Rahul Gandhi: କଲମ୍ବିଆ ବିଶ୍ୱବିଦ୍ୟାଳୟରେ ବେକାରି ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ, ଭାରତ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି: ରାହୁଲ
ଭାରତ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି। ଦେଶରେ ବ୍ୟାପକ ବେକାରି ସମସ୍ୟା ରହିଥିବା ବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଗଭୀର ସମସ୍ୟା ଦେଇ ଗତି କରୁଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।

ନୂଆଦିଲ୍ଲୀ: ଭାରତ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି। ଦେଶରେ ବ୍ୟାପକ ବେକାରି ସମସ୍ୟା ରହିଥିବା ବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଗଭୀର ସମସ୍ୟା ଦେଇ ଗତି କରୁଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଆମେରିକା ଗସ୍ତରେ ଥିବା ରାହୁଲ ମଙ୍ଗଳବାର ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଶିକ୍ଷାବିତ୍ଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଭାରତରେ ରାଜନୈତିକ ବାଗ୍ଯୁଦ୍ଧ ଆରମ୍ଭ ହୋଇଛି।
ବ୍ୟବସ୍ଥାରେ ରହିଛି ଗୁରୁତର ତ୍ରୁଟି
ରାହୁଲ କହିଥିଲେ, ଗଣମାଧ୍ୟମ ଚାହିଲେ ଏହି ବାସ୍ତବତାକୁ ଏଡ଼ାଇ ଦେଇପାରେ, କିନ୍ତୁ ଦେଶରେ ବେକାରି ଏକ ବଡ଼ ସମସ୍ୟା ଏବଂ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଗୁରୁତର ତ୍ରୁଟି ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ମଧ୍ୟବିତ୍ତ ପରିବାରରୁ ଆସିଥିବା ଓ ଔପଚାରିକ ଶିକ୍ଷା ଲାଭ କରିଥିବା ଅନେକ ଯୁବକଯୁବତୀ ନିଜ ଭବିଷ୍ୟତକୁ ନେଇ ଆଶା ହରାଉଛନ୍ତି। ସେମାନଙ୍କ ମନରେ ନିଜ ପାଇଁ ଉନ୍ନତ ଭବିଷ୍ୟତର ସୁଯୋଗ ନ ଥିବା ଭାବନା ଦୃଢ଼ ହେଉଛି।
ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିବା ଆବଶ୍ୟକ
ଦେଶର ଅର୍ଥନୀତିର ମୂଳ ଆଧାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହ କୃଷି କ୍ଷେତ୍ର ବୋଲି ରାହୁଲ କହିଥିଲେ। ଏହି କ୍ଷେତ୍ରଗୁଡ଼ିକ ହିଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିପାରିବେ। କିନ୍ତୁ ଏହାର ଆଧାର ଦୁର୍ବଳ ହୋଇପଡ଼ିଛି। କେବଳ ସେବା କ୍ଷେତ୍ର ଉପରେ ନିର୍ଭର କରି ସମସ୍ତଙ୍କୁ ନିଯୁକ୍ତି ଦେବା ସମ୍ଭବ ନୁହେଁ। ତେଣୁ ଉତ୍ପାଦନ କ୍ଷେତ୍ରକୁ ପୁନର୍ବାର ସୁଦୃଢ଼ କରିବା ଆବଶ୍ୟକ। ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଭଳି ସରକାରୀ ଯୋଜନାର ସଫଳତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଆଦାନୀ ଓ ଅମ୍ବାନୀଙ୍କ ଭଳି ଅଳ୍ପ କେତେକ ବଡ଼ ବ୍ୟବସାୟିକ ଗୋଷ୍ଠୀର ଅଭିବୃଦ୍ଧି ହେଉଥିବା ବେଳେ ଘରୋଇ ପୁଞ୍ଜିନିବେଶ କାହିଁକି ବ୍ୟାପକ ହେଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।
ବାରମ୍ବାର ଭୁଲ୍ ତଥ୍ୟ ଦେଉଛନ୍ତି ରାହୁଲ
ଅନ୍ୟପକ୍ଷରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିବାଦ କରିଛି। ବୁଧବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ବିଦେଶ ଗସ୍ତରେ ଯାଇ ରାହୁଲ ବାରମ୍ବାର ଭୁଲ୍ ତଥ୍ୟ ଦେଉଛନ୍ତି। ଭାରତର ପ୍ରଗତି ଓ ଅନ୍ତର୍ଜାତୀୟ ଛବିକୁ ଦୁର୍ବଳ କରିବା ତାଙ୍କର ଉଦ୍ଦେଶ୍ୟ। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାହୁଲଙ୍କୁ ‘ଭାରତ ବିରୋଧୀ ପ୍ରଚାରର ନେତା’ ବୋଲି ଆକ୍ଷେପ କରିଥିଲେ।
ସୌଜନ୍ୟ ସମ୍ବାଦ



