୟ ଅଢ଼େଇ ଲକ୍ଷ କ୍ୱିଣ୍ଟାଲ ଉଷୁନା ଚାଉଳ ପଡ଼ିରହିଛି। ସେହିପରି ଚଣ୍ଡିଖୋଲ ଅଞ୍ଚଳର ମହାବଳୀ ମଣ୍ଡନ ରାଇସ୍ ମିଲ୍, ସନ୍ତୁକା ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍, ଇଷ୍ଟର୍ଣ୍ଣ ଜୋନ୍ ଓ ଗୋଲଖ ରାଇସ୍ ମିଲ୍ରେ ବିପୁଳ ପରିମାଣର ଚାଉଳ ଗଚ୍ଛିତ ରହିଛି। ଏଥିସହିତ ପ୍ରାୟ ୮୦୦ କ୍ୱିଣ୍ଟାଲ ଅରୁଆ ଚାଉଳ ମିଲ୍ଗୁଡ଼ିକରେ ପଡ଼ିରହିଛି। ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୭୪ ପ୍ରତିଶତ ଚାଉଳ ସରକାର ଉଠାଇଥିବାବେଳେ ଆହୁରି ୨୬ ପ୍ରତିଶତ ଚାଉଳ ଉଠାଯିବାକୁ ବାକି ରହିଛି। ଆଶୀର୍ବାଦ ମିଲ୍ର ପରିଚାଳକ ଶରତଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ, ତାଙ୍କ ମିଲ୍ରେ ପ୍ରାୟ ୭୦ ହଜାର କ୍ୱିଣ୍ଟାଲ ପୁରୁଣା ଚାଉଳ ପଡ଼ିରହିଛି। ଗୋଦାମ ଖାଲି ନଥିବାରୁ ଚଳିତବର୍ଷର ଧାନ ରଖିବାକୁ ସ୍ଥାନ ନାହିଁ। ଏଭଳି ସ୍ଥିତିରେ ସରକାର ପ୍ରଥମେ ପୁରୁଣା ଚାଉଳ ଉଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଉଳ ଉଠାଣ ସହ ବଣ୍ଟନ ସମସ୍ୟା ମଧ୍ୟ ଚିନ୍ତା ବଢ଼ାଇଛି।
ମିଲ୍ରେ ଫିମ୍ପି ଲାଗିଲାଣି ୪ ଲକ୍ଷ କ୍ବିଣ୍ଟାଲ ପୁରୁଣା ଚାଉଳ
ଡିସେମ୍ବର ସୁଦ୍ଧା ଚାଉଳ ନନେଲେ କିଣିବୁନି ଧାନ: ମିଲର
କୋରେଇ ବ୍ଲକ୍ରେ ୩୩,୩୩୨ଟି ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ, ୪,୭୬୫ଟି ଅନ୍ତ୍ୟୋଦୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ରହିଛି। ମୋଟ ୩୮,୦୯୭ କାର୍ଡଧାରୀଙ୍କୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସର ଚାଉଳ ଏଯାଏଁ ବଣ୍ଟନ ହୋଇନାହିଁ ବୋଲି ବ୍ଲକ୍ ଯୋଗାଣ ଅଧିକାରୀ ଛବିଲତା ପଲେଇ ସ୍ପଷ୍ଟ କରିଛନ୍ତି। ଜିଲ୍ଲାର ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳରେ ମଧ୍ୟ ବିପୁଳ ପରିମାଣର ଚାଉଳ ବଣ୍ଟନ ବାକି ରହିଛି। ବକେୟା ଚାଉଳ ଶୀଘ୍ର ବଣ୍ଟନ ପାଇଁ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ କହିଛନ୍ତି। ଚଳିତବର୍ଷ ଜିଲ୍ଲାରେ ୬୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବାରୁ ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲିବା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ଡିସେମ୍ବର ପୂର୍ବରୁ ଗୋଦାମ ଖାଲି କରିବା ସହ ବକେୟା ଚାଉଳ ବଣ୍ଟନ କରିବାକୁ ଚାଷୀ ଓ ମିଲରଙ୍କ ପକ୍ଷରୁ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




