ଦେଶ ବିଦେଶ

Assembly Elections: ୧୮୧ ଆସନ ମାଗିଲା କଂଗ୍ରେସ, ୩୬ରୁ ଅଧିକ ଦେବାକୁ ଅନିଚ୍ଛୁକ ସମାଜବାଦୀ ପାର୍ଟି

ଉତ୍ତରପ୍ରଦେଶରେ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ରାଜ୍ୟର ୪୦୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୮୧ଟି ଆସନରେ ନିର୍ବାଚନ ଲଢ଼ିବାକୁ ଦାବି କରିଛି।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ରାଜ୍ୟର ୪୦୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୮୧ଟି ଆସନରେ ନିର୍ବାଚନ ଲଢ଼ିବାକୁ ଦାବି କରିଛି। କିନ୍ତୁ ସପା ୩୬ଟି ଆସନରୁ ଅଧିକ ଛାଡ଼ିବାକୁ ରାଜି ନୁହେଁ। ସପା ମୁଖ୍ୟ ଅଖିଳେଶ ଯାଦବ ନଭେମ୍ବର ୧୪ରେ ନୂଆଦିଲ୍ଲୀରେ ଆୟୋଜିତ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍‌ରେ ଯୋଗଦେଇ କଂଗ୍ରେସର ଆସନ ଦାବି ସମ୍ପର୍କରେ ଖୁଲାସା କରିଥିଲେ।

୧୮୦ରେ ଯୋଡ଼ିଦିଅନ୍ତୁ ଆଉ ଗୋଟିଏ
କଂଗ୍ରେସ ୧୮୦ରୁ ଅଧିକ ଆସନ ମାଗିଛି କି ବୋଲି ପ୍ରଶ୍ନରେ ସେ କହିଥିଲେ, ୧୮୦ରେ ଆଉ ଗୋଟିଏ ଯୋଡ଼ିଦିଅନ୍ତୁ। ଅର୍ଥାତ୍ କଂଗ୍ରେସ ୧୮୧ଟି ଆସନ ମାଗିଛି। ସପାର ଆଭିମୁଖ୍ୟ ପଛରେ ୨୦୨୨ ବିଧାନସଭା ନିର୍ବାଚନର ଫଳାଫଳ ରହିଛି। ସେହି ନିର୍ବାଚନରେ କଂଗ୍ରେସ ମାତ୍ର ୨ଟି ଆସନରେ ଜିତିଥିବା ବେଳେ ତା’ର ଭୋଟ୍‌ ହାର ଥିଲା ୨.୩୯ ପ୍ରତିଶତ। ଅନ୍ୟପକ୍ଷରେ ସପା ୧୧୧ଟି ଆସନ ଜିତିବା ସହ ୩୨.୭୬ ପ୍ରତିଶତ ଭୋଟ୍ ପାଇଥିଲା। କଂଗ୍ରେସକୁ ୩୩୦ଟି ଆସନରେ ୫ ହଜାରରୁ କମ୍ ଭୋଟ୍ ମିଳିଥିଲା। ମାତ୍ର ୪୬ଟି ଆସନରେ ଦଳ ୨୦ ହଜାରରୁ ଅଧିକ ଭୋଟ୍ ପାଇଥିଲା।

୨୪ଟି ଆସନକୁ ନେଇ ହୋଇପାରେ ଆଲୋଚନା
ସପାର ଯୁକ୍ତି ହେଉଛି, ଏହି ପ୍ରଦର୍ଶନ ଆଧାରରେ କଂଗ୍ରେସର ଦାବି ୩୬ଟି ଆସନ ମଧ୍ୟରେ ସୀମିତ ରହିବା ଉଚିତ। ସପାର ପ୍ରସ୍ତାବ ଅନୁଯାୟୀ, ପ୍ରଥମେ ୨୪ଟି ଆସନକୁ ନେଇ ଆଲୋଚନା ହୋଇପାରେ। ଏହାପରେ ଆବଶ୍ୟକତା ଓ ନିର୍ବାଚନୀ ସମ୍ଭାବନାକୁ ବିଚାର କରି ଆଉ ୫୪ଟି ଆସନର ଦ୍ୱିତୀୟ ତାଲିକା ଉପରେ ଆଲୋଚନା କରାଯାଇପାରେ ବୋଲି ଅନ୍ୟ ରିପୋର୍ଟରେ ସୂଚନା ମିଳିଛି।

କଂଗ୍ରେସ ଅନ୍ୟପକ୍ଷରେ ୨୦୨୪ ଲୋକସଭା ନିର୍ବାଚନରେ ମେଣ୍ଟର ସଫଳତାକୁ ଆଧାର କରି ଅଧିକ ଆସନ ଚାହୁଛି। ସେହି ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ସପା ୩୭ଟି ଓ କଂଗ୍ରେସ ୬ଟି ଆସନ ଜିତିଥିଲା। ରାଜ୍ୟରେ ନିଜର ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ପାଇଁ କଂଗ୍ରେସ ଅଧିକ ଆସନରେ ଲଢ଼ିବାକୁ ଚାହୁଛି। ଏହି ଆଲୋଚନା ପାଇଁ ନଭେମ୍ବର ୧୭ରେ ନୂଆଦିଲ୍ଲୀରେ ଦୁଇ ଦଳର ବୈଠକ ହେବାର ଯୋଜନା ଥିଲା। କିନ୍ତୁ ବୈଠକ ହୋଇପାରି ନଥିଲା। ତେଣୁ ଉଭୟ ଦଳ ମଧ୍ୟରେ ଆନୁଷ୍ଠାନିକ ଆଲୋଚନା ଓ ଆସନ ବଣ୍ଟନର ଚୂଡ଼ାନ୍ତ ରୂପରେଖ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button