Tensions escalate at the border: ସୀମାନ୍ତରେ ବଢ଼ିଲା ଛକାପଞ୍ଝା: ରାଇପାହାଡ଼ରେ ଆନ୍ଧ୍ର ନେତାଙ୍କ ପ୍ରଚାର, କୋଟିଆରେ ଉପଜିଲ୍ଲାପାଳଙ୍କ ସମୀକ୍ଷା
ଦୁଇ ସପ୍ତାହର ନିରବତା ପରେ ଓଡ଼ିଶା ସୀମାରେ ପୁଣି ଆରମ୍ଭ ହୋଇଛି ଛକାପଞ୍ଝା। କୋଟିଆରେ ନିଜ ପ୍ରଭାବ ବଜାୟ ରଖିବାକୁ ଓଡ଼ିଶା ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ନନ୍ଦପୁର ବ୍ଲକ୍ର ରାଇପାହାଡ଼ରେ ସକ୍ରିୟ ହୋଇଛନ୍ତି ଆନ୍ଧ୍ରର ନେତା ଓ ସମର୍ଥକ।

ପଟାଙ୍ଗି/ନନ୍ଦପୁର: ଦୁଇ ସପ୍ତାହର ନିରବତା ପରେ ଓଡ଼ିଶା ସୀମାରେ ପୁଣି ଆରମ୍ଭ ହୋଇଛି ଛକାପଞ୍ଝା। କୋଟିଆରେ ନିଜ ପ୍ରଭାବ ବଜାୟ ରଖିବାକୁ ଓଡ଼ିଶା ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ନନ୍ଦପୁର ବ୍ଲକ୍ର ରାଇପାହାଡ଼ରେ ସକ୍ରିୟ ହୋଇଛନ୍ତି ଆନ୍ଧ୍ରର ନେତା ଓ ସମର୍ଥକ। ଆସନ୍ତା ୨୯ ତାରିଖରେ ସରପଞ୍ଚ ନିର୍ବାଚନ ଥିବାରୁ ସୀମାନ୍ତ ଗାଁର ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ରଣନୀତି ଜୋର୍ଦାର ହୋଇଛି। ବର୍ତ୍ତମାନର ସ୍ଥିତି ଦେଖିଲେ ଆଗକୁ ଲଢ଼େଇ ଭୀଷଣ ହେବ ବୋଲି ଅନୁମାନ କରାଯାଉଛି।
ନଭେମ୍ବର ୫ ତାରିଖରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନ ଶେଷ ହେବା ପରେ କୋଟିଆରେ କିଛିଦିନ ପାଇଁ ରାଜନୈତିକ ତତ୍ପରତା ଥମି ଯାଇଥିଲା। ତେବେ ଆସନ୍ତା ୨୯ ତାରିଖ ସରପଞ୍ଚ ନିର୍ବାଚନକୁ ନେଇ ଉଭୟ ପକ୍ଷ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଓଡ଼ିଶା ସୀମାନ୍ତ ଗାଁରୁ ଅଧିକ ଭୋଟ ହାତେଇବା ପାଇଁ ଆନ୍ଧ୍ର ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ଏହାର ମୁକାବିଲା ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ନିଜ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ଆଜି କୋଟିଆ ପଞ୍ଚାୟତର ନେରେଡ଼ିବାଲସା, ଉପରସେମ୍ବୀ, ତଳସେମ୍ବୀ, ଆରୁଜୁବାଲସା, କୁରୁଡ଼ିପଦର ସମେତ କୋଟିଆ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ନେଇ ଆନ୍ଧ୍ର ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି। ସେହିପରି ସିଡିଓ ବେଣୁଧର ଶବର ଓ ପଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ସୀମାନ୍ତ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ନିର୍ବାଚନକୁ ନେଇ ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି।
ଅନ୍ୟପକ୍ଷରେ ସୀମାନ୍ତର କିଛି ଗ୍ରାମବାସୀଙ୍କ ସହ ଆନ୍ଧ୍ର ସମର୍ଥକମାନେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଦାବି ଜଣାଇଥିବା ସୂଚନା ମିଳିଛି। କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା ଜାରି ରହିଥିବା ବେଳେ ନନ୍ଦପୁର ବ୍ଲକ୍ର ସୀମାନ୍ତ ଗାଁ ରାଇପାହାଡ଼ରେ କିନ୍ତୁ ଭିନ୍ନ ଚିତ୍ର ସାମନାକୁ ଆସିଛି। ଆନ୍ଧ୍ର ନେତାଙ୍କ ଗତିବିଧି ଉପରେ ରୋକ୍ ଲଗାଇବାକୁ ସେଠାରେ କେହି ନଥିବାରୁ ବୁଧବାର ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ବିନା ବାଧାରେ ଗାଁରେ ପ୍ରବେଶ କରି ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିଲେ ମଧ୍ୟ ରାଇପାହାଡ଼ର ଗ୍ରାମବାସୀ ଆନ୍ଧ୍ର ଯାଇ ଭୋଟ ଦେଇଥିଲେ। ଏହି ଘଟଣା ପରେ ଆନ୍ଧ୍ର ନେତାଙ୍କ ଉତ୍ସାହ ବଢ଼ିଥିବା କୁହାଯାଉଛି। ଏବେ ସେମାନେ ଓଡ଼ିଶା ସୀମା ଭିତରେ ପ୍ରବେଶ କରି ଖୋଲାଖୋଲି ପ୍ରଚାର ଚଳାଇବା ସହ ରାଜ୍ୟ ପ୍ରଶାସନକୁ ଆହ୍ୱାନ ଦେବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ଏଭଳି ପରିସ୍ଥିତିରେ କୋଟିଆ ସହ ରାଇପାହାଡ଼ରେ ମଧ୍ୟ ଓଡ଼ିଶା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସୌଜନ୍ୟ ସମ୍ବାଦ




