ନୂଆଦିଲ୍ଲୀ: କେବଳ ନିର୍ବାଚନ ଲଢ଼ିବା କିମ୍ବା ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବା ପାଇଁ କୌଣସି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ଆଦେଶ ଉପରେ ସ୍ଥଗିତାଦେଶ ମାଗିପାରିବେ ନାହିଁ। ଅଦାଲତ ରାଜନୈତିକ ଦଳର ନିର୍ବାଚନୀ ସମୟସୂଚୀ ଅନୁଯାୟୀ ନିଜର ଆଇନଗତ କ୍ଷମତା ବ୍ୟବହାର କରିପାରିବେ ନାହିଁ। ବୁଧବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ସୁପ୍ରିମ୍କୋର୍ଟ। ତେବେ ଆଜମ୍ ଖାନ୍ଙ୍କ ପତ୍ନୀ ଓ ପୁଅଙ୍କ ମାମଲାରେ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ସ୍ଥଗିତାଦେଶ କାଏମ୍ ରଖିବା ସହ ୟୁପି ସରକାରଙ୍କ ଆବେଦନକୁ ଖାରଜ କରି ଉପରୋକ୍ତ ମତ ଦେଇଛନ୍ତି।
ବିଚାରପତି ଦୀପଙ୍କର ଦତ୍ତ ଓ ଶୀଳ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ୍ ଖାନ୍ଙ୍କ ପତ୍ନୀ ଡାକ୍ତର ତାଜିନ୍ ଫାତିମା ଓ ପୁଅ ମହମ୍ମଦ ଅବଦୁଲ୍ଲା ଆଜମ୍ ଖାନ୍ଙ୍କ ଆବେଦନର ଶୁଣାଣି କରି ଏହି ମତ ଦେଇଛନ୍ତି। ଉଭୟଙ୍କ ବିରୋଧରେ ଦୁଇଟି ଭିନ୍ନ ଜନ୍ମ ପ୍ରମାଣପତ୍ର ବ୍ୟବହାର ସମ୍ପର୍କିତ ଏକ ଆପରାଧିକ ମାମଲା ରହିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଆଦେଶକୁ ସ୍ଥଗିତ ରଖିବା ପାଇଁ ସେମାନେ ଆବେଦନ କରିଥିଲେ। ସୁପ୍ରିମ୍କୋର୍ଟ ଉଭୟଙ୍କ ଆବେଦନକୁ ମଞ୍ଜୁର କରି ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ଆପରାଧିକ ପୁନର୍ବିଚାର ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଦୋଷୀ ସାବ୍ୟସ୍ତ ଆଦେଶ ଉପରେ ସ୍ଥଗିତାଦେଶ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜମ୍ ଖାନ୍ଙ୍କ ଦୋଷୀ ସାବ୍ୟସ୍ତ ଆଦେଶ ଉପରେ ହାଇକୋର୍ଟ ପୂର୍ବରୁ ଦେଇଥିବା ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ଉତ୍ତରପ୍ରଦେଶ ସରକାର କରିଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।
ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ଉପରେ ପ୍ରଭାବ
ଖଣ୍ଡପୀଠ କହିଛନ୍ତି, ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ପରବର୍ତ୍ତୀ ସମୟରେ ଯଦି ଉଚ୍ଚ ଅଦାଲତ ଦୋଷୀ ସାବ୍ୟସ୍ତ ଆଦେଶକୁ ରଦ୍ଦ କରନ୍ତି, ତେବେ ଏହା ମଧ୍ୟରେ ବ୍ୟକ୍ତି ଯେଉଁ ସାମାଜିକ ଅପମାନ ଓ ମାନସିକ କ୍ଷତି ସହିଥିବେ, ତାହାକୁ ଅର୍ଥ ଦେଇ ପୂରଣ କରାଯାଇପାରିବ ନାହିଁ। ବ୍ୟକ୍ତିଗତ ମର୍ଯ୍ୟାଦା ଓ ସାର୍ବଜନୀନ ପ୍ରତିଷ୍ଠା ଭାରତୀୟ ସମ୍ବିଧାନର ଧାରା ୨୧ରେ ଥିବା ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ଅଧିକାରର ଅଂଶ। ତେବେ ଦୋଷୀ ସାବ୍ୟସ୍ତ ଆଦେଶ ଉପରେ ସ୍ଥଗିତାଦେଶ ଦେବା ଏକ ସାଧାରଣ ପ୍ରକ୍ରିୟା ନୁହେଁ। ଏହା କେବଳ ବିଶେଷ ପରିସ୍ଥିତିରେ ଏବଂ ଅପୂରଣୀୟ କ୍ଷତି ହେବାର ଆଶଙ୍କା ଥିଲେ ହିଁ ବିଚାର କରାଯିବା ଉଚିତ। ଏଥିପାଇଁ ଦଣ୍ଡାଦେଶର ଗୁରୁତ୍ୱ ଓ ଦୋଷୀ ସାବ୍ୟସ୍ତ ହେବାର ନ୍ୟାୟିକ ମହତ୍ତ୍ୱ ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ। ଏହି ମାମଲାରେ ଖଣ୍ଡପୀଠ ଦଣ୍ଡ ସଂହିତାର ଧାରା ୩୮୯(୧)ର ଉଲ୍ଲେଖ କରିଥିଲେ।
ସୌଜନ୍ୟ ସମ୍ବାଦ