Darshan: ୧୧ ଥାକିଆ ବ୍ୟାରିକେଡ଼ ମଧ୍ୟରେ ଲମ୍ବା ଲାଇନ; ୩ଘଣ୍ଟା ଧାଡ଼ିରେ ପ୍ରତୀକ୍ଷା ପରେ ସାକ୍ଷୀଗୋପାଳରେ ଦୁର୍ଲ୍ଲଭ ଦର୍ଶନ
ପବିତ୍ର ଅଁଳା ନବମୀରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତିl ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଚଳିତ ବର୍ଷ ଭକ୍ତ ସମାଗମ ବୃଦ୍ଧି ଦେଖିବାକୁ ମିଳିଛି।

ସାକ୍ଷୀଗୋପାଳ (ଅଶୋକ ବେହେରା): ପବିତ୍ର ଅଁଳା ନବମୀରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦଦର୍ଶନ କରିଛନ୍ତିl ପୁରୀଜିଲ୍ଲା ସାକ୍ଷୀଗୋପାଳରେ ଚଳିତ ବର୍ଷ ଭକ୍ତ ସମାଗମ ବୃଦ୍ଧି ଦେଖିବାକୁ ମିଳିଛି। ଭକ୍ତମାନେ ୧୧ ଥାକିଆ ବ୍ୟାରିକେଡ଼ ମଧ୍ୟରେ ଲମ୍ବା ଧାଡିରେ ଯାଇ ପ୍ରାୟ ୩ ଘଣ୍ଟା ପରେ ପାଦ ଦର୍ଶନର ଅଲଭ୍ୟ ସୁଯୋଗ ଲାଭ କରିଛନ୍ତି୧
ଚଳିତ ବର୍ଷ ପ୍ରଥମ ଥର ଗତକାଲି ରାତି ୯ଟା ସମୟରେ ଠାକୁରଙ୍କର ପହୁଡ଼ ଅନୁଷ୍ଠିତ ହୋଇଥିଲା l ଗତକାଲି ରାତି ୧୦ଟା ସମୟରେ ସିଂହଦ୍ୱାର ଖୋଳାଯାଇ ଦେବନୀତି ଆରମ୍ଭ ହୋଇଥିଲା l ଗତକାଲି ରାତି୨ଟା ସମୟରେ ମନ୍ଦିର ଖୋଳାଯାଇ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା l ଆଜି ସକାଳ ୮ଟା ପର୍ଯ୍ୟନ୍ତ ଭିଆଇପି ପାସ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଥିଲା ଏହି ୬ଘଣ୍ଟା ମଧ୍ୟରେ ବ୍ୟାରିକେଡ଼ ମଧ୍ୟରେ ସିଂହଦ୍ୱାର ଠାରେ ମେଟାଲ ଡିଟେକ୍ଟର ଯାଞ୍ଚ ହୋଇ ଭକ୍ତମାନେ ମନ୍ଦିର ପ୍ରବେଶ କରିଥିଲେ l ମୁଖ୍ୟ ଧାଡିରେ ଭକ୍ତମାନଙ୍କୁ ଅପେକ୍ଷା କରିବାକୁ ପଡି ନ ଥିଲାl ଧାଡି ନିୟମିତ ଭାବରେ ଚାଲିଥିଲାl
ଉତ୍ତର ଭାରତୀୟ ବେଶଭୂଷା ପରିଧାନ
ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣୀଆ କଛା ମାରିଥାନ୍ତି. ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ. ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା। ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣୀଆ କଛା ମାରିଥିଲେ। କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା। ଠାକୁରାଣୀ ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିଲେ। ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ, ଓ ଡାଇମଣ୍ଡ କଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ, ଓ ଚୁପୁଲି ଶୋଭା ପାଉଥିଲା।
ମନୋରମ ନଟବର ବେଶ
ସେହିପରି ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର ମନୋରମ ନଟବର ବେଶ ହୋଇଛିl ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଛନ୍ତିl ଠାକୁରଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଥିଲାl ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୧୧ ଥାକିଆ ଷ୍ଟିଲ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ଼ ନିର୍ମାଣ ହୋଇଛିl ବ୍ୟାରିକେଡ଼ ମଧ୍ୟରେ ଏଆର କୁଲର ଓ ଭଜନ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଧାଡିରେ ଆସି ବ୍ୟାରିକେଡ଼ ମଧ୍ୟରେ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତିl ପ୍ରଶାସନ ତରଫରୁ ମନ୍ଦିର ପରିସର ଓ ସିଂହଦ୍ୱାର ସମ୍ମୁଖରେ ସି ସି ଟିଭି ଲଗା ଯାଇଛିl ସିଂହ ଦ୍ୱାର ସମ୍ମୁଖରେ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ପରେ ଭକ୍ତ ମାନେ ମନ୍ଦିର ପ୍ରବେଶ କରିଛନ୍ତିl
କ’ଣ ରହିଛି କିମ୍ବଦନ୍ତୀ
କିମ୍ବଦନ୍ତୀ ରହିଅଛି, ସାକ୍ଷୀଗୋପାଳ ଠାକୁର ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ହେବା ପରେ ଠାକୁର ଏଠାରେ ଏକୁଟିଆ ହୋଇଗଲେl ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ବୃନ୍ଦାବନରେ ରହିଗଲେl ଠାକୁର ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଝୁରି ହେଲେl ଠାକୁରଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଝିଅ ଲକ୍ଷ୍ମୀ ପ୍ରତ୍ୟେକ ଦିନ ମନ୍ଦିରକୁ ଠାକୁରଙ୍କୁ ଦର୍ଶନ ନିମନ୍ତେ ଆସିଥାଏ l ସେ ଦୀର୍ଘ ସମୟ ଧରି ଠାକୁରଙ୍କୁ ଅପଲକ ନୟନରେ ଦେଖୁଥାଏ l କାଳକ୍ରମେ ଲକ୍ଷ୍ମୀ ବଡ଼ ହେଲେl ଠାକୁର ରାତିରେ ଲକ୍ଷ୍ମୀଙ୍କ ଘରକୁ ନିୟମିତ ଯିବାଆସିବା କଲେl ଥରେ ଠାକୁର ଲକ୍ଷ୍ମୀଙ୍କ ଘରେ ସୁବର୍ଣ୍ଣ ବଂଶୀ ଛାଡି ଆସିଥିଲେl ବଡ଼ ପଣ୍ଡାଙ୍କ ଘରୁ ସୁବର୍ଣ୍ଣ ବଂଶୀ ମିଳିବା ଖବର ରାଜାଙ୍କ କାନକୁ ଗଲାl ରାଜା ବଡ଼ ପଣ୍ଡାଙ୍କୁ ଦଣ୍ଡ ଦେବା ନିମନ୍ତେ ସ୍ଥିର କଲେl ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଲକ୍ଷ୍ମୀ ରୂପରେ ଜନ୍ମ ଗ୍ରହଣ କରିଛନ୍ତିl ଲକ୍ଷ୍ମୀଙ୍କ ଅବିକଳ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରି ବାମ ପାର୍ଶ୍ୱରେ ସ୍ଥାପନ କରିବା ନିମନ୍ତେ ଠାକୁର ସ୍ୱପ୍ନାଦେଶ ପ୍ରଦାନ କଲେl ରାଜା ଦଶ ସହସ୍ର ସୁବର୍ଣ୍ଣ ମହୁଡ଼ରେ ଲକ୍ଷ୍ମୀଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ କଲେl ପ୍ରତିମୂର୍ତ୍ତି ନିର୍ମାଣ ଦିନ ଠାରୁ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡିଲେl ପ୍ରତିମୂର୍ତ୍ତିରେ ଜୀବନ୍ୟାସ ଦେବା ଦିନ ଲକ୍ଷ୍ମୀ ପ୍ରାଣତ୍ୟାଗ କଲେl ପ୍ରାଣତ୍ୟାଗ ପରେ ଠାକୁରଙ୍କ ସିଂହଦ୍ୱାର ସମ୍ମୁଖରେ ଲକ୍ଷ୍ମୀଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲାl ଏହି ସ୍ଥାନ ମଶାଣିଆ ମହାବୀର ନାମରେ ପରିଚିତl ଲକ୍ଷ୍ମୀଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ଠାକୁର ଏକ ସରଳ ରେଖାରେ ରହିଅଛିl ଠାକୁର ଓ ମାନବୀ ପ୍ରେମର ସ୍ମୃତି ମନେ ପକାଉଛିl
ସୌଜନ୍ୟ ସମ୍ବାଦ




