ନୂଆଦିଲ୍ଲୀ: ହାତରେ ଥିଲା ଆଇନର କ୍ଷମତା, ପରିଚୟ ଥିଲା ସିବିଆଇ ଇନ୍ସପେକ୍ଟର। ଆଗରେ ଥିଲା ଚାକିରିର ସୁରକ୍ଷା, ଦାମୀ ଗାଡ଼ି ଓ ଆରାମଦାୟକ ଜୀବନ। ହେଲେ ଏତେ ସବୁ ଥାଇ ବି ମନ ଭିତରେ ନଥିଲା ଶାନ୍ତି। ଯେଉଁ ବୟସରେ ଲୋକେ ପଦ, ପ୍ରତିଷ୍ଠା ଓ ପ୍ରମୋସନ୍ ପଛରେ ଦୌଡ଼ନ୍ତି, ସେହି ବୟସରେ ସେ ବାଛିନେଲେ ସନ୍ନ୍ୟାସର ରାସ୍ତା। ସବୁ ମାୟା ମୋହ ଛାଡ଼ି ପହଞ୍ଚିଗଲେ ମାଆ ନର୍ମଦାଙ୍କ କୂଳରେ। ଏବେ ଜଙ୍ଗଲର ଗୁମ୍ଫା ଓ ପ୍ରକୃତି ହିଁ ତାଙ୍କର ଠିକଣା। ତେବେ କାହିଁକି ଜଣେ ସିବିଆଇ ଅଧିକାରୀଙ୍କ ମନରେ ଜାଗିଲା ସଂସାର ପ୍ରତି ବିତୃଷ୍ଣା? କ’ଣ ଏମିତି ସତ୍ୟ ଖୋଜିପାଇଲେ, ଯାହା ତାଙ୍କୁ ସବୁକିଛି ତ୍ୟାଗ କରିବାକୁ ବାଧ୍ୟ କଲା?
ଆସନ୍ତୁ ଜାଣିବା ଏହି ଅଜବ ଜୀବନଯାତ୍ରାର କାହାଣୀ। ସଫଳତାର ଶିଖରରେ ପହଞ୍ଚିବାକୁ ଲୋକେ ସ୍ୱପ୍ନ ଦେଖନ୍ତି। ହେଲେ ଏ ମଣିଷ ଜଣକ ସଫଳତାର ସବୁ ସିଡ଼ି ଚଢ଼ିବା ପରେ ବି ସେଠାରେ ନିଜକୁ ଖୋଜି ପାଇଲେନି। ପରିବାରରେ ଥିଲା ଉଚ୍ଚ ସରକାରୀ ପଦପଦବୀର ପରିଚୟ। ବାପା ଓ ମାଆ ଦୁହେଁ ବଡ଼ ସରକାରୀ ଅଧିକାରୀ। ପିଲାଟି ଦିନରୁ ଅଭାବ କ’ଣ ଜାଣିନଥିଲେ। ପାଠପଢ଼ାରେ ମଧ୍ୟ ଥିଲେ ଆଗୁଆ। ବିଏସ୍ସି ଅନର୍ସ ପରେ ହୋମିଓପାଥିରେ ଏମ୍ଡି ଡିଗ୍ରୀ ହାସଲ କରିଥିଲେ। ଆଉ ଏହାପରେ ମିଳିଥିଲା ସିବିଆଇ ଭଳି ଦେଶର ଏକ ପ୍ରତିଷ୍ଠିତ ତଦନ୍ତକାରୀ ସଂସ୍ଥାରେ ଇନ୍ସପେକ୍ଟର ଚାକିରି। ଚାକିରି ମିଳିବା ପରେ ଲାଗିଥିଲା ଯେମିତି ଜୀବନର ସବୁଠୁ ବଡ଼ ଯୁଦ୍ଧ ଜିତିଯାଇଛନ୍ତି। ହେଲେ ଧୀରେ ଧୀରେ ଚାକିରିର ବାସ୍ତବତା ତାଙ୍କୁ ବିଚଳିତ କରିଥିଲା। ନିୟମ, ପ୍ରୋଟୋକଲ୍ ଓ ଅଫିସରୀ ଚାପ ଭିତରେ ହଜିଯାଉଥିଲା ନିଜ ଇଚ୍ଛାରେ ବଞ୍ଚିବାର ସ୍ୱାଧୀନତା। ଲୋକଙ୍କ ସହ ମିଶିବା, କାହା ସହ ବନ୍ଧୁତା କରିବା, ଏପରିକି କାହା ଘରକୁ ଯିବା ନେଇ ବି ରହୁଥିଲା ଅନେକ କଟକଣା। ଜଣେ ଗରିବ ମେଷପାଳକ ସ୍ନେହରେ ପାଖରେ ବସିଲେ ବି ପଦମର୍ଯ୍ୟାଦା ଓ ପ୍ରୋଟୋକଲ୍ ପାଇଁ ତାଙ୍କ ସହ ମୁକ୍ତ ଭାବେ ମିଶିବା ସମ୍ଭବ ହେଉନଥିଲା। ଯେଉଁ ବ୍ୟବସ୍ଥାରେ ସେ ନିଜକୁ ଖୋଜୁଥିଲେ, ସେହି ବ୍ୟବସ୍ଥା ଭିତରେ ନିଜକୁ ବନ୍ଦୀ ଭଳି ଅନୁଭବ କରିଥିଲେ ।
ସମୟ ଗଡ଼ିବା ସହ ବଢ଼ିଥିଲା ମନର ଅଶାନ୍ତି। ଗାଡ଼ି ଥିଲା, ଘର ଥିଲା, ଭଲ ଦରମା ଥିଲା। ହେଲେ ନଥିଲା ମନର ଶାନ୍ତି। ତାଙ୍କ ମତରେ, ଜୀବନ କେବଳ ରୋଜଗାର ଓ ଖାଦ୍ୟ ପାଇଁ ଦୌଡ଼ିବାର ନାଁ ନୁହେଁ। ଜଣେ ୨୦୦ ଟଙ୍କିଆ ପୋଷାକ ପିନ୍ଧୁଥିବା ବେଳେ ଆଉ ଜଣେ ୫୦୦ ଟଙ୍କା ମିଟରର କପଡ଼ା ପିନ୍ଧୁଛି। ହେଲେ ଦୁହିଁଙ୍କ ଜୀବନର ଲକ୍ଷ୍ୟ ଯଦି କେବଳ ରୋଜଗାର ଓ ସୁଖସୁବିଧା, ତେବେ ଏହି ଦୌଡ଼ର ଶେଷ କେଉଁଠି? ଏହି ପ୍ରଶ୍ନ ତାଙ୍କୁ ଭିତରୁ ଆନ୍ଦୋଳିତ କରିଥିଲା। ଶେଷରେ ନେଇଥିଲେ ଏକ ବଡ଼ ନିଷ୍ପତ୍ତି। ସିବିଆଇର ଚାକିରି, ଘର, ସଂସାର ଓ ସମସ୍ତ ସୁଖସୁବିଧାକୁ ପଛରେ ଛାଡ଼ି ବାହାରି ପଡ଼ିଥିଲେ ଆତ୍ମଖୋଜାର ଯାତ୍ରାରେ। ବିଭିନ୍ନ ରାଜ୍ୟ ବୁଲିବା ପରେ ଶେଷରେ ପହଞ୍ଚିଥିଲେ ମାଆ ନର୍ମଦାଙ୍କ କୂଳରେ। ସେଠାକାର ଶାନ୍ତ ପରିବେଶ, ଜଙ୍ଗଲ ଓ ଗୁମ୍ଫା ଭିତରେ ତାଙ୍କୁ ମିଳିଥିଲା ଏକ ନୂଆ ଜୀବନର ଅନୁଭବ। କୁହାଯାଏ, ମାତ୍ର ୫ ବର୍ଷ ବୟସରେ ତାଙ୍କୁ ମିଳିଥିଲା ଗୁରୁଦୀକ୍ଷା। ସେହି ଆଧ୍ୟାତ୍ମିକ ସଂସ୍କାର ପୁଣି ଥରେ ଜାଗ୍ରତ ହୋଇଥିଲା। ଯେଉଁ ମଣିଷ ଦିନେ ଆଇନର ରକ୍ଷକ ଥିଲେ, ଆଜି ସେ ଆତ୍ମଜ୍ଞାନର ସନ୍ଧାନରେ ସନ୍ନ୍ୟାସୀ। ଦୁନିଆ ପାଇଁ ସଫଳତାର ଅର୍ଥ ହୁଏତ ବଡ଼ ଚାକିରି, ଟଙ୍କା ଓ ପ୍ରତିଷ୍ଠା। ହେଲେ ଏହି ପୂର୍ବତନ ସିବିଆଇ ଇନ୍ସପେକ୍ଟରଙ୍କ ପାଇଁ ସଫଳତାର ଅର୍ଥ ବଦଳିଯାଇଛି। ଯେଉଁଠି ନାହିଁ ପଦର ଅହଂକାର, ନାହିଁ ଟଙ୍କାର ମୋହ। କେବଳ ଆତ୍ମସନ୍ତୋଷ ଓ ଶାନ୍ତିର ସନ୍ଧାନ। ସତରେ କ’ଣ ସବୁକିଛି ପାଇବା ପରେ ହିଁ ଜୀବନର ପ୍ରକୃତ ଅର୍ଥ ଖୋଜିବାକୁ ପଡ଼େ?