BJP: ୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି
୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଆସନ୍ତାମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଜାତୀୟ ସଭାପତି ନିତିନ ନବୀନ ରାଜ୍ୟବ୍ୟାପୀ ନିର୍ବାଚନୀ ଅଭିଯାନର ନେତୃତ୍ୱ ନେବେ।

ନୂଆଦିଲ୍ଲୀ : ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଆସନ୍ତାମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଜାତୀୟ ସଭାପତି ନିତିନ ନବୀନ ରାଜ୍ୟବ୍ୟାପୀ ନିର୍ବାଚନୀ ଅଭିଯାନର ନେତୃତ୍ୱ ନେବେ। ମଥୁରାରେ ଅନୁଷ୍ଠିତ ଦଳର ଦୁଇଦିନିଆ ଚିନ୍ତନ ଶିବିରରେ ଏହି ରଣନୀତି ଚୂଡ଼ାନ୍ତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସଂଗଠନକୁ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଦଳ ଗୁରୁତ୍ୱ ଦେଇଛି।
ଏହି ଅଭିଯାନର ପ୍ରମୁଖ ଅଂଶ ଭାବେ ରାଜ୍ୟରେ ୬ଟି ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯିବ। ଏହି ଯାତ୍ରାଗୁଡ଼ିକ ଉତ୍ତରପ୍ରଦେଶର ସମସ୍ତ ପ୍ରମୁଖ ସାଂଗଠନିକ ଅଞ୍ଚଳକୁ ସାମିଲ କରିବ। ସେଗୁଡ଼ିକ ହେଉଛି ବ୍ରଜ, ପଶ୍ଚିମ ଉତ୍ତରପ୍ରଦେଶ, କାନପୁର-ବୁନ୍ଦେଲଖଣ୍ଡ, କାଶୀ, ଅବଧ ଓ ଗୋରଖପୁର। ରାଜ୍ୟର ବରିଷ୍ଠ ନେତାମାନେ ଏହି ଯାତ୍ରାଗୁଡ଼ିକର ନେତୃତ୍ୱ ନେବେ। ଏହାର ଶେଷରେ ଲକ୍ଷ୍ନୌରେ ଏକ ବିଶାଳ ଜନସଭା ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେବେ। ଏଥିସହ ବୁଥ୍ସ୍ତରୀୟ ସମ୍ମିଳନୀ ଓ ଶକ୍ତିକେନ୍ଦ୍ର ସମ୍ମିଳନୀ ମାଧ୍ୟମରେ ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଡ଼ି ହେବାକୁ ଦଳ ଯୋଜନା କରିଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଅମିତ ଶାହ ଉଦ୍ବୋଧନ ଦେବାର ସମ୍ଭାବନା ରହିଛି।
ଏହାବ୍ୟତୀତ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନଙ୍କୁ ପୃଥକ୍ ପୃଥକ୍ ଜିଲ୍ଲାର ଦାୟିତ୍ୱ ଦିଆଯିବ। ସେମାନେ ସମ୍ପୃକ୍ତ ଜିଲ୍ଲାର ବରିଷ୍ଠ ବିଜେପି କର୍ମୀଙ୍କ ସହ ବୈଠକ କରିବେ। କର୍ମୀଙ୍କ ସମସ୍ୟା ଶୁଣିବା ସହ ସରକାର ଓ ସଂଗଠନର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସେମାନଙ୍କ ମତାମତ ସଂଗ୍ରହ କରିବେ। ଦଳ ‘କାର୍ଯ୍ୟକର୍ତ୍ତା ପ୍ରଥମ’ ନୀତିକୁ ଗୁରୁତ୍ୱ ଦେଉଛି। କର୍ମୀଙ୍କ ମତାମତକୁ ସମ୍ମାନ ଦେବା ସହ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଚୟନ ସମୟରେ ମଧ୍ୟ ସେମାନଙ୍କ ପରାମର୍ଶକୁ ବିଚାରକୁ ନିଆଯିବ। ବିଭିନ୍ନ ଜିଲ୍ଲାରୁ ମିଳୁଥିବା ମତାମତ ଆଧାରରେ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା ଓ ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଆକଳନ କରାଯିବ।
ସୌଜନ୍ୟ ସମ୍ବାଦ




