The Legislative Assembly: ଚାଲିପାରିଲାନି ବିଧାନସଭା: ବିଜେଡିର ବନ୍ୟା, କଂଗ୍ରେସର କୋଟିଆ ପ୍ରସଙ୍ଗ
ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ଭୀଷଣ ହଟ୍ଟଗୋଳ ହୋଇଛି। ଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ପାରିନାହିଁ। ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ।

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ଭୀଷଣ ହଟ୍ଟଗୋଳ ହୋଇଛି। ଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ପାରିନାହିଁ। ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ବିରୋଧୀଙ୍କ ମୁଡ୍ ଦେଖିଲେ ଗୃହ ଦିନେ ଦୁଇଦିନ ଭିତରେ ସ୍ବାଭାବିକ ହେବା ପରି ଅନୁଭବ ହେଉ ନାହିଁ।
ଆଜି ପୂର୍ବାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହେଲା ପରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ, ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ଅଜୟ ବା ଓ ହିମାଂଶୁ ରାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିରୋଧୀ ଦଳନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ସ୍ମୃତିଚାରଣ କରିଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦିବଂଗତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।
ବିଜେଡିର ବନ୍ୟା, କଂଗ୍ରେସର କୋଟିଆ ପ୍ରସଙ୍ଗ
ବିରୋଧୀଙ୍କ ଗର୍ଜନରେ କମ୍ପିଲା ଗୃହ
ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ
ଏହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ସଙ୍ଗେ ସଙ୍ଗେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେଡି ସଦସ୍ୟମାନଙ୍କ ହାତରେ ପ୍ଲାକାର୍ଡ ଓ କଂଗ୍ରେସ ସଦସ୍ୟଙ୍କ ହାତରେ ଛୋଟ ଛୋଟ ବ୍ୟାନର ଥିଲା। ବିରୋଧୀଙ୍କ ଗର୍ଜନରେ ଗୃହ କମ୍ପିଥିଲା। ବିଜେଡି ବିଧାୟକମାନେ ଗଞ୍ଜାମ ବନ୍ୟା ପରିଚାଳନାରେ ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିଥିଲେ। କଂଗ୍ରେସ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ବିଜେଡିର ପ୍ଲାକାର୍ଡଗୁଡ଼ିକରେ ଲେଖାଥିଲା, ‘ଗଞ୍ଜାମରେ ମନୁଷ୍ୟକୃତ ବନ୍ୟା ପାଇଁ ଦାୟୀ କିଏ’, ‘ବନ୍ୟା ସମୟରେ ତୁମକୁ ଖାଇବା ଚିନ୍ତା ଘାରିଲା’, ‘କ୍ୟାମେରା ସାମନାରେ ସମୀକ୍ଷା କଲ, ରିଲିଫ୍ ପାଇଁ ଲୋକ କଲବଲ’। କଂଗ୍ରେସର ପ୍ଲାକାର୍ଡରେ ଲେଖାଥିଲା, ‘କୋଟିଆ ସୁରକ୍ଷା ଆମର ଦାବି’, ‘କୋଟିଆ ଆମର ଅବିଚ୍ଛେଦ୍ୟ ଅଙ୍ଗ’। ଉଭୟ ପ୍ରସଙ୍ଗରେ ବିଧାୟକମାନେ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ରିପୋର୍ଟସଙ୍କ ଟେବୁଲ୍ ଉପରେ ଚଢ଼ି ନାରାବାଜି କରିଥିଲେ। ଗୃହରେ ଅସ୍ବାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ସୌଜନ୍ୟ ସମ୍ବାଦ




