ରାଜ୍ୟ

Allowance: ଭତ୍ତା ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକାଶ: ମିଳିଲା ଭତ୍ତା, ତିନିଚକିଆ ସାଇକଲ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ବିକାଶ ରଞ୍ଜନ ପାତ୍ର ୬ ମାସ ହେଲା ଭତ୍ତା ପାଇନଥିବା ନେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ।

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ବିକାଶ ରଞ୍ଜନ ପାତ୍ର ୬ ମାସ ହେଲା ଭତ୍ତା ପାଇନଥିବା ନେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ପ୍ରଶାସନିକ ଅଧିକାରୀ ବିକାଶଙ୍କ ଘରେ ପହଞ୍ଚି ତାଙ୍କୁ ଏକ ତିନିଚକିଆ ସାଇକଲ ସହ ୬ ମାସର ବକେୟା ଭତ୍ତା ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଭତ୍ତା ପାଇବାରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ଏସ୍‌ବିଆଇରେ ତାଙ୍କ ନାମରେ ନୂତନ ବ୍ୟାଙ୍କ ଖାତା ମଧ୍ୟ ଖୋଲାଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ପାତ୍ର କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ପ୍ରଦାନରେ ସମସ୍ୟା ହୋଇଥିଲା। ନୂତନ ବ୍ୟାଙ୍କ ଖାତା ଖୋଲାଯାଇ ଏହାର ସ୍ଥାୟୀ ସମାଧାନ କରାଯାଇଛି। ପ୍ରଶାସନର ଏହି ପଦକ୍ଷେପ ପରେ ବିକାଶ, ତାଙ୍କ ମା’ ସୁଶୀଳା ଓ ଭଉଣୀ ସନ୍ଧ୍ୟାରାଣୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଏଥିସହ ଖବର ପ୍ରସାରଣ କରିଥିବା ‘ସମ୍ବାଦ-କନକ ନ୍ୟୁଜ୍’ ଏବଂ ସହଯୋଗ କରିଥିବା ବିଡିଓ ଓ ପ୍ରଶାସନିକ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପର

ପ୍ରକାଶଥାଉକି, ମାଲଦା ପଞ୍ଚାୟତ ଗଣୁଆ ଗ୍ରାମର ବିକାଶ ରଞ୍ଜନ ପାତ୍ରଙ୍କ ଭିନ୍ନକ୍ଷମତା ପରିମାଣ ହେଉଛି ୯୦ ପ୍ରତିଶତ। ବାପା ବଟକୃଷ୍ଣ ପାତ୍ର ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିବାବେଳେ ଘରେ ମା’ ଓ ସାନଭଉଣୀ ବିକାଶଙ୍କ ଦେଖାଶୁଣା କରୁଛନ୍ତି। ଅଭାବ ଅନଟନ ଲାଗି ରହିଥିବାରୁ ଭତ୍ତା ଟଙ୍କା ଉପରେ ଏହି ପରିବାର ନିର୍ଭରଶୀଳ। ମାତ୍ର ୬ ମାସ ହେଲା ଭତ୍ତା ଟଙ୍କା ନପାଇ ପରିବାର ଘୋର ଅସୁବିଧା ମଧ୍ୟରେ ଗତି କରୁଥିଲେ। ଏହାକୁ ନେଇ ବିକାଶ ମାନସିକ ଚାପରେ ରହୁଥିବାବେଳେ ଶେଷରେ ଦଉଡ଼ି ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଭତ୍ତା ପାଇଁ ବିକାଶଙ୍କୁ ତାଙ୍କ ମା’ ବୋହି ବ୍ଲକ୍‌ ଅଫିସକୁ ନେଉଥିଲେ। ମା’ ଓ ଭଉଣୀ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇ ନିରାଶ ହେବା ପରେ ‘କନକ ନ୍ୟୁଜ୍’ ଓ ‘ସମ୍ବାଦ’ରେ ଖବର ପ୍ରସାରଣ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button