କବର ତଳେ ଲୁଚିଗଲା ପରିଚୟ: ବରଗଡ଼ରେ ୫ ବର୍ଷରେ ୧୦୮ ଅଜଣା ଶବ ଉଦ୍ଧାର
ଘରୁ ବାହାରିଥିବା ମଣିଷଟି ଆଉ ଫେରିଲା ନାହିଁ। ପରିବାର ଲୋକେ ଆଜି ବି ତା’ର ଫେରିବା ବାଟକୁ ଚାହିଁ ବସିଥାଇପାରନ୍ତି। ହେଲେ ସେମାନେ ଜାଣିନାହାନ୍ତି, ସେମାନଙ୍କ ଆପଣାର ମଣିଷଟି ଆଉ ଏ ଦୁନିଆରେ ନାହିଁ।

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ଘରୁ ବାହାରିଥିବା ମଣିଷଟି ଆଉ ଫେରିଲା ନାହିଁ। ପରିବାର ଲୋକେ ଆଜି ବି ତା’ର ଫେରିବା ବାଟକୁ ଚାହିଁ ବସିଥାଇପାରନ୍ତି। ହେଲେ ସେମାନେ ଜାଣିନାହାନ୍ତି, ସେମାନଙ୍କ ଆପଣାର ମଣିଷଟି ଆଉ ଏ ଦୁନିଆରେ ନାହିଁ। ନାଁ କିମ୍ବା ଠିକଣା କିଛି ଜଣା ନାହିଁ, ପରିଚୟ ଜାଣିବାର କୌଣସି ସୂତ୍ର ବି ନାହିଁ। ଶେଷରେ ପୁଲିସ କେସ୍ ନମ୍ବର ହିଁ ପାଲଟିଯାଇଛି ସେମାନଙ୍କ ପରିଚୟ। ମୃତ୍ୟୁ ପରେ ନିଜ ଲୋକଙ୍କ କାନ୍ଧ ମିଳିଲାନି କି ପରିବାରର ଲୁହଭିଜା ବିଦାୟ ବି। ଅଜଣା ମଣିଷ ଭାବେ କବର ତଳେ ଚାପି ହୋଇଗଲା ଜୀବନର ସବୁ ଅଭିମାନ, ସ୍ମୃତି ଓ ପରିଚୟ। ବରଗଡ଼ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ଏଭଳି ୧୦୮ଟି ଅଜଣା ମୃତଦେହ ଉଦ୍ଧାର ହୋଇଛି। ଏହା କେବଳ ୧୦୮ଟି ମୃତଦେହର ପରିସଂଖ୍ୟାନ ନୁହେଁ, ବରଂ ୧୦୮ଟି ଅଜଣା ଜୀବନର ଅକୁହା କାହାଣୀ।
ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସମୟ ସମୟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେଉଛି। ପୁଲିସ ତଦନ୍ତ ବେଳେ କେତେକ ମୃତକଙ୍କ ପରିଚୟ ମିଳିଯାଉଥିବା ବେଳେ ଅନ୍ୟମାନେ ରହି ଯାଉଛନ୍ତି ଅଚିହ୍ନା। ଶବ ବ୍ୟବଚ୍ଛେଦ ପରେ ପୁଲିସ ଅଜଣା ମୃତଦେହକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିଥାଏ। ଏହି ସମୟ ମଧ୍ୟରେ ମୃତକଙ୍କ ପରିଚୟ କିମ୍ବା ଠିକଣା ସମ୍ପର୍କରେ ସୂଚନା ନ ମିଳିଲେ ମୃତଦେହକୁ କବର ଦିଆଯାଇଥାଏ। ପୁଲିସର ଅନୁରୋଧକ୍ରମେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏହି ଅଜଣା ମୃତଦେହଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରୁଛନ୍ତି। ଏପଟେ ନିଖୋଜ ବ୍ୟକ୍ତିଙ୍କ ପରିବାର ତାଙ୍କ ପ୍ରିୟଜନ ଫେରିବେ ବୋଲି ଆଶା ବାନ୍ଧି ରହିଥିବା ବେଳେ ସେମାନଙ୍କ ମୃତ୍ୟୁ ଖବର ମଧ୍ୟ ପହଞ୍ଚିପାରୁନାହିଁ। ପରିସଂଖ୍ୟାନ ମୁତାବକ ଜିଲ୍ଲାରୁ ୨୦୨୧ରେ ୧୨ଟି ଅଜଣା ମୃତଦେହ ମିଳିଥିବା ବେଳେ ୨୦୨୨ରେ ୨୧ଟି, ୨୦୨୩ରେ ୧୭ଟି, ୨୦୨୪ରେ ୨୨ଟି ଏବଂ ୨୦୨୫ରେ ୩୬ଟି ମୃତଦେହ ଉଦ୍ଧାର ହୋଇଛି। ଏହି ପାଞ୍ଚ ବର୍ଷରେ ମୋଟ ୧୦୮ ଜଣଙ୍କ ମୃତ୍ୟୁ ପରେ ସେମାନଙ୍କ ପରିଚୟ ଅଜଣା ହୋଇ ରହିଯାଇଛି।
ପରିବାର ପାଇଁ ନିଖୋଜ, ପୁଲିସ ଫାଇଲ୍ରେ ଅପମୃତ୍ୟୁ
ସେମାନଙ୍କ ମଧ୍ୟରୁ କିଏ ଜୀବିକା ଅନ୍ୱେଷଣରେ ଘର ଛାଡ଼ି ଆସିଥିଲେ ତ ଆଉ କିଏ ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ଦିନ କାଟୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ସେମାନଙ୍କ ପାଖରେ କିଏ ଥିଲେ, କେଉଁ ପରିସ୍ଥିତିରେ ସେମାନେ ପ୍ରାଣ ହରାଇଲେ, ତାହା ଅନେକ କ୍ଷେତ୍ରରେ ଅଜଣା ହୋଇ ରହିଯାଇଛି। ଥାନାୱାରୀ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ବରଗଡ଼ ଟାଉନ ଥାନାରେ ସର୍ବାଧିକ ୨୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଭଟଲି ଥାନାରେ ୧୮ଟି ଓ ବରପାଲି ଥାନାରେ ୧୩ଟି ମାମଲା ରୁଜୁ ହୋଇଥିବା ବେଳେ ଅତାବିରା, ପଦ୍ମପୁର ଓ ସୋହେଲା ଥାନାରେ ୭ଟି ଲେଖାଏଁ ମାମଲା ରୁଜୁ ହୋଇଛି। ଅଜଣା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରୁଥିବା ସଂକଳ୍ପ ପରିବାର ଅନୁଷ୍ଠାନର ସଭାପତି ବିକାଶ ଅଗ୍ରୱାଲ କହିଛନ୍ତି, ଅଜଣା ମୃତଦେହକୁ ଅନ୍ତିମ ସମ୍ମାନ ଦେବା ସମସ୍ତଙ୍କର ନୈତିକ ଦାୟିତ୍ୱ ହେବା ଉଚିତ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭର ନକରି ସାଧାରଣ ଲୋକେ ମାନବିକତା ଦୃଷ୍ଟିରୁ ଆଗେଇ ଆସିବା ଆବଶ୍ୟକ। ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ସେ ମତ ଦେଇଛନ୍ତି। ମୃତ୍ୟୁ ପରେ ମଣିଷର ନାଁ ଓ ପରିଚୟ ହଜିଯାଇପାରେ, କିନ୍ତୁ ତା’ର ମାନବିକ ମର୍ଯ୍ୟାଦା ହଜିଯିବା ଉଚିତ ନୁହେଁ। ବରଗଡ଼ର ଏହି ୧୦୮ଟି ଅଜଣା ମୃତଦେହ ସେହି ନିରବ ସତ୍ୟକୁ ହିଁ ମନେ ପକାଇ ଦେଉଛି।
ସୌଜନ୍ୟ ସମ୍ବାଦ




